ବର୍ବର ହତ୍ୟାକାଣ୍ଡ: ଅଧାଗଢ଼ା ପ୍ରଧାନମନ୍ତ୍ରୀ ଆବାସ ଭିତରୁ ବାପା-ମାଆ ଛେଉଣ୍ଡ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

0

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡ଼ମବେଡ଼ା ପଞ୍ଚାୟତ ବାଢୁଣିଆ କଲୋନୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଅଧାଗଢ଼ା ପ୍ରଧାନମନ୍ତ୍ରୀ ଆବାସ ଘର ଭିତରୁ ଜଣେ ୪୦ ବର୍ଷୀୟ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ସ୍ୱର୍ଗତ ବାସୁଦେବ ପଟେଲଙ୍କ ପୁଅ ଶିରିଶ ପଟେଲ (ମାଳି)।

ସୂଚନା ଅନୁଯାୟୀ, ବାପା-ମାଆ ଛେଉଣ୍ଡ ଶିରିଶଙ୍କର ନିଜର କୌଣସି ବାସଗୃହ ନଥିଲା। ସେ ଗାଁରେ ଏଣେତେଣେ ଆଶ୍ରୟ ନେଇ ରାତ୍ରିଯାପନ କରୁଥିଲେ। ସୋମବାର ରାତିରେ ସେ ଗାଁର ଅନ୍ୟ ଜଣଙ୍କର ଏକ ଅଧାଗଢ଼ା ପ୍ରଧାନମନ୍ତ୍ରୀ ଆବାସ ଘରେ ଶୋଇଥିଲେ। ଏହି ସମୟରେ କୌଣସି କାରଣରୁ କେହି ଦୁର୍ବୃତ୍ତ ପଥରରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।

ମଙ୍ଗଳବାର ସକାଳେ ଗ୍ରାମବାସୀ ଏହି ବିଷୟରେ ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଶୋଇ ଥାନା ଅଧିକାରିଣୀ ସୁବର୍ଣ୍ଣ ବେହେରା, ରାଇରଙ୍ଗପୁର ଆରକ୍ଷୀ ଅଧିକାରୀ ସୁରେଶ ଚନ୍ଦ୍ର ପାତ୍ର ଏବଂ ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ସମେତ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିଶୋଇ ଥାନାରେ କେସ୍ ନଂ ୧୭୮/୨୬ (ଧାରା BNS ୧୦୩(୧)) ରୁଜୁ କରିଛି। ଗାଁର ଜଣେ ନିରୀହ ତଥା ପରୋପକାରୀ ଯୁବକଙ୍କ ଏପରି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଏବଂ ଶୋକ ପ୍ରକାଶ ପାଇଛି। ଦୋଷୀକୁ ଶୀଘ୍ର ଗିରଫ କରିବାକୁ ଦାବି ହେଉଛି।

Leave A Reply

Your email address will not be published.