ଗଜପତି,୨୦.୮(ମନୋଜ ପାଢ଼ୀ) :-ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାରଳାଖେମୁଣ୍ଡି, ରା.ଉଦୟଗିରି, ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଣ ଥିବା ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ, ସମାଧାନ ଯୋଗ୍ୟ ଟ୍ରାଫିକ୍ ଚାଲାଣ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ, ଲୋକସେବା ସମ୍ବନ୍ଧୀୟ ମାମଲା, ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ପାରିବାରିକ ବିବାଦ, ଜମି ଅଗ୍ରହଣ, ଚାକିରି ସମ୍ୱନ୍ଧୀୟ (ପେନସନ), ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ । ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡିବ ନାହିଁ ।ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ ବୋଲି ଗ୍ରହଣୀୟ ହେବ। ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ବିଶେଷ ସୁଯୋଗ । ସବିଶେଷ ବିବରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ପାରଳାଖେମୁଣ୍ଡି, ରା.ଉଦୟଗିରି ଓ ମୋହନା କୋର୍ଟ ପରିସରରେ ଥିବା ତାଲୁକା ଆଇନ୍ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗଯୋଗ କରିବା ପାଇଁ ଜିଲ୍ଲା ନ୍ୟାୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।