୩୧ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ସୁରକ୍ଷା ତଥା ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ଏହି ବୀମା ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଅବଧିରେ ଫସଲ ବୀମା ପଞ୍ଜୀକରଣ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲାରେ କେବଳ ଋଣୀ ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ। ମାତ୍ର ଅବଶିଷ୍ଟ ଜିଲାଗୁଡ଼ିକରେ ଅନ୍ୟ ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ବୀମା ପଞ୍ଜୀକରଣ ଉପଲବ୍ଧ ହେବ। ୨୦୨୬ ମସିହାର ଖରିଫ ଋତୁ ପାଇଁ ବିଜ୍ଞାପିତ ଅଞ୍ଚଳ ଓ ବିଜ୍ଞାପିତ ଫସଲ ଅନୁଯାୟୀ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଏବଂ ହଳଦୀ ଭଳି ଫସଲଗୁଡ଼ିକୁ ବୀମା ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ସମସ୍ତ ଯୋଗ୍ୟ ଋଣୀ, ଅଣ-ଋଣୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେ। ଓଡ଼ିଶାର ଚାଷୀମାନେ ସର୍ବାଧିକ ୫ ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ପାଇପାରିବେ। ବ୍ୟାଙ୍କ ଖାତା ଯାଞ୍ଚ ବାବଦକୁ ପ୍ଲଟ୍ ପିଛା ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଶି ରାଜ୍ୟ ସରକାର ବହନ କରୁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ରିଆତି ସହାୟତା ଯୋଗାଇ ଦିଆଯାଉଛି ଋଣୀ ଚାଷୀମାନେ ପାକ୍ସ, ଲାମ୍ପ୍ସ ଏବଂ ସମ୍ପୃକ୍ତ ବ୍ୟାଙ୍କ ଶାଖା ମାଧ୍ୟମରେ ପଞ୍ଜୀକରଣ କରିବାକୁ ଥିବା ବେଳେ ଅଣ-ଋଣୀ ଚାଷୀମାନେ ଜନସେବା କେନ୍ଦ୍ର, ସମବାୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଶାଖା, ବୀମା ପ୍ରତିନିଧି ଏବଂ ଅନୁମୋଦିତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଭାଗଚାଷୀମାନେ ନିଜେ ଚାଷ କରୁଥିବା ଜମିର ମାଲିକଙ୍କ ସ୍ୱୀକାରୋକ୍ତି ଓ ସମ୍ମତି ସହିତ ଆବଶ୍ୟକ ତଥ୍ୟ ପ୍ରଦାନ କରି ପଞ୍ଜୀକରଣ କରିପାରିବେ।

Leave A Reply

Your email address will not be published.