ଆସାମ : ଟ୍ରିପଲ ଡିଜିଟ୍ ସଫଳତା, ହ୍ୟାଟ୍ରିକ୍ ୱିନ୍। ତାପରେ ସାରା ଆସାମରେ ସେଲିବ୍ରେସନ ମୁଡ୍। ନିର୍ବାଚନର ଏମିତି ଫଳାଫଳ କେବେ ଦେଖିନଥିଲା ଆସାମ। ଗେରୁଆ ଅବିରରେ ଛାଇ ଯାଇଛି ପାର୍ଟି ଅଫିସ। ନେତା-କର୍ମୀ ବିଭୋର। କେଉଁଠି ପାରମ୍ପରିକ ବିହୁ ତ କେଉଁଠି ଢୋଲରେ ତାଳେ ତାଳେ ନାଚ-ଗୀତ।
ସକାଳ ୮ରେ ଗଣତି ଆଉ ଦିନ ୧୧ ବାଜୁ ବାଜୁ ସ୍ପଷ୍ଟ ହୋଇଯାଇଥିଲା ଟ୍ରେଣ୍ଡ। ଜନମତ ଆସିଯାଇଥିଲା ବିଜେପି ସପକ୍ଷକୁ, ବହୁ ପଛରେ ପଡିଯାଇଥିଲା କଂଗ୍ରେସ। ମାମା ଯାହା ସାଥିରେ ବିଜୟ ତା ସାଥିରେ ନାରାରେ କମ୍ପିଉଠିଥିଲା ଚାରି ଦିଗ। ଗଣତି ବଢିବା ସହ ଗଡବଡ ହୋଇଯାଇଥିଲା ଗୌରବ ଗୋଗୋଇଙ୍କ ଅଙ୍କ ଆଉ ପୁଣି ହିମ୍ମତ ଦେଖାଇଥିଲେ ହିମନ୍ତ।
ମୋଦୀଙ୍କ ଗ୍ୟାରେଣ୍ଟି- ହିମନ୍ତଙ୍କ ଭରସା, ଶାହା ଆଉ ବୈଜୟନ୍ତଙ୍କ ଷ୍ଟ୍ରାଟେଜି। ଆସାମରେ ବିଜେପିକୁ ଦେଇଛିି ବଡ ସଫଳତା।
ମୋଦି ଓ ଶାହଙ୍କ ଘନ ଘନ ଗସ୍ତ, ୧୯ ସିଟିଂ ଏମଏଲଏଙ୍କ ଟିକେଟ୍ କାଟି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଏବଂ ପରେ ବୁଥୱାରୀ ସମୀକ୍ଷା, ବିଜେପିକୁ ଦେଇଛି ଫାଇଦା। ଏଥିସହ ବିଜେପି, ଅସାମ ଗଣ ପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ସହ କରିଥିବା ସଫଳ ମେଣ୍ଟ ଦଳର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା।
ରାଜ୍ୟରେ ହିମନ୍ତ ସରକାରଙ୍କ ଅରୁଣଦୋୟ ଯୋଜନା, ଲକ୍ଷପତି ଦିଦି ସ୍କିମ୍, ମିଶନ ବସୁନ୍ଧରାରେ ଲୋକଙ୍କୁ ଜମି ଫେରାଇବା, ବନ୍ୟା ରୋକିବାକୁ ବ୍ରହ୍ମପୁତ୍ରରେ ବ୍ୟାପକ ବ୍ରିଜ୍ ନିର୍ମାଣ ଓ ବନ୍ଧ ମରାମତି, ୨୮ ହଜାର କୋଟି ଟଙ୍କାର ସେମିକଣ୍ଡକ୍ଟର ଫ୍ୟାକ୍ଟ୍ରି ପ୍ରତିଷ୍ଠା, ୧ଲକ୍ଷ ୬୦ ହଜାର ସରକାରୀ ଚାକିରି, ୧୦ ବର୍ଷରେ ୧୦ରୁ ଅଧିକ ମେଡିକାଲ କଲେଜ୍ ନିର୍ମାଣ ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅନୁପ୍ରବେଶକାରୀଙ୍କୁ ହଟାଇବା ଓ ବୋର୍ଡର ଫେନସିଂ କାମ ପାଇଁ ଭରସା କରିଥିଲେ ଆସାମ ବାସୀ।
ସେପଟେ ନିର୍ବାଚନ ପୂର୍ବରୁ ୨ କଂଗ୍ରେସ ହେଭିୱେଟଙ୍କ ଦଳ ଛାଡିବା ଦଳ ପାଇଁ ନେତୃତ୍ବ ସଙ୍କଟ ସୃଷ୍ଟି କରିଥିଲା। ସଂଖ୍ୟାଲଘୁ ଭୋଟ୍ ବି ଯାଇନଥିଲା କଂଗ୍ରେସକୁ।
Comments are closed.