ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓର୍‌ସାକ୍‌ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି । ଆବଶ୍ୟକ ସ୍ଥଳେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରାଜସ୍ୱ ସଞ୍ଚୟ କରାଯାଇ ପାରୁଛି। ଖାଲି ସେତିକି ନୁହେଁ, ରାଜ୍ୟର ଷ୍ଟାର୍ଟଅପ୍‌ରୁ ଉତ୍ପାଦିତ ଡ୍ରୋନ୍‌ ଭଳି ବିଭିନ୍ନ ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।

ରାଜ୍ୟର ବୈଜ୍ଞାନିକମାନେ ଭବିଷ୍ୟତରେ ଏ କ୍ଷେତ୍ରରେ କାର୍ଯ୍ୟ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏକ ବିଜ୍ଞାନ ଭବନ ଓ ଓରସାକର ନୂତନ କୋଠା ନିର୍ମାଣ ସହ ଜିଆଇଏସ ଲ୍ୟାବ ପ୍ରତିଷ୍ଠା ହେବା ନେଇ ଶ୍ରୀ ପାତ୍ର କହିଥିଲେ । ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ନିକଟରେ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରଙ୍କ ସହ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି ।

ଏହି ଅବସରରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ ଯୋଗଦେଇ କହିଲେ ଯେ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି ହାସଲ କରିଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼, ଗଞ୍ଜାମ, ବଲାଙ୍ଗିର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା କରାଯାଇଛି। ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ବୁଲି ମହାକାଶ ଓ ଗ୍ରହନକ୍ଷତ୍ର ସଂପର୍କରେ ଅଧିକ ଜାଣିବାକୁ ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବିଷୟବସ୍ତୁ ଉପରେ ଜିଜ୍ଞାସା ରଖିବା ଉଚିତ ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ସିଏସ୍‌ଆଇଆର୍‌ର ପ୍ରଫେସର ଶିଶିର ପଣ୍ଡା ନିଜର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟିତ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ନିଜର ଅଭିଜ୍ଞତା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଭାବିବିନିମୟ କରିଥିଲେ ।

ସେହିଭଳି ଓର୍‌ସାକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରର କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ। ଭୂତଳ ଜଳ ସୁରକ୍ଷା ସଂପର୍କିତ ଆଟ୍‌ଲାସ୍‌, ନିରନ୍ତର ବିକାଶ ଲକ୍ଷ୍ୟ ଓ ଓର୍‌ସାକ୍‌ ଶିକ୍ଷାନବିଶ ପୋର୍ଟାଲ ଏବଂ ଓରସାକ ପ୍ରକଳ୍ପ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବା ସହ ବିଭିନ୍ନ ଷ୍ଟାର୍ଟଅପ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.