ପାରଳାଖେମୁଣ୍ଡିରେ ଉତ୍ସାହର ସହ ପାଳିତ ହେଲା ଜନଜାତୀୟ ଗୌରବ ଦିବସ ।

0

ଗଜପତି, ୧୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍‌ଠାରେ ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ କାମଦେବ ବଡନାୟକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲୋମନ ରାଇକା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ଆଦିବାସୀ ସମାଜର ଗୌରବମୟ ଇତିହାସ, କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀକୁ ନେଇ ଆକର୍ଷଣୀୟ ପ୍ରଦର୍ଶନ କରାଯାଇଥିଲା। ଜନଜାତିଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ବେଶଭୂଷା ଉତ୍ସବରେ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରିଥିଲା।ଏଥି ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ, ସାହସିକତା ଓ ଦେଶପ୍ରେମର ଅମର ଗାଥାକୁ ସ୍ମରଣ କରିବା ସହ ଜନଜାତି ସମାଜର ଐତିହ୍ୟ, ସ୍ୱାଭିମାନ ଓ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେଉଥିବା ଅତିଥିବୃନ୍ଦ ନିଜ ନିଜର ବକ୍ତବ୍ୟରେ ଦର୍ଶାଇଥିଲେ।

Leave A Reply

Your email address will not be published.