କୋଣାର୍କ ସୂର୍ଯ୍ୟମନ୍ଦିର: ୧୨୦ ବର୍ଷ ପରେ ଗର୍ଭଗୃହରୁ ବାହାରିବ ବାଲି

ପୁରୀ/ କୋଣାର୍କ : ଓଡ଼ିଆ ଜାତିର ଗୌରବର ପ୍ରତିବିମ୍ବ ତଥା ବିଶ୍ବର ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାହେବ ବାଲି। ସିଂହାସନରୁ ଫିଟିବ ମୁଖଶାଳାକୁ ବାଟ । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲି କାଢ଼ିବା ପୂର୍ବରୁ ଆଜି ଭାଦ୍ରବ ମାସ ଗୁରୁବାରରେ ସୂର୍ଯ୍ୟମନ୍ଦିର ପରିସରରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିରର ପଶ୍ଚିମପାର୍ଶ୍ବ ଦ୍ବାରରୁ ପ୍ରବେଶ ପଥ ତିଆରି କରି ଗର୍ଭଗୃହକୁ ପଶିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଯୋଜନା କରିଛି।

ବହୁ ପୁରାତନ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ହୋଇପଡ଼ିବାରୁ ୧୯୦୩ ମସିହାରେ ବ୍ରିଟିଶ ସରକାର ଏହାର ଗର୍ଭଗୃହରେ ବାଲି ଭର୍ତ୍ତି କରି ତିନି ପ୍ରବେଶ ଦ୍ବାରକୁ ବନ୍ଦ କରି ଦେଇଥିଲେ। ୨୦୧୯ ମସିହାରେ ହାଇକୋର୍ଟ ଗର୍ଭଗୃହରୁ ବାଲି କାଢ଼ିବାକୁ ଆଦେଶ ଦେବା ପରେ ପ୍ରତ୍ନତତ୍ତ୍ବ ବିଭାଗ ବାଲି କାଢ଼ିବା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ବହୁଦିନ ଧରି ୟୁନେସ୍କୋ ଓ ଅନ୍ୟ ଅନୁଷ୍ଠାନ ସହ ମିଶି ଆମେ ସୂର୍ଯ୍ୟମନ୍ଦିର ଓ ଏହାର ଗର୍ଭଗୃହ ଅନୁଧ୍ୟାନ କରୁଥିଲୁ। ବାଲି କାଢ଼ିବା ପାଇଁ ହାଇକୋର୍ଟଙ୍କ ଆଦେଶ ପରେ ଆଇଆଇଟି ମାଡ୍ରାସ (ଚେନ୍ନାଇ) ସହ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ମିଶାଇ ଗଠିତ କମିଟି ପକ୍ଷରୁ ବୈଷୟିକ ଅନୁଧ୍ୟାନ ଶେଷପରେ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଇଆଇଟି ମାଡ୍ରାସର ବୈଷୟିକ ଟିମ ସହ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଦଳ ବାଲି କାଢ଼ିବା କାମ କରିବେ। ଏହି କାମ ଆରମ୍ଭ ପୂର୍ବରୁ ଆଜି ଭୂମିପୂଜନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଆମେ ପଶ୍ଚିମପାର୍ଶ୍ବ ଦ୍ବାର ଦେଇ ଗର୍ଭଗୃହରେ ପ୍ରବେଶ ପାଇଁ ଯୋଜନା କରିଛୁ। ସୁକ୍ଷ୍ମାତି କାରୁକାର୍ଯ୍ୟ ଯେଭଳି ଅକ୍ଷତ ରହିବ, ସେ ଦିଗକୁ ଦୃଷ୍ଟି ଦିଆଯିବ। ଆଇଆଇଟି ମାଡ୍ରାସ(ଚେନ୍ନାଇ)ର ‌ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବଳରେ ବାଲି କଢ଼ାଯିବ। ପ୍ରାୟ ୩ ବର୍ଷ ଭିତରେ ବାଲି କାଢ଼ିବା କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଅପରପକ୍ଷେ, ଆଜି ପୂର୍ବାହ୍ନରେ ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଭୂମିପୂଜନକୁ ନେଇ କୋଣାର୍କ ଅଞ୍ଚଳବାସୀଙ୍କ ସହ ସଂସ୍କୃତିପ୍ରେମୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଯଦି ବାଲି ଉତ୍ତୋଳନ ସମୟରେ ମନ୍ଦିରର କୌଣସି କ୍ଷତି ଘଟେ, ତାହା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।

ଆଜି ଭୂମିପୂଜନ କାର୍ଯ୍ୟକ୍ରମରେ ଏଏସ୍‌ଆଇ ଅଧୀକ୍ଷକ ଶ୍ରୀ ମଲ୍ଲିକ, ଉପଅଧୀକ୍ଷକ(ପ୍ରତ୍ନତାତ୍ତ୍ବିକ ଯନ୍ତ୍ରୀ) ସି ଆର୍‌ ଦାଶ, ସହାୟକ ଅଧୀକ୍ଷକ ପ୍ରତ୍ନତ୍ତତ୍ବବିତ୍‌ ଭାଗୀରଥି ସଗଡ଼ିଆ, ଡ. ଅରୁଣିମା ପତି, ରାହୁଲ ଶ୍ରୀବାସ୍ତବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.