ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ

0

ଆବୁଧାବି, ତା ୨୦.୧୧.ରିଖ ;ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ୨୦୨୬କୁ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ୟାସ ଦ୍ବୀପ ରେ ଥିବା କ୍ରାଉନ ପ୍ଲାଜା ହୋଟେଲସ୍ଥିତ ଉତ୍ସବ ସ୍ଥଳୀକୁ ଏହି ଉପଲକ୍ଷେ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖାଯାଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ପାଞ୍ଚଶହରୁ ଅଧିକ ଓସାର ସଦସ୍ୟ, ପରିବାରବର୍ଗ, ପରିଜନ ଓ ଶୁଭେଚ୍ଛୁ ମାନେ ଆସି ପ୍ରବାସୀ ଓଡ଼ିଆଙ୍କର ଏହି ସାଂସ୍କୃତିକ ମହାକୁମ୍ଭ ମେଳାରେ ସାମିଲ ହୋଇଥିଲେ।


ଏହି ଉତ୍ସବରେ ୟୁଏଇସ୍ଥିତ ଭାରତୀୟ ଦୂତାବାସର ପ୍ରଥମ ସଚିବ ଶ୍ରୀ ଚନ୍ଦନ କୋହଲି ମୁଖ୍ୟ ଅତିଥି ଭାବେ ଏବଂ ପ୍ୟାନ ବଲ୍କ ସିପିଙ୍ଗ ଡିଏମସିସିର ସିଇଓ କ୍ୟାପ୍ଟେନ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମ୍ୟାନେଜମେଣ୍ଟ କନସଲଟାଣ୍ଟ କିଶୋର ଦାସ ତଥା ଗ୍ଲୋବାଲ କ୍ୟାପେବିଲିଟି ସେଣ୍ଟରର ସିଇଓ ସୁବମ ନେଇଥାନି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ସଭାକୁ ସମ୍ବୋଧନ କରି ମୁଖ୍ୟ ଆୟୋଜକ ଏବଂ ଓସାର ସଭାପତି ସୌଗତ ନାୟକ ବୋଇତ ବନ୍ଦାଣ ଉତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏକଦା ଏକ ପାର୍କରେ ଏହି ଉତ୍ସବ ଆୟୋଜନରୁ ଆରମ୍ଭ କରି ଚଳିତ ବର୍ଷ ଆବୁଧାବିର ଚାକଚକ୍ୟ ବିଶିଷ୍ଟ ପାଞ୍ଚ ତାରକା ହୋଟେଲରେ ଭବ୍ୟ ଆୟୋଜନ ପର୍ଯ୍ୟନ୍ତ ଓସାର ଜୟ ଯାତ୍ରା ଉପରେ ଶ୍ରୀ ନାୟକ ଆଲୋକପାତ କରିଥିଲେ। ସେ ଶ୍ରମିକ ଶ୍ରେଣୀକୁ ସହାୟତା କରିବା ପାଇଁ ଓସାର ପ୍ରତିବଦ୍ଧତାକୁ ଦୋହରାଇ ଏହି ବର୍ଷ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଶ୍ରମିକଙ୍କୁ ସମାଜର ସାହାଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ବରେଣ୍ୟ ଅତିଥିମାନେ ଓସାର ବାର୍ଷିକ କ୍ୟାଲେଣ୍ଡର ୨୦୨୭କୁ ଉନ୍ମୋଚନ କରିଥିଲେ।


ଓଡ଼ିଶାର ଗୌରବ ଓ ଗାରିମା ମୟ ଅତୀତକୁ ସ୍ମରଣ କରାଇ ଓସାର ଉପଦେଷ୍ଟା ପ୍ରଦୀପ କୁମାର ରଥ, ଆମେ ଏକ ଉନ୍ନତ ସଭ୍ୟତାର ଗର୍ବିତ ଉତ୍ତରାଧିକାରୀ, ଯାହାର ମୂଳ ଭିତ୍ତି ୨,୫୦୦ ବର୍ଷରୁ ଅଧିକ ପୁରୁଣା ବୋଲି କହିଥିଲେ । ସାଧବ ମାନେ କେବଳ ବ୍ୟବସାୟୀ ନ ଥିଲେ ବରଂ ଅନ୍ବେଷକ, ଜାହାଜ ନିର୍ମାତା, ନାବିକ ଏବଂ ସଭ୍ୟତାର ରାଜଦୂତ ମଧ୍ୟ ଥିଲେ ବୋଲି ଦର୍ଶାଇ ଶ୍ରୀ ରଥ ସେମାନଙ୍କର ସାହସ ଓ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସେ ଆଜିର ଓଡ଼ିଆ ଜାତି ନିଜର ସ୍ବର୍ଣ୍ଣାଭ ଅତୀତକୁ ଉଜାଗର ରଖିବା ଏବଂ ନବପିଢ଼ୀକୁ ଏହି ମହାନ ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଇବାକୁ ଆହ୍ୱାନ ଜଣାଇଥିଲେ।


ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓସାର ଶିଶୁ ଓ ବୟସ୍କ ସଦସ୍ୟମାନେ ସେମାନଙ୍କର ଚମତ୍କାର ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ ଦ୍ୱାରା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ଫ୍ୟାଶନ ଶୋ ଓଡ଼ିଶାର ହସ୍ତତନ୍ତ, ପାରମ୍ପରିକ ପୋଷାକ ଓ ସାଂସ୍କୃତିକ ଐଁତ୍ୟିହ କୁ ଭବ୍ୟତାର ସହିତ ପ୍ରଦର୍ଶନ କରିଥିଲା। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶଶ୍ୱତ ଯୋଶୀ ଓ ତାଙ୍କ ଦଳର ମନମୋହକ ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗାୟକ ବିଷ୍ଣୁ ମୋହନ କବି ଅନେକ ଲୋକପ୍ରିୟ ଗୀତ ଗାଇ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ। ଦେବାଂଶୀ ଓ ରାମୁଲିଙ୍କ ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚ ମାନର ଥିଲା। ସୁଦକ୍ଷ ଉପସ୍ଥାପକ ପୁପୁଲ ଦିନ ସାରା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ। ସମାରୋହରେ ଗୋଷ୍ଠୀ ନୃତ୍ୟ, ଲକି ଡ୍ର, ଫଳକ ଓ ପୁରସ୍କାର ବିତରଣ, ଗ୍ରୁପ ଫଟୋଗ୍ରାଫି ଏବଂ ସୁସ୍ୱାଦୁ ଖାଦ୍ୟ ବ୍ୟବସ୍ଥା ମଧ୍ୟ ସାମିଲ ଥିଲା। କୋରିଓଗ୍ରାଫର ହେମନ୍ତଙ୍କ ମୂଲ୍ୟବାନ ଅବଦାନ ପାଇଁ ଓସା ତରଫରୁ ଆନ୍ତରିକ କୃତଜ୍ଞତା ପ୍ରକାଶ କରାଯାଇଛି।
ଏମିରେଟ୍ସ ଇସଲାମିକ ବ୍ୟାଙ୍କ, ଆରଏକେବ୍ୟାଙ୍କ, ଇଲାମ ଆୟୁର୍ବେଦ, ସେଞ୍ଚୁରୀ ଫାଇନାନ୍ସ, ମାଲାବାର ଗୋଲ୍ଡ ଏବଂ ଡାଲୱିନ ମେରିନ ପ୍ରମୁଖ ଏହି ଉତ୍ସବର ପ୍ରାୟୋଜକ ଥିଲେ।
ଓସାର ଉପଦେଷ୍ଟା ଡଃ ହିମାଂଶୁ ଦାସ ଓ କାର୍ତ୍ତିକ ସିଂହ ଙ୍କର ସଠିକ ମାର୍ଗଦର୍ଶନ , ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ଦାସ,ସୁକର୍ଣା ବେହେରା, ଜିତେନ୍ଦ୍ର ମିଶ୍ର, ସୁମିତ କୁମାର ପଣ୍ଡା, ସୁଶାନ୍ତ ମହାପାତ୍ର, ଚିନ୍ମୟ ନାୟକ, ସମ୍ବିତ କୁମାର ମହାନ୍ତି ଓ ଟି. କେଶବ ରାଓ ଏବଂ କୋର କମିଟି ସଦସ୍ୟ ସୁବୋଧ କୁମାର ସାହୁ, ଶୁଭ୍ରା ସାମଲ, ଶିପ୍ରା ଦାସ, ଅସ୍ମିତା ପଟେଲ, ଦିଲୀପ କୁମାର ନାୟକ, ବିଶ୍ୱ ରଞ୍ଜନ ଜେନା, ବିଷ୍ଣୁ ଇପ୍ପିଲି, ଗାର୍ଗୀ ସିଂହ, ରାଜେଶ ଦାସ ଓ ପ୍ରଦୀପ ସାହୁ ପ୍ରମୁଖ ଙ୍କର ସକ୍ରୀୟ ସହଯୋଗରେ ବୋଇତ ବନ୍ଦାଣ ଉତ୍ସବ ସଫଳତାର ସହିତ ସମାପନ ହୋଇଥିଲା।

Leave A Reply

Your email address will not be published.