ବାଲେଶ୍ଵରର ବ୍ଲୁ ଲେକ୍ ପାଲଟିଲା ନିଷିଦ୍ଧାଞ୍ଚଳ

•ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗିଲା ୧୬୩ ଧାରା, ବିପଦପୂର୍ଣ୍ଣ ସ୍ଥାନ ବୋଲି ଲାଗିଲା ସୂଚନାଫଳକ

0
ବାଲେଶ୍ଵର, ୨୪/୮ (କୃଷ୍ଣ କୁମାର ମହାନ୍ତି): ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁ ପରେ ଶେଷରେ ଚେତିଲା ପ୍ରଶାସନ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ମିତ୍ରପୁର ମଛୁଆ ପଞ୍ଚାୟତ ଅନ୍ତର୍ଗତ ବ୍ଲୁ ଲେକ୍‌କୁ ଏବେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଧାରା ୧୬୩ ଜାରି କରାଯିବା ସହ ଏହା ଏକ ବିପଦପୂର୍ଣ୍ଣ ସ୍ଥାନ ବୋଲି ଦର୍ଶାଇ ସୂଚନାଫଳକ ଲଗାଯାଇଛି। ବ୍ଲୁ ଲେକ୍‌ ଚାରିପଟେ ତାରବାଡ଼ ଲଗାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ଉଲ୍ଲେଖଯୋଗ୍ୟ, ବ୍ଲୁ ଲେକ୍‌ରେ ଗାଧୋଇବା ବେଳେ ରବିବାର ଦୁଇ କଲେଜ ଛାତ୍ର ବୁଡ଼ି ଯାଇଥିଲେ। ମୃତକ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ତକତପୁର ଗ୍ରାମର ଭବିଷ୍ୟ (୧୬) ଏବଂ ଭଦ୍ରକ ଟାଉନ୍‌ ଥାନା ଅନ୍ତର୍ଗତ ସୁଗୋ ଗ୍ରାମର ଅଂଶୁମାନ (୧୬)। ରବିବାର ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ସୋମବାର ସକାଳେ ସ୍କୁବା ଡାଇଭର୍‌ମାନଙ୍କୁ ନେଇ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଉଭୟ ଛାତ୍ରଙ୍କ ମୃତଦେହ ଠାବ କରାଯାଇ କୂଳକୁ ଅଣାଯାଇଥିଲା।
ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ବିଡିଓ ବିକ୍ରମ କେଶରୀ ପରିଡ଼ାଙ୍କ ସମେତ ମୃତକଙ୍କ ପରିବାରବର୍ଗ ଓ ଶତାଧିକ ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ଘଟଣା ପରେ ମୃତ ଅଂଶୁମାନଙ୍କ ମାଆ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ହାତଯୋଡ଼ି ଆଉ କାହାର ଜୀବନ ନଯାଉ ବୋଲି ନିବେଦନ କରିଥିଲେ। ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବବିହ୍ବଳ କରିଥିଲା। ବ୍ଲୁ ଲେକ୍‌ ଚାରିପଟେ ତାରବାଡ଼ ଲଗାଇବା ପାଇଁ ସାଂସଦ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଧାରା ୧୬୩ ଜାରି କରିବା ସହ ସତର୍କତାମୂଳକ ସୂଚନାଫଳକ ଲଗାଇଛନ୍ତି।
ସୂଚନାଯୋଗ୍ୟ, ବେଆଇନ ଖଣି ଖନନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଜଳାଶୟକୁ ‘ବ୍ଲୁ ଲେକ୍‌’ ନାମ ଦେଇ ଏକ ମନୋରମ ସ୍ଥାନ ଭାବେ ପ୍ରଚାର କରାଯାଉଥିବାରୁ ପ୍ରତିଦିନ ଶହଶହ ଲୋକ ଏଠାକୁ ଆସୁଥିଲେ। ହେଲେ ଏହାର ଗଭୀରତା ଓ ବିପଦପୂର୍ଣ୍ଣ ସ୍ଥିତି ସମ୍ପର୍କରେ ପର୍ଯ୍ୟାପ୍ତ ସଚେତନତା ନଥିବାରୁ ବାରମ୍ବାର ଅଘଟଣ ଘଟୁଥିଲା। ୨୦୧୮ରୁ ୨୦୨୬ ମଧ୍ୟରେ ବ୍ଲୁ ଲେକ୍‌ରେ ବୁଡ଼ି ୧୭ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ଧାରା ୧୬୩ ଜାରି ହେବା ଘଟଣା ଏହି ବିପଦପୂର୍ଣ୍ଣ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
Leave A Reply

Your email address will not be published.