ଗଜପତି,11.8(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ସ୍ଥାନୀୟ ନଗର ଭବନଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ତଥା ଦୁରଦର୍ଶନ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ,ପଣ୍ଡିତ ରଘୁନାଥ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତ ପ୍ରମୁଖ ଯୋଗ ଦେଇଥିବା ବେଳେ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନର ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ସଙ୍ଗୀତ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏକାଧାରରେ ଜଣେ ସୁଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ବେଶ ପରିଚିତ ଥିଲେ। ୧୦ ଅଗଷ୍ଟ ୧୯୩୨ରେ ଗୁଣପୁର ନିକଟସ୍ଥ ଲିହୁରୀ ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ପିଲାଟି ବେଳରୁ ହିଁ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ବିଜୟନଗର ସଙ୍ଗୀତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଦ୍ବାରମ୍ ଭେଙ୍କଟସ୍ବାମୀ ନାଇଡୁ, ପଣ୍ଡିତ ନରସିଂହ ଶର୍ମା ଓ ପଣ୍ଡିତ ବିଶ୍ବନାଥ ଦାଶ ଭଳି ମହାନ ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ସେ କେବଳ ଓଡିଆ ନୁହେଁ, ତେଲୁଗୁ, ତାମିଲ, କନ୍ନଡ ଭାଷାର ଅନେକ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠଦାନ କରି ବେଶ ସୁନାମ ଅର୍ଜନ କରିଛନ୍ତି । ବିଶେଷ କରି ନିଜ ଶୈଳୀରେ ଗୀତ ଗୋବିନ୍ଦ ଗାୟନ କରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।ରଘୁନାଥଙ୍କ ଗାୟନ ଏବଂ ଧର୍ମପତ୍ନୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଯୁଗଳବନ୍ଦୀ ତଥା ଓଡିଶୀ ନୃତ୍ୟ ଦେଶ ବିଦେଶରେ ବିଶେଷ ଆଦୃତ ହୋଇଥିଲା।ସେ ଲିହୁରୀଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ସଙ୍ଗୀତ ସାଧନା ପାରଳାଖେମୁଣ୍ଡିର ବିଭିନ୍ନ ସଙ୍ଗୀତ ବିଦ୍ବାନମାନଙ୍କ ସଙ୍ଗତରେ ହୋଇଥିଲା । ବିଶିଷ୍ଟ ବୀଣା ବାଦକ ତଥା କଣ୍ଠଶିଳ୍ପୀ ପଣ୍ଡିତ ତୁଳସୀ ଦାଶ, ସୁଦକ୍ଷ ବୀଣା ବାଦକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର, ପଣ୍ଡିତ ଅନନ୍ତ ଚରଣ ପାତ୍ର, ବେହେଲା ବାଦକ ଗୁରୁ ଡି.ସୁରିନାରାୟଣା ଏବଂ ଓଡିଶୀ କଣ୍ଠଶିଳ୍ପୀ ନାରାୟଣ ବେହେରା ପ୍ରମୁଖଙ୍କ ସହ ସେ ଦୀର୍ଘ ସମୟ ଧରି ସଙ୍ଗୀତ ସାଧନା କରିବାର ସୁଯୋଗ ପାଇଥିଲେ । ଗୀତ ଗୋବିନ୍ଦ ପାଣିଗ୍ରାହୀ ଭାବେ ପରିଚିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ପ୍ରଥମ ଓଡିଆ ଗାୟକ ଯିଏ ଫ୍ରାନସ ସରକାରଙ୍କ ଦ୍ବାରା ୧୯୮୨ ମସିହାରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡରେ ସମ୍ମାନିତ ହୋଇଥିଲେ I ଗୀତ ଗୋବିନ୍ଦ ଗାୟନ ପାଇଁ ୧୯୬୮ ମସିହାରେ ସୁରମଣି ସମ୍ମାନ, ୨୦୦୮ ମସିହାରେ ରାଜ୍ୟ ସରାକାରଙ୍କ ଦ୍ବାରା ଜୟଦେବ ସମ୍ମାନ ଏବଂ ୨୦୧୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ହେଲେ ୨୫ ଅଗଷ୍ଟ ୨୦୧୩ରେ ସୁରମଣିଙ୍କ ସ୍ବର ନିରବୀ ଯାଇଥିଲା । ଯାହା ଓଡ଼ିଶୀ ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଏ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଆଦର୍ଶ ଦାସ ପରିଚାଳନା କରିଥିବା ବେଳେ ଏହି ଅବସରରେ ଭକ୍ତି ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତ, ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର,ସମଲେଇ ନୃତ୍ୟ କଳାପରିଷଦ ଅନୁଷ୍ଠାନ ଦ୍ବାରା ଉଚ୍ଚ କୋଟୀର ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି ବୃନ୍ଦ, ଦର୍ଶକ, କଳାକାର ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.