ବନ୍ୟା ପରିସ୍ଥିତିକୁ ନେଇ SRC ଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ‘ପିକ୍ ମୁଣ୍ଡଳି ଅତିକ୍ରମ କରିଛି, ସମୁଦ୍ରକୁ ଯିବାକୁ ଆଉ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍ ରହିଥିଲା । ୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା ।

ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ୍ ପାଣି କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ୍ ହେବା ଆଶା ରହିଛି । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ୍ ରହିଥିଲା । ସେହି ପାଣିର ପ୍ରଭାବ ୨୪ ଘଣ୍ଟା ପରେ ମୁଣ୍ଡଳିରେ ଅନୁଭୂତ ହେବ । ତେଣୁ ୨୪ ଘଣ୍ଟା ପରେ ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକକୁ ଖସିବା ଆଶା କରାଯାଉଛି ବୋଲି ଏସଆରସି କହିଛନ୍ତି ।

ଏଯାବତ୍ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଛି । କାଲି ୨ଟି ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି । ଆଜି କୁଶଭଦ୍ରା ନଦୀରେ ତେଣ୍ଡିଆକୁଦରେ ଗୋଟିଏ ଘାଇ ହୋଇଛି । ମହାନଦୀର ତେରମାଣପୁର ଠାରେ ଆଉ ଗୋଟିଏ ଘାଇ ହୋଇଛି । ଅନ୍ୟ ଯେଉଁ ଘାଇ କଥା କୁହାଯାଉଛି, ତାହା ଘାଇ ବରଂ ବ୍ୟାକ୍ ୱାଟର । ୨୦୧୧ ପରେ ପ୍ରଥମଥର ପାଇଁ ମୁଣ୍ଡଳିରେ ଏତେ ପାଣି ପାସ୍ କରୁଛି । ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ସକାଳୁ ମୁଣ୍ଡଳିରେ ଜଳ ପ୍ରବାହ କମିବା ଆରମ୍ଭ କରିଛି । ଖଇରମାଳରେ ମଧ୍ୟ ଜଳ ପ୍ରବାହର ପିକ୍ ଶେଷ ହୋଇସାରିଛି ।

Comments are closed.