ଶିଶୁ କବିତା
ଦଶହରା ଛୁଟି
==========
ଆସରେ ପିଲେ ଆସରେ ଆସ
ଦଶରା ଛୁଟି ହେଲା l
ସମସ୍ତେ ମିଶି କରିବା ଗୋଟେ
ସୁନ୍ଦର ଶିଶୁ ମେଳା ll
ଆମରିଦେଶେ ତ୍ରେତୟା ଯୁଗେ
ପ୍ରଭୁ ଶ୍ରୀରାମ ଚନ୍ଦ୍ର l
ଲଙ୍କାକୁ ଯିବେ ସାଗର ବକ୍ଷେ
ବାନ୍ଧିଲେ ସେତୁବନ୍ଦ ll
ଗୁଣ୍ଡୁଚି ମୂଷା ଛୋଟିଆ ଜୀବ
ବାଲି ଝାଡ଼ିଲା ଯାଇ l
ପ୍ରଭୁ ଆଉଁସା ପାଞ୍ଚୋଟି ଗାର
ପିଠିରେ ଅଛି ରହି ll
ଏହି ଛୁଟିରେ ଆସରେ ପିଲେ
କରିବା କିଛି କାମ l
ଲୋକ ହିତରେ ଗୁଣ୍ଡୁଚି ପରା
ରଖିବା ଆମ ନାମ ll
କୋଡ଼ି କୋଦାଳ ଖଣତି ଧର
ଆଣିବା କାଟି ମାଟି l
ଗାଁଆଁ ସଡ଼କେ ଖାଲ ଖମାକୁ
ଦେବାରେ ସବୁ ପୋତି ll
ଚଲାଇ ଦେଇ ମାଟିକୁ ଆମେ
କରିବା ସମତୁଲ l
ସଭିଏଁ ଦେଖି ତାଟକା ହେବେ
କହିବେ ସବୁ ଭଲ ll
ପଥର ଧାରେ ଲଗାଇ ଦେବା
ଆଣି ଗଛର ଚାରା l
ବୃକ୍ଷ ଛାୟାରେ ବସିବେ ପାନ୍ଥ
ହେଲେ ଟାଣୁଆ ଖରା ll
ଜାଣ ତ ପିଲେ ଆମ ଆଦର୍ଶ
ଆମରି ମଧୁ ବାବୁ l
ଏପରି କାମ କଲେରେ ନିଶ୍ଚେ
ବଡ଼ ହୋଇବ ସବୁ ll
ଦଶରା ଛୁଟି ଦେବାରେ କାଟି
ଭୁଲିବା ନାହିଁ ପାଠ l
କହେ ମୁଁ ଅଜା ମାରରେ ମଜା
ହୁଅରେ ବଡ଼ ଚାଟ ll
ଦଶରା ପରେ ପସରା ମେଲି
ଆସିବ ଧାଇଁ ଶୀତ l
ଦୁଃଖ ହାରିଣୀ ବିଶ୍ୱ ଜନନୀ
ମାଆଙ୍କ ଗାଅ ଗୀତ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post