କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ କୁଡୁମୀ ସମାଜର ବିରୋଧ

ନିର୍ବାଚନ ଆସୁଥିବାରୁ ଅଯଥା ରାଜନୀତି କରାଯାଉଛି: ବିଶ୍ବେଶ୍ବର

ବାରିପଦା: କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ କୁଡୁମୀ ସମାଜ ଦାବି କରିଆସୁଛି। ଏହି ଦାବି ନେଇ ଗତ ୨୦ ତାରିଖ ଦିନ କୁଡୁମୀ ସମାଜ ପକ୍ଷରୁ ବାରିପଦା ଓ ରାଇରଙ୍ଗପୁରରେ ରେଳରୋକ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଆନ୍ଦୋଳନକାରୀ। ତେବେ ଆନ୍ଦୋଳନ ନକରି ବ୍ୟବସ୍ଥିତ ଢଙ୍ଗରେ, ସରକାରୀ ପ୍ରକିୟାରେ କୁଡୁମୀ ସମାଜ ନିଜ ଦାବି ଜଣାଉ। ଆନ୍ଦୋଳନ କରି କିଛି ଲାଭ ନାହିଁ। କୁଡୁମୀ ସମାଜକୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବା ପାଇଁ ଏକ ରାଜନୈତିକ ଦଳ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ୱର ଟୁଡ଼ୁ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ କୁଡୁମୀ ସମାଜର କର୍ମକର୍ତ୍ତା ବିରୋଧ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନର ନେତା ଚିତ୍ତରଂଜନ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, କୃପାସିନ୍ଧୁ ମହାନ୍ତ, ଅବନୀ ମହାନ୍ତ, ବସନ୍ତ କୁମାର ମହାନ୍ତ, ସେବତୀ ମହାନ୍ତ ଓ ସାଗରୀକା ମହାନ୍ତଙ୍କ ନେତୃତ୍ବରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିରେ ଶତାଧିକ କୁଡୁମୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଶ୍ରୀ ଟୁଡୁଙ୍କ କହିବା କଥା ହେଲା; ସେ କିଛି ବିବାଦୀୟ ମନ୍ତବ୍ୟ ଦେଇ ନାହାନ୍ତି। କୁଡୁମୀ ସମ୍ପ୍ରଦାୟ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଅଯଥା ରାଜନୀତି କରାଯାଉଛି। ଏଭଳି ନ କରିବାକୁ ସେ ଅନୁରୋଧ କରିବା ସହ କୁଡ଼ୁମୀ ସମ୍ପ୍ରଦାୟର ଦାବି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

Comments are closed.