୭ୱିକେଟ୍‌ରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍‌ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୧ ଓଭରରେ ୩ୱିକେଟ୍‌ ହରାଇ ପୂରା କରିଛି। ଏଥି ସହିତ ଟିମ୍‌ ଇଣ୍ଡିଆ ଏହି ଶୃଙ୍ଖଳାକୁ ୨-୧ରେ ବିଜୟୀ ହୋଇଛି।

ଭାରତର ପାଳି ଆରମ୍ଭ କରିଥିଲେ ଅଧିନାୟକ ଶିଖର ଧୱନ (୮ ରନ୍‌) ଓ ଯୁବ ବ୍ୟାଟର ଶୁଭମାନ ଗିଲ୍‌। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୪୨ ରନ୍‌ର ଭାଗିଦାରୀ ହୋଇଥିଲେ। ଘରୋଇ ଟିମ୍‌ ୫୮ ରନ୍‌ରେ ଦ୍ବିତୀୟ ୱିକେଟ୍‌ ଭାବେ ଈଶନ କିଶନ (୧୦)ଙ୍କୁ ହରାଇଥିଲା। ଭାରତ ପାଇଁ ଶୁଭମନ ଗିଲ ସର୍ବାଧିକ ୪୯ ରନ୍‌ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ। ସେ ଅତିଥି ଟିମ୍‌ର ୩ୟ ଶିକାର ହୋଇଥିଲେ। ଶ୍ରେୟସ ଆୟର ୨୮ ରନ୍‌ ଓ ସଂଜୁ ସାମସନ୍‌ ୨ ରନ୍‌ କରିଥିଲେ। ଭାରତର ସ୍କୋର ୧୦୫ ରନ୍‌ ହୋଇଥିଲା।

ଭରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଅତିଥି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ  କରିଥିଲା। ମାତ୍ର ପୂର୍ବପରି ୨ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଜି ଧୂଆଁଧାର ବ୍ୟାଟିଂ କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ନିକଟରେ ସେମାନେ କମ ସମୟ ମଧ୍ୟରେ ଆତ୍ମସମର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ଟିମର ସମସ୍ତ ଖେଳାଳି ୯୯ ରନ୍‌ ସଂଗ୍ରହ କରିପାରିଥିଲେ। ପୂରା ଟିମ୍‌ ୨୭.୧ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲେ। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଥିଲା। ୱାସିଂଟନ ସୁନ୍ଦର, ଆଭେସ ଖାନ ଓ ଶହବାଜ୍‌ ଅହମଦ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଦୀର୍ଘ ଦିନର ବ୍ୟବଧାନ ପରେ କୁଲଦୀପ ଯାଦବ କମାଲ କରିଥିଲେ। ସେ ୪.୧ ଓଭର ବୋଲିଂ କରିଥିଲେ ଏବଂ ଗୋଟିଏ ମେଡେନ୍‌ ଓଭର ନେଇଥିଲା ବେଳେ ୧୮ ରନ୍‌ ଖର୍ଚ୍ଚ କରିଥିଲେ। ଆଭେସ୍‌ ଖାନ୍‌ ୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିଲେ। ସେ ମାତ୍ର ୮ ରନ୍‌ ଖର୍ଚ୍ଚ କରିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ ହେନ୍‌ରିଚ୍‌ କ୍ଲାସେଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୪ ରନ୍‌ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍‌ ଖେଳି ୪ଟି ଚୌକା ମାରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଜନେମ୍ୟାନ୍‌ ମଲାନ ୨୩ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୧୫ ରନ୍‌ ସଂଗ୍ରହ କରିଥିଲା ବେଳେ ମାର୍କୋ ଜନ୍‌ସେନ୍‌ ୧୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୪ ରନ୍‌  ଯୋଡ଼ିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

Comments are closed.