ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହ ସମ୍ପୃକ୍ତ ଥିବା ସମସ୍ତ କାଶ ସିରପ୍‌ ଉତ୍ପାଦନ ବନ୍ଦ କ‌ଲା ହରିୟାଣା

ଚଣ୍ଡୀଗଡ଼: ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହିତ ସମ୍ପୃକ୍ତ ଥିବା ‘ମେଡେନ୍‌ ଫାର୍ମାସ୍ୟୁଟିକାଲ୍‌ସ୍‌’ ନିର୍ମିତ କାଶ ସିରପ୍‌ର ଉତ୍ପାଦନ ବନ୍ଦ କରାଇବା ଲାଗି ହରିୟାଣା ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ହରିୟାଣାର ଗୃହମନ୍ତ୍ରୀ କହିଛନ୍ତି।

ଉକ୍ତ ଔଷଧରେ ୧୨ଟି ତ୍ରୁଟି ଥିବା କଥା କେନ୍ଦ୍ର ଓ ରାଜ୍ୟ ଡ୍ରଗ୍‌ ବିଭାଗର ମିଳିତ ତଦନ୍ତରୁ ଜଣାପଡ଼ିଛି। ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଉକ୍ତ କମ୍ପାନିଦ୍ବାରା ପ୍ରସ୍ତୁତ କାଶ ସିରପ୍‌ ଯୋଗୁଁ ହୋଇଥାଇ ପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଥିଲା।

ଗଣମାଧ୍ୟମକୁ ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜ୍‌ କହିଛନ୍ତି, ସିରପ୍‌ରେ ପ୍ରାୟ ୧୨ଟି ତ୍ରୁଟି ଥିବା କଥା କେନ୍ଦ୍ରୀୟ ଓ ହରିୟାଣା ରାଜ୍ୟ ଡ୍ରଗ୍‌ ବିଭାଗ ମିଳିତ ତଦନ୍ତରୁ ଜଣାପଡ଼ିଛି। ସେଥିପ୍ରତି ଧ୍ୟାନ ଦିଆଯାଇ ସମୁଦାୟ ଉତ୍ପାଦନ ବନ୍ଦ କରାଯିବାକୁ ସ୍ଥିର କରାଯାଇଛି ଓ ସେଥିପାଇଁ ନୋଟିସ୍‌ ମଧ୍ୟ ଜାରି ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଉଲ୍ଲେଖ କରିଥିବା ସୋନେପତ୍‌ ଔଷଧ କମ୍ପାନିଦ୍ବାରା ପ୍ରସ୍ତୁତ ୩ଟି ଔଷଧର ନମୁନା କୋଲ୍‌କାତାସ୍ଥିତ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଲ୍ୟାବ୍‌’କୁ ପଠାଯାଇଥିଲା। ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ। ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ମରଣଯୋଗ୍ୟ, ଅଳ୍ପ ଦିନ ତଳେ ହରିୟାଣାର ସୋନେପତ୍‌ରେ ଉତ୍ପାଦିତ ୪ଟି କାଶ ସିରପ୍‌ ପ୍ରତି ସତର୍କ ରହିବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସୂଚନା ଦେଇଥିଲା। ଉକ୍ତ ଔଷଧ ବୃକ୍କକୁ (କିଡ୍‌ନି) କ୍ଷତିଗ୍ରସ୍ତ କରୁଛି ଓ ଗାମ୍ବିଆରେ ୬୬ଜଣ ଶିଶୁ ସେଥିଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ‘ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ’ ଘୋଷଣା କରିଥିଲା। ସେଥିରେ ଶରୀର ଗ୍ରହଣ କରିପାରୁ ନ ଥିବା ମାତ୍ରାର ‘ଡାଇଥାଇଲିନ୍‌ ଗ୍ଲାଇକୋଲ୍‌’ ଓ ‘ଏଥିଲିନ୍‌ ଗ୍ଲାଇକୋଲ୍‌’ ରହିଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଲାବ୍ରଟରି ବିଶ୍ଳେଷଣରୁ ଜଣାପଡ଼ିଥିଲା।

Comments are closed.