ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

0

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସକୁ ନେଇ ସାରା ରାଜ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବ ସ୍ୱାଧୀନତା ଦିବସ ସମାରୋହ। ଏନେଇ ସରକାରଙ୍କ ପକ୍ଷରୁ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ସହ ମନ୍ତ୍ରୀମାନଙ୍କ ଦାୟିତ୍ୱ ବଣ୍ଟନ କରାଯାଇଛି।

ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ।

ସରକାରଙ୍କ ଦାୟିତ୍ୱ ବଣ୍ଟନ ଅନୁସାରେ କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିବେ।

ସେହିପରି କଟକରେ ସୁରେଶ ପୂଜାରୀ, ଅନୁଗୁଳରେ ରବି ନାରାୟଣ ନାଏକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାୟଗଡ଼ାରେ ମୁକେଶ ମହାଲିଙ୍ଗ ସମାରୋହରେ ଯୋଗଦେବେ।

ଅନ୍ୟପକ୍ଷରେ କନ୍ଧମାଳରେ ବିଭୂତି ଜେନା, ଖୋର୍ଦ୍ଧାରେ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ଗଣେଶ ରାମସିଂହ ଖୁଣ୍ଟିଆ ଏବଂ ବଲାଙ୍ଗୀରରେ ସୂର୍ଯ୍ୟବଂଶୀ ସୂରଜ ଜାତୀୟ ପତାକା ଉତ୍ତୋଳନ କରିବେ।

ସ୍ୱାଧୀନତା ଦିବସକୁ ନେଇ ଜିଲ୍ଲାସ୍ତରରେ ପରେଡ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଦେଶଭକ୍ତିମୂଳକ ଆୟୋଜନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ରାଜ୍ୟସ୍ତରୀୟ ସମାରୋହଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ହେବ ଓଡ଼ିଶା।

Leave A Reply

Your email address will not be published.