ଭୁବନେଶ୍ୱରରେ ୫ମ ଜାତୀୟ ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ : ୨୦୦ରୁ ଊର୍ଦ୍ଧ୍ୱ କବି-ଲେଖକଙ୍କ ସମାଗମ

ଉନ୍ମୋଚିତ ହେଲା ୨୦ରୁ ଅଧିକ ପୁସ୍ତକ 

0
ଭୁବନେଶ୍ୱର, ୧/୧୦(କୃଷ୍ଣ କୁମାର ମହାନ୍ତି): ରାଜ୍ୟର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ସମାରୋହ ପକ୍ଷରୁ ଆୟୋଜିତ ଷଷ୍ଠ ବାର୍ଷିକ ଉତ୍ସବ ଓ ୫ମ ଜାତୀୟ ସାହିତ୍ୟ ମହୋତ୍ସବ ଦୁଇଦିନିଆ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ଭବନ ଓ ଗୀତଗୋବିନ୍ଦ ଭବନ ପରିସରରେ ଉଦ୍‌ଯାପିତ ହୋଇଯାଇଛି।ଏହି ମହୋତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଓ ନେପାଳରୁ ୨୦୦ରୁ ଊର୍ଦ୍ଧ୍ୱ କବି, ଲେଖକ ଓ ସାହିତ୍ୟିକ ଯୋଗ ଦେଇଥିଲେ।
ବିଶିଷ୍ଟ କବି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, କବି ଓ ରାଜନେତା ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁମ୍ବାଇର ପ୍ରଫେସର ଅଶ୍ୱିନୀ କୁମାର, ଦିଲ୍ଲୀର ପ୍ରଫେସର ଡ. ନରେନ୍ଦ୍ର ପୁଣ୍ଡରୀକ, ହାଇଦ୍ରାବାଦର ପ୍ରଫେସର ଡ. ସୁରେନ୍ଦ୍ର ନାଗରାଜ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ତଥା ଜାତୀୟ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଡ. ଫନୀ ମହାନ୍ତି ଏବଂ ସାହିତ୍ୟ ସଂସ୍କୃତି ସମାରୋହର ସଭାପତି ଇଂ. ଗୌରଚନ୍ଦ୍ର ମହାପାତ୍ର ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବର ଉଦ୍‌ଘାଟନ କରିଥିଲେ।
ଜାତୀୟ ସାହିତ୍ୟ ମହୋତ୍ସବର ସମ୍ପାଦକ ଡ. ସତ୍ୟବ୍ରତ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ପ୍ରଣବ ଛୋଟରାୟ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ।
ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ପୁସ୍ତକ ଉନ୍ମୋଚନ। ଅନୁଷ୍ଠାନର ମୁଖପତ୍ର ‘ଶବ୍ଦବ୍ରହ୍ମ’ ଓ ‘ବାତାୟନ’ ସହିତ ବିଶିଷ୍ଟ ଓଡ଼ିଆ କବିମାନଙ୍କର ଆସାମୀ, ହିନ୍ଦୀ, ତେଲୁଗୁ ଓ ବଙ୍ଗଳା ଭାଷାରେ ଅନୂଦିତ ୧୫ରୁ ଅଧିକ କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦୁଇଦିନ ମଧ୍ୟରେ ମୋଟ ୨୦ରୁ ଅଧିକ ପୁସ୍ତକ ପାଠକଙ୍କ ପାଇଁ ଉନ୍ମୋଚିତ ହୋଇଥିଲା।
ମହୋତ୍ସବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଆସାମ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ନେପାଳରୁ ୪୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ କବି ଓ ଲେଖକ ଯୋଗଦେଇଥିଲେ। ଏଥିସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଯୋଗଦେଇ ଏକ ବହୁଭାଷୀ କବି ସମ୍ମିଳନୀ ଓ କବିତା ଆସରରେ ନିଜ ନିଜ ମାତୃଭାଷାରେ କବିତା ପାଠ କରିଥିଲେ। ଏହା ମାଧ୍ୟମରେ ଭାରତୀୟ ଭାଷା ଓ ସାହିତ୍ୟର ବିବିଧତାର ଏକ ମନୋଜ୍ଞ ଚିତ୍ର ପ୍ରତିଫଳିତ ହୋଇଥିଲା।
ଏହି ଅବସରରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସମକାଳୀନ ସାହିତ୍ୟର ଧାରା, ଅନୁବାଦ ସାହିତ୍ୟ ଏବଂ ଭାରତୀୟ ସାହିତ୍ୟର ବର୍ତ୍ତମାନର ଆହ୍ୱାନ ଉପରେ ସାହିତ୍ୟିକମାନେ ମତବିନିମୟ କରିଥିଲେ।
ଦ୍ୱିତୀୟ ଦିବସରେ ଅନୁଷ୍ଠାନର ମହିଳା ସଦସ୍ୟାମାନେ ‘ନାରୀ ସର୍ବଂ ସହା’ ଶୀର୍ଷକରେ କବିତା ପାଠ କରିଥିଲେ। ନାରୀଶକ୍ତିକୁ କେନ୍ଦ୍ର କରି ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନ ଦୁର୍ଗାପୂଜାର ଭାବଧାରା ସହ ସମନ୍ୱିତ ହୋଇଥିଲା।
ଏହି ଅବସରରେ ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ କବି ଓ ସାହିତ୍ୟିକଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାରୀ କବିମାନଙ୍କୁ ଉତ୍ତରୀୟ ଓ ଜାତୀୟ ସାହିତ୍ୟ ମହୋତ୍ସବର ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ପ୍ରସନ୍ନ ପାଟ୍ଟଶାଣୀ, ଡ. ପ୍ରଫୁଲ୍ଲ ମହାନ୍ତି ଓ ପ୍ରଫେସର ସୁଧୀର ଯୋଶୀ ପ୍ରମୁଖ ଅତିଥି ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ମହୋତ୍ସବରେ ପ୍ରଫେସର ସୁବୋଧ ସରକାର, ଶ୍ୟାମଳୀ ସେନଗୁପ୍ତ, ବିତସ୍ତା ଘୋଷାଲ, ବିପ୍ଳବ ଗଙ୍ଗୋପାଧ୍ୟାୟ, ସୁତପା ସାହା, ଉଦୟ ଥୁଲୁଙ୍ଗ ଓ ଅର୍ଚ୍ଚନା (ନେପାଳ), ମୈଥିଳୀ କବି ପ୍ରଦୀପ ବିହାରୀ, ଡ. ବର୍ଣ୍ଣାଳୀ ଶର୍ମା, ରାଜୀବ କୁମାର ଫୁକନ, ଅଭିଜିତ ଗୋଗୋଇ, ସଞ୍ଜୟ ବୋରୁଦେ, ଅମ୍ରିତା ବେରା, ଚାଣକ୍ୟ ଚିରାଙ୍ଗ, ମୋନି ଜ୍ୟୋତି ମୋରାନ, ଅନିନ୍ଦିତା ହଜାରିକା ପ୍ରମୁଖ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ।
ଶେଷରେ ଅନୁଷ୍ଠାନର ଉପସଭାପତି ଇଂ. ଯାମିନୀ କାନ୍ତ ଦାସ ଓ ଇଂ. ସରୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବହୁଭାଷୀ କବିତା, ଅନୁବାଦ, ଆଲୋଚନା ଓ ପୁସ୍ତକ ଉନ୍ମୋଚନକୁ ନେଇ ଆୟୋଜିତ ଏହି ମହୋତ୍ସବ ଓଡ଼ିଶାରେ ଜାତୀୟ ସାହିତ୍ୟିକ ସଂହତିର ଏକ ଉଲ୍ଲେଖନୀୟ ମଞ୍ଚ ଭାବେ ପରିଗଣିତ ହୋଇଛି।
Leave A Reply

Your email address will not be published.