୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ସରକାରୀ ବ୍ୟାଙ୍କ ମୁଖ୍ୟ

ମୁମ୍ବାଇ: ସରକାରୀ ବ୍ୟାଙ୍କ ମୁଖ୍ୟମାନେ ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ପଦବିରେ ରହିପାରିବେ। ୫ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାର୍ଯ୍ୟ କରିବା ନେଇ ରହିଥିବା ନିୟମରେ ପରିବର୍ତ୍ତନ ଅଣାଯାଇଛି। ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ। ଏଥିପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସ୍କିମ୍‌-୧୯୭୦ରେ ସଂଶୋଧନ ଅଣାଯାଇଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ପ୍ରଥମେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଉଛି। ପରେ ଏହାକୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। ଅବସର ବୟସ ୬୦ ବର୍ଷରେ ଅପରିବର୍ତ୍ତିତ ରଖାଯାଇଛି। ତେଣୁ ବର୍ତ୍ତମାନ ସରକାରୀ ବ୍ୟାଙ୍କର ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଅନେକ ଅଧିକାରୀ ନୂଆ ନିୟମର ଲାଭ ପାଇବେ ନାହିଁ। ବ୍ୟାଙ୍କ ଅଧିକାରୀ ଓ ଅନ୍ୟମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହାଦ୍ବାରା ଦକ୍ଷ ଓ ପ୍ରତିଭାସଂପନ୍ନ ଅଧିକାରୀ ପାଇବେ। ଅଧିକ ଦିନ ମୁଖ୍ୟ ପଦବିରେ କାର୍ଯ୍ୟ କରିବାର ସୁଯୋଗ ମିଳିଲେ ସେମାନେ ବ୍ୟାଙ୍କକୁ ନୂଆ ଦିଗଦର୍ଶନ ଦେଇପାରିବେ ଏବଂ ଆରମ୍ଭ କରିଥିବା ବିଭିନ୍ନ ନୂଆ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଅଧିକ ସମୟ ପାଇବେ। ଘରୋଇ କ୍ଷେତ୍ରରେ ବ୍ୟାଙ୍କମୁଖ୍ୟମାନେ ଦୀର୍ଘଦିନ ଧରି କାର୍ଯ୍ୟ କରିବାର ସୁଯୋଗ ପାଇ ପାରୁଥିବାରୁ ବ୍ୟାଙ୍କକୁ ଆଗକୁ ନେବା ସେମାନଙ୍କ ଲାଗି ସହଜ ହେଉଛି। ଆଦିତ୍ୟ ପୁରୀ ଏଚଡିଏଫସି ବ୍ୟାଙ୍କରେ ୨୫ ବର୍ଷରୁ ଅଧିକ ସମୟ ନେତୃତ୍ବ ନେଇ ବ୍ୟାଙ୍କକୁ ଉଚ୍ଚ ସୋପାନରେ ପହଞ୍ଚାଇ ପାରିଥିଲେ। କୋଟାକ ବ୍ୟାଙ୍କ ୨୦୦୩ରେ ବ୍ୟାଙ୍କିଂ ଲାଇସେନ୍ସ ପାଇଥିଲା ‌ସେହିଦିନଠାରୁ ଉଦୟ କୋଟାକ ଏହାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Comments are closed.