ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର କର୍ମ ଯାତ୍ରା ପାଇଁ ସମ୍ମାନିତ ହେଲେ ସର୍ବେଶ୍ୱର ଜେନା

0
ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର ନିରନ୍ତର କର୍ମଯାତ୍ରା ପାଇଁ ସର୍ବେଶ୍ୱର ଜେନାଙ୍କୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ସମାରୋହରେ ସମ୍ମାନିତ କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।
ସମାରୋହରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଉପଜିଲ୍ଲାପାଳ ଶିବ ମାଲଭିୟ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକଙ୍କ ସମେତ ବହୁ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ବାଲିଆପାଳ ବ୍ଲକର ଜମ୍ଭୀରାଇ ଗ୍ରାମର ଏକ ସାଧାରଣ ପରିବାରରୁ ଆସିଥିବା ସର୍ବେଶ୍ୱର ଜେନା ସାମ୍ବାଦିକତାରୁ ନିଜ କର୍ମଜୀବନ ଆରମ୍ଭ କରି ବାଲେଶ୍ୱର ଓ ଭୁବନେଶ୍ୱରରେ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ସହଧର୍ମିଣୀ ସତ୍ୟଭାମା ଜେନାଙ୍କ ପ୍ରେରଣାରେ ସେ ଲୋକଙ୍କ ସମସ୍ୟା, ସାମାଜିକ ପ୍ରସଙ୍ଗ ଓ ଅବହେଳିତ ପ୍ରତିଭାଙ୍କ ପାଇଁ କାମ କରିବାକୁ ନିଜକୁ ଅଧିକ ଭାବେ ନିୟୋଜିତ କରିଥିଲେ।
୨୦୧୧ରେ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ସମୟର ଚକ୍ର’ ମାସିକ ପତ୍ରିକା ମାଧ୍ୟମରେ ସମ୍ବାଦ ସହିତ ସାହିତ୍ୟ, କଳା, ସଂସ୍କୃତି ଓ ସାମାଜିକ ସଚେତନତାକୁ ସେ ପାଠକଙ୍କ ନିକଟରେ ପହଞ୍ଚାଇ ଆସୁଛନ୍ତି। ଅନେକ ନୂଆ ଲେଖକ, କଳାକାର ଓ ପ୍ରତିଭାଙ୍କୁ ମଞ୍ଚ ଦେବାରେ ମଧ୍ୟ ପତ୍ରିକାଟି ଭୂମିକା ନେଇଛି।
ସାମ୍ବାଦିକତା ସହିତ ବୃକ୍ଷରୋପଣ, ପରିବେଶ ସୁରକ୍ଷା, ରକ୍ତଦାନ, କମ୍ବଳ ବଣ୍ଟନ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ସେ ସକ୍ରିୟ ରହିଛନ୍ତି। ୨୦୨୪ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ପ୍ରକୃତି ମିତ୍ର’ ପୁରସ୍କାର ପାଇବା ତାଙ୍କ ପରିବେଶମୁଖୀ କାର୍ଯ୍ୟର ଏକ ଉଲ୍ଲେଖନୀୟ ସ୍ୱୀକୃତି।
ଦୀର୍ଘ ଦୁଇ ଦଶନ୍ଧିର ଏହି କର୍ମଯାତ୍ରାରେ ସେ ୫୦ରୁ ଊର୍ଦ୍ଧ୍ୱ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ଉଲ୍ଲେଖଯୋଗ୍ୟ। ତେବେ ସମ୍ମାନ ଅପେକ୍ଷା ଲୋକଙ୍କ ପାଇଁ କାମ କରିବାକୁ ସେ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି। ସୀମିତ ସମ୍ବଳ ମଧ୍ୟରେ ଦୃଢ଼ ଇଚ୍ଛାଶକ୍ତି, ସଂଗଠନ କ୍ଷମତା ଓ ମାନବିକତାକୁ ପାଥେୟ କରି ସର୍ବେଶ୍ୱର ଜେନାଙ୍କ ଏହି ଦୀର୍ଘ କର୍ମଯାତ୍ରା ପ୍ରମାଣ କରିଛି ଯେ ସମାଜସେବାର ପ୍ରକୃତ ପୁଞ୍ଜି ଅର୍ଥ ନୁହେଁ, ଇଚ୍ଛାଶକ୍ତି ଓ ମାନବିକତା।
Leave A Reply

Your email address will not be published.