୨୫ ସୁଦ୍ଧା ସୃଷ୍ଟି ହୋଇପାରେ ସୁପର୍‌ ସାଇକ୍ଲୋନ୍‌ ‘ସିତ୍ରାଂ

ନୂଆଦିଲ୍ଲୀ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୁପର୍‌ସାଇକ୍ଲୋନ୍‌ ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍‌ ‘ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ସିଷ୍ଟମ୍‌’ (ଜିଏଫ୍‌ଏସ୍‌) ସୂଚନା ଦେଇଥିବା କଥା ‘ଦି ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’ ରିପୋର୍ଟ କରିଛି।

କାନଡାସ୍ଥିତ ସସ୍‌କାଚ୍‌ୱାନ୍‌ ବିଶ୍ବବିଦ୍ୟାଳୟର ପାଣିପାଗ ଓ ଜଳବାୟୁ ଉପରେ ‘ପିଏଚ୍‌ଡି’ କରୁଥିବା ଗବେଷକ ତଥା ପାଣିପାଗ ବିଶେଷଜ୍ଞ ମୋସ୍ତାଫା କମଲ୍‌ ପଲାଶ୍‌ ସୋମବାର ଦିନ କହିଛନ୍ତି, ଅକ୍ଟୋବର ୧୭ରେ ସୃଷ୍ଟି ହେବାର ସମ୍ଭାବନା ଥିବା ଲଘୁଚାପଟି ଅକ୍ଟୋବର ୧୮ ସୁଦ୍ଧା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଜଣାପଡୁଛି।

ଏହି ସାମୁଦ୍ରିକ ବାତ୍ୟାର ନାମ ‘ସିତ୍ରାଂ’ ରଖାଯିବ ବୋଲି ସେ କହିଛନ୍ତି।

ଏହି ସମ୍ଭାବ୍ୟ ବାତ୍ୟା ବାଲାଂଦେଶର ସୁନ୍ଦରବନ ଉପକୂଳ ଓ ଭାରତର ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ୩ ଦିନ ତଳେ ପୂର୍ବାନୁମାନ ସୂଚନା ଦେଇଥିଲା। କିନ୍ତୁ, ରବିବାର ଦିନ ଜାରି ପୂର୍ବାନୁମାନରେ ସୂଚନା ଦିଆଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ।

ମୋସ୍ତାଫା କମଲ୍‌ ପଲାଶ୍‌ ‘ଦି ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’କୁ କହିଛନ୍ତି, ଏହି ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଏବଂ ଭାରତର ପଶ୍ଚିମବଙ୍ଗସ୍ଥିତ ସୁନ୍ଦରବନ ଉପକୂଳରେ ସ୍ଥଳଭାଗ ପ୍ରବେଶ (ଲ୍ୟାଣ୍ଡ୍‌ଫଲ୍‌) କରିବାର ସମ୍ଭାବନା ଅଛି।

‘ଜିଏଫ୍‌ଏସ୍‌’ର ପୂର୍ବାନୁମାନକୁ ଦର୍ଶାଇ ପଲାଶ୍‌ ଆହୁରି ମଧ୍ୟ କହିଛନ୍ତି, ଏହି ସାମୁଦ୍ରିକ ବାତ୍ୟା ‘ସୁପର୍‌ ସାଇକ୍ଲୋନ୍‌’ର (ମହାବାତ୍ୟା) ଶକ୍ତି ହାସଲ କରିବାର ସମ୍ଭାବନା ରହିଛି। ଏହି ବାତ୍ୟାର ଘଣ୍ଟାପ୍ରତି ବତାସ ବେଗ ‘ବାତ୍ୟା ସିଡୋର୍‌’ ଅଥବା ‘ଅମ୍ଫାନ’ର (ଘଣ୍ଟାପ୍ରତି ୨୨୦-୨୫୦) ବେଗ ସମକକ୍ଷ ହୋଇପାରେ।

ଏହି ସମ୍ଭାବ୍ୟ ବାତ୍ୟା ପ୍ରବାହିତ ହେବାକୁ ଥିବା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୧୫-୨୦ ଫୁଟ୍‌ ଉଚ୍ଚ ଜୁଆରିଆ ଢେଉ ଉଠିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Comments are closed.