Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର, ୨୦/୧୦ (କୃଷ୍ଣ କୁମାର ମହାନ୍ତି): ‘ମୋ ମାଆ ହିଁ ଦୁର୍ଗା ମାଆ’—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ରେମୁଣା ନବମାତୃକା ପୂଜା କମିଟି ପକ୍ଷରୁ ଆୟୋଜିତ ଦ୍ୱାଦଶତମ ଅଭିନବ ନବମାତୃକା ପୂଜା ମହାନବମୀ ତିଥିରେ ସ୍ଥାନୀୟ ଗୌରୀଶଙ୍କର କଲ୍ୟାଣ ମଣ୍ଡପରେ ସମ୍ପନ୍ନ ହୋଇଯାଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ନଅ ଜଣ ମହୀୟସୀ ମହିଳାଙ୍କୁ ମାତୃଶକ୍ତିର ପ୍ରତୀକ ଭାବେ ପୂଜାର୍ଚ୍ଚନା ଓ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଚଳିତବର୍ଷ ରେମୁଣା ନିର୍ବାଚନମଣ୍ଡଳୀର ୩୬ ନମ୍ବର ଜୋନ୍ରୁ ଏହି ନଅ ଜଣ ମହିଳାଙ୍କୁ ଚୟନ କରାଯାଇଥିଲା।
କମିଟିର ସଭାପତି ଡ. ଭାଗବତ ପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିପିନ ମାରାଣ୍ଡି, ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. କଳ୍ପନା ପଟ୍ଟନାୟକ, ରେମୁଣା କଲେଜର ଅଧ୍ୟାପିକା ଜୟନ୍ତୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅଭିମନ୍ୟୁ ଧିଣ୍ଡା, ଶିକ୍ଷାବିତ୍ ଡ. ଶ୍ୟାମସୁନ୍ଦର ପଣ୍ଡା, ଅନନ୍ତ ଚରଣ ପୋଥାଳ, ଯୋଗେନ୍ଦ୍ର ନାଥ ସିଂହ ଓ ଡ. ସମର ବଲ୍ଲଭ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ନାମସଂକୀର୍ତ୍ତନ, ଶଙ୍ଖଧ୍ୱନି, ହୁଳହୁଳି, ଘଣ୍ଟା, ଖୋଳ ଓ କରତାଳର ମଙ୍ଗଳମୟ ପରିବେଶ ମଧ୍ୟରେ ନଅ ଜଣ ମାଆଙ୍କୁ ମଣ୍ଡପକୁ ସ୍ୱାଗତ କରାଯାଇଥିଲା। କମିଟିର ସମ୍ପାଦକ ଶିଳ୍ପୀ କେଶୁ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ବିଦ୍ୟାଶ୍ରୀ ସେନାପତି ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ବିକର୍ତ୍ତନ ନାୟକ, ସତ୍ୟଭାମା ମୁଦୁଲି, ସୂର୍ଯ୍ୟନାରାୟଣ ମହାରଣା, ହୀରାଲାଲ ପାକଳ ଓ ଜଗଦାନନ୍ଦ ଖଟୁଆ ମାତୃବନ୍ଦନା ଗାନ କରିଥିଲେ।
ଏହି ଅଭିନବ ପୂଜାରେ ନଅଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ମହିଳାଙ୍କୁ ନଅ ମାତୃସ୍ୱରୂପା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ—କାରିଗରୀ ମାଆ ବିଳାସିନୀ ମହୁରିଆ, ଯୋଗ ମାଆ ରଜନୀରାଣୀ ବେହେରା, ପ୍ରେରଣାଦାୟୀ ମାଆ ଅଳ୍ପନା ଦେ, ସୁଗୃହିଣୀ ମାଆ ମାଗୁଣୀ ବେହେରା, କରୁଣାମୟୀ ମାଆ ନିଶାମଣି ଦାସ ମଙ୍ଗରାଜ, ପାଠ ମାଆ ସୁଲୋଚନା ଦାସ, ଆଧ୍ୟାତ୍ମିକ ମାଆ ସୁବାସିନୀ ପଣ୍ଡା, ପ୍ରକୃତି ମାଆ ନୟନା ସିଂହ ଓ ଚାଷୀ ମାଆ ସରସ୍ୱତୀ ମହାର୍ଣ୍ଣା।
ପୂଜାବିଧି ଅନୁଯାୟୀ ଶିଳ୍ପୀ କେଶୁ ଦାସ ଓ କନକଲତା ଦାସ ମାଆମାନଙ୍କ ପାଦ ପ୍ରକ୍ଷାଳନ କରିଥିବା ବେଳେ ଅର୍ପିତା ଦାସ ଓ ଶୈଳବାଳା ବେହେରା ଅଙ୍ଗପ୍ରସାଧନ କରିଥିଲେ। ପ୍ରଭାକର ସାହୁ ଓ କୁମୁଦିନୀ ସାହୁ ମାଲ୍ୟାର୍ପଣ କରିଥିଲେ। ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ଗିରିଶ କୁମାର ଷଡ଼ଙ୍ଗୀ ଓ ସୁକାନ୍ତି ପାଣିଗ୍ରାହୀ ଅଳଙ୍କାର, ସୁନାମଣି ଜେନା ମିଷ୍ଟାନ୍ନ, ରାଧାରଞ୍ଜନ ଦାସ ଡଲା, ବୃନ୍ଦାବନ ବେହେରା ଓ ମାନସୀରାଣୀ ବେହେରା ଫଳ, ପ୍ରଦୀପ ଗିରି ଓ ମିନତି ଗିରି ଉତ୍ତରୀୟ ଏବଂ ମିନତୀ ଦାସ ଓ ସୀତାରାମ ଦାସ ଗୋପୀନାଥଙ୍କ ଅମୃତ କେଳି ଅର୍ପଣ କରିଥିଲେ। ରାଜେନ୍ଦ୍ର କୁମାର ରାଉତ ପ୍ରଣାମୀ ପ୍ରଦାନ କରିଥିଲେ। ଏହାପରେ ନଅ ଜଣ ମହିଳାଙ୍କ ଦ୍ୱାରା ସମୂହ ଆଳତି କରାଯାଇଥିଲା।
କମିଟିର ସଦସ୍ୟ ଜଳଧର ଦାସ, ଦୁଷ୍ମନ୍ତ ଦାସ, ବସନ୍ତ ପ୍ରଧାନ, ଗୋପବନ୍ଧୁ ଗିରି, ଡ. ରତ୍ନାକର ସିଂହ, ମଧୁସୂଦନ ମାଝୀ ଓ ଦିବ୍ୟଲୋଚନ ମହାପାତ୍ର ପ୍ରମୁଖ ବୃକ୍ଷ, ଶ୍ରୀଫଳ, ପନିପରିବା, ପୁସ୍ତକ, ବିଛଣା ଚାଦର ଓ ଉପଢ଼ୌକନ ଆଦି ଉପହାର ନୈବେଦ୍ୟ ସ୍ୱରୂପ ପ୍ରଦାନ କରିଥିଲେ। କମିଟିର ଷ୍ଟାଲିନ ମିଶ୍ର, ବାସନ୍ତୀ ଦାସ ଓ ଅସିତ ଦାସ ମଙ୍ଗରାଜ ମାନପତ୍ର ପାଠ କରିଥିଲେ।
ସମାରୋହରେ ସତ୍ୟନାରାୟଣ ପାକଳ, ବିଶ୍ୱଜିତ ଘୋଷ, ଗୌରାଙ୍ଗ ପଢ଼ିଆରୀ, ଶିରୀଶ ଷଡ଼ଙ୍ଗୀ, ଅବନୀକାନ୍ତ ପ୍ରଧାନ, ଇଂ. ବି. ସୌମ୍ୟ ସୌମିତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ଶେଷରେ ଗିରିଶ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ପାରମ୍ପରିକ ଦେବୀ ଉପାସନା ସହ ସମାଜ ଗଠନରେ ମହିଳାଙ୍କ ବହୁମୁଖୀ ଅବଦାନକୁ ସମ୍ମାନ ଜଣାଇବାର ଏହି ଅଭିନବ ପ୍ରୟାସ ନବମାତୃକା ପୂଜାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
Comments are closed.