ବାଲେଶ୍ୱର, ଅକ୍ଟୋବର ୧(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ଓ ଜନସାଧାରଣଙ୍କ ଆବଶ୍ୟକତା ନେଇ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ନିର୍ବାଚନମଣ୍ଡଳୀର ବିଭିନ୍ନ ପୂର୍ତ୍ତ ବିଭାଗୀୟ ସମସ୍ୟା, ଚାଲୁଥିବା ପ୍ରକଳ୍ପ ଓ ଆବଶ୍ୟକ ନୂତନ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ବାଲେଶ୍ୱର ସଦରରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ରାସ୍ତା, ସେତୁ, ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କଠାରୁ ତଥ୍ୟ ନିଆଯାଇଥିଲା। ବିଭିନ୍ନ କାରଣରୁ ବିଳମ୍ବିତ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକ ସମନ୍ୱୟ ମାଧ୍ୟମରେ ଶୀଘ୍ର ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବର୍ଷା କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି
ଚଳିତ ବର୍ଷର ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସଦରର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଏହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ବିଧାୟକ ମାନସ କୁମାର ଦତ୍ତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି, ଆବଶ୍ୟକ ସ୍ଥାନରେ ପୁନଃନିର୍ମାଣ ଏବଂ ଲୋକଙ୍କ ନିରାପଦ ଯାତାୟାତ ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ପୂର୍ତ୍ତ ମନ୍ତ୍ରୀ ବର୍ଷା ଯୋଗୁଁ ପ୍ରଭାବିତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇ ଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତ ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ନୂତନ ପ୍ରକଳ୍ପ ଓ ଉନ୍ନତ ଯୋଗାଯୋଗ ଉପରେ ଆଲୋଚନା
ବାଲେଶ୍ୱର ସଦରର ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ନୂତନ ପ୍ରକଳ୍ପ ଚିହ୍ନଟ, ରାସ୍ତାର ଉନ୍ନତିକରଣ, ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ବିଭିନ୍ନ ଅଞ୍ଚଳକୁ ଉନ୍ନତ ରାସ୍ତା ଯୋଗାଯୋଗରେ ସଂଯୋଗ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ସମସ୍ତ ଚାଲୁଥିବା ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ସହ ଆବଶ୍ୟକ ସ୍ଥାନରେ ନୂତନ ପ୍ରକଳ୍ପ ଚିହ୍ନଟ କରି ବାଲେଶ୍ୱର ସଦରର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ପୂର୍ତ୍ତ ବିଭାଗର ଇଆଇସି, ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୧ ଓ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।