ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝରକୁ ୨ଦିନିଆ ଗସ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତର ୨ୟ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାମର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ । କାନପୁର ଡ୍ୟାମ୍ ସ୍ୱିଲ୍‌ୱେର ପ୍ରାୟ ୧୦୦ ମି ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀରୁ ପାଣି ନିର୍ଗମନ ପାଇଁ ହାର ଲେଭେଲ୍ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ କତ୍ତୃପକ୍ଷ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲା । ୨୦୨୩ ମସିହା ଶେଷ ସୁଦ୍ଧା ଡ୍ୟାମ୍ ଓ କେନାଲ୍ କାର୍ଯ୍ୟ ଶେଷ କରି ଚାଷ ପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ନିର୍ମାଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ଥଇଥାନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ ପନ୍ଥା ସ୍ଥିର କରାଯାଇଥିଲା । ସମୀକ୍ଷାରୁ ଜଣାପଡ଼ିଥିଲା ଯେ କେନ୍ଦୁଝର ଜିଲ୍ଲାର ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧିନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ୨୪୪ଟି ଗ୍ରାମର ୨୯୫୭୮ ହେକ୍ଟର ଜମି ଜଳସେଚିତ ହେବ । ଏହାଦ୍ୱାରା ଏହିସବୁ ଗ୍ରାମର ପ୍ରାୟ ୧,୪୪,୮୮୮ ଲୋକ ଉପକୃତ ହେବେ । ମୁଖ୍ୟ ଡ୍ୟାମ୍ ୭୮.୨୧କି.ମି ମୁଖ୍ୟ କେନାଲ୍‌, ୭୩, ୭୩ କି.ମି ଶାଖା କେନାଲ୍ ଏବଂ ୨୯୧.୫୫ କି.ମି ମାଇନର, ସବ୍‌ମାଇନର କେନାଲ୍ ଆଦି ପ୍ରକଳ୍ପର ମୁଖ୍ୟାଂଶ । ଏହି ପ୍ରକଳ୍ପରୁ ମଧ୍ୟ ୪.୨ ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ ହେବ । ପ୍ରକଳ୍ପରେ ସମୁଦାୟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ । ତନ୍ମଧ୍ୟରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ର ସରକାର ୮୮୩.୦୩ କୋଟି ଯୋଗାଇବାର ବ୍ୟବସ୍ଥା ଥିବାର ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମ୍‌ର ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି ଏବଂ ଅବଶିଷ୍ଟ ୧୪ ପ୍ରତିଶତ ଅଂଶର ନିର୍ମାଣ ଦୃତଗତିରେ ଚାଲିଛି । ସେହିପରି ସ୍ପିଲ୍‌ୱେର ୮୬ ଶତକଡ଼ା ଏବଂ କେନାଲ୍‌ରେ ୭୬ ଶତକଡ଼ା କାମ ସରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଶ୍ରୀ ମହାପାତ୍ର କାଞ୍ଜିପାଣି ଘାଟି ଓ ହଦଗଡ଼ ଅଞ୍ଚଳ ପରିଦର୍ଶନ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧାର ଅଧିକ ବିକାଶ ସମ୍ଭାବନା ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ବାସୀନ୍ଦାଙ୍‌କୁ ସାମିଲ୍ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧା ସୃଷ୍ଟି ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଶ୍ରୀ ଠାକ୍‌ରେ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌.ଡି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆୟର ପନ୍ଥା ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

Comments are closed.