ବନ୍ୟା ସ୍ଥିତି ସମୀକ୍ଷା ନିମନ୍ତେ ବିଜେଡି ରାଜ୍ୟ ଉପସଭାପତି ସଞ୍ଜୟ ଦାସବର୍ମାଙ୍କ ଦୁଇଦିନିଆ ବାଲେଶ୍ଵର ଗସ୍ତ: ସାମ୍ବାଦିକ ସମ୍ମିଳନୀରେ  ବର୍ଷିଲା ବିଜେଡି

• ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ବାଲେଶ୍ଵର ଜିଲ୍ଲାର ଦାୟିତ୍ୱ ନିଅନ୍ତୁ, କହିଲେ ଦାସବର୍ମା  • ଦିନତମାମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଲେ ବିଜେଡି ନେତା

0
ବାଲେଶ୍ଵର, ୧୯|୦୮(କୃଷ୍ଣ କୁମାର ମହାନ୍ତି): ବିଜୁ ଜନତା ଦଳ ବାଲେଶ୍ଵର ଜିଲ୍ଲା ପକ୍ଷରୁ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ବନ୍ୟା ସ୍ଥିତି ସମୀକ୍ଷା ନିମନ୍ତେ ଦୁଇ ଦିନିଆ ଗସ୍ତରେ ଆସିଥିବା ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା ଯୋଗ ଦେଇ ସରକାରଙ୍କ ବନ୍ୟା ସ୍ଥିତି ପରିଚାଳନା ଉପରେ ବର୍ଷିଥିଲେ। ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, କାଂଶବାଂଶ ଆଦି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାର ବନ୍ୟା କ୍ଷୟକ୍ଷତି ଆକଳନ, ଆଶୁ ସହାୟତା ଓ ବନ୍ୟା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିବା ସହ ନାନା ଦାବି ରଖିଥିଲେ।
ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା ଶ୍ରୀ ଦାସ ବର୍ମା ବୁଧବାର ଓ ଗୁରୁବାର ଦୁଇ ଦିନିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନତମାମ ଜିଲ୍ଲାର ଭୋଗରାଇ ଓ ବସ୍ତା ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରଭାବିତ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ରିଲିଫ ଓ ଥଇଥାନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ ବନ୍ୟା ବିପନ୍ନ, ଚାଷୀ, ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।
ପରେ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗ୍ରାଉଣ୍ଡ ଜିରୋ ସ୍ଥିତି ବଖାଣିବା ସହ ବିଜେପି ଉପରେ ବର୍ଷିଥିଲେ। ବନ୍ୟାରେ ୧୨ ଦିନ ବିତିଥିଲେ ମଧ୍ୟ ଏଯାଏଁ ବହୁ ସ୍ଥାନରେ ଶୁଖିଲା ଖାଦ୍ୟ, ଚୁଡ଼ାଗୁଡ଼, ରନ୍ଧା ଖାଦ୍ୟ, ଗୋଖାଦ୍ୟ ଆଦି ମିଳି ପାରିନଥିବା ଲୋକଙ୍କ ଅଭିଯୋଗ ହେଉଥିବା ସେ ପ୍ରକାଶ କରିଥିଲେ। ସେହିପରି ଘର ଭାଙ୍ଗିଥିବା ଲୋକଙ୍କୁ ଖଣ୍ଡେ ପଲିଥିନ ମଧ୍ୟ ଦିଆଯାଇ ନଥିବା କହିଥିଲେ। ପ୍ରଥମ ଥର ତଳି ପୋତା ଓ ଦ୍ୱିତୀୟ ଥର ତଳି ପକା ସତ୍ତ୍ୱେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବାରୁ ଉଭୟ ଚାଷୀ ଓ ଭାଗଚାଷୀଙ୍କୁ ଆର୍ଥିକ ସହାୟତା ସହ କୃଷି ଋଣ ଛାଡ଼ ନେଇ ଦାବି କରିଥିଲେ। ବନ୍ୟାଞ୍ଚଳରେ ବୁଡି ରହିଥିବା ଉଠା ଜଳସେଚନ ପଏଣ୍ଟ ଓ ବିଦ୍ୟୁତ ଭିତ୍ତିଭୂମି ସଜଡା ଯାଉ। ବନ୍ୟା ଛାଡିବା ମାତ୍ରେ ରାସ୍ତାଘାଟ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଓ ପୋଲର ମରାମତି କରାଯାଉ। ସର୍ବୋପରି ବନ୍ୟା ତଥା ବାଲେଶ୍ଵର ସହରରେ ଉପୁଜୁଥିବା କୃତ୍ରିମ ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଡବଲ ଇଞ୍ଜିନ ସରକାର ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ନିଜେ ବାଲେଶ୍ଵର ଜିଲ୍ଲାର ବନ୍ୟା ସ୍ଥିତିର ସୁଧାର ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀ ଦାସ ବର୍ମା ଦୃଢ଼ ଦାବି କରିଥିଲେ।
ଅନ୍ୟାନ୍ୟ ଜିଲ୍ଲା ନେତୃତ୍ୱଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ସାଂସଦ ପ୍ରାର୍ଥୀନୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବାଲେଶ୍ଵର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଓ ସ୍ୱରୂପ କୁମାର ଦାସ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଟାଉନ ସଭାପତି ମନୋଜ କୁମାର ରାଉତ, ପୌର ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, କାଉନସିଲର କାର୍ତ୍ତିକ ସାହୁ, ଆୟୂବ ଖାଁ, ମୀନା ମହାନ୍ତି, ଶଶୀରେଖା ମହାନ୍ତି, ମୀତା ପଟ୍ଟନାୟକ, କବିତା ମୁର୍ମୁ, ସବିତା ରାଣୀ ଦାସ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ରମେଶ ମାଝୀ, ସେକ ସାକିର, ସେକ ରାଜୁ, ଅତୁଲ ଶତପଥୀ, ସୁବୋଧ ମହାନ୍ତି, ସେକ ଅନସର ଅଲ୍ଲୀ, ରୀତିକ ଜୀ, ଦେବାଶିଷ ଦାସ, ସୋନିଆ ମୁର୍ମୁ, ଜଗନ୍ନାଥ ମହାରଣା, ଯୁବନେତା ତାପସ ପାଣିଗ୍ରାହୀ, ଭରତ ଭୂଷଣ ଦାସ, ଉମାଶଙ୍କର ତିଆଡ଼ି, ସେକ ଆଲାମ, ଛାତ୍ରନେତା ହରେକୃଷ୍ଣ ପ୍ରଧାନ, ଲକସନ ପ୍ରଧାନ, ଆୟୂଷ ଜେନା, ଆୟୁଷ ପ୍ରଧାନ, ହରିଶ ଚନ୍ଦ୍ର ବେହେରା, ଜ୍ୟୋତିରଞ୍ଜନ ନାୟକ, ଗୋପାଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply

Your email address will not be published.