୨ୟ ଟି-୨୦: ନ୍ୟୁଜିଲାଣ୍ଡକୁ ୬୫ ରନ୍‌ରେ ପରାସ୍ତ କଲା ଭାରତ, ଦୀପକ ହୁଡ଼ାଙ୍କୁ ମିଳିଲା ୪ ୱିକେଟ୍‌

ମାଉଣ୍ଟ୍‌ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚ୍‌କୁ ୬୫ ରନ୍‌ରେ ଜିତିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ନିଜ ମାଟିରେ ନ୍ୟୁଜିଲାଣ୍ଡ ଟିମ୍‌ ୧୨୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଭାରତ ତରଫରୁ ଦୀପକ ହୁଡ଼ା ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜଙ୍କୁ ୨-୨ଟି ୱିକେଟ୍‌ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ୱାସିଂଟନ୍‌ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ନ୍ୟୁଜିଲାଣ୍ଡ ପାଇଁ ଅଧିନାୟକ କେନ୍‌ ୱିଲିୟମସନ୍‌ ସର୍ବାଧିକ ୬୧ ରନ୍‌ ସଂଗ୍ରହ କରିଥିଲେ।‌ ସେ ୫୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ଡେୱନ୍‌ କନଭେ ୨୨ଟି ବଲ୍‌ ଖେଳି ୨୫ ରନ୍‌ ସଂଗ୍ରହ କରିଥିଲେ। ଗ୍ଲେନ ଫିଲିପ୍‌ସ ୧୨ ରନ୍‌, ଡେରେଲ ମିଚେଲ ୧୦ ରନ୍‌ କରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଜ୍ୟଜନକ ଥିଲା

ମାଉଣ୍ଟ୍‌ ମୌଙ୍ଗନୁଇସ୍ଥିତ ଓଭାଲ ଷ୍ଟାଡିୟମ୍‌ରେ ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୯୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଭାରତ ପ୍ରଥମ ପାଳିରେ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଶତକ ବଳରେ ୧୯୧ ରନ୍‌ ସଂଗ୍ରହ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳିଥିବାର ଭାରତୀୟ ଟିମ୍‌ ୨୦ ଓଭରରେ ୬ଟି ୱିକେଟ ହରାଇଥିଲା। ଟିମ୍‌ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ୫୧ଟି ବଲ୍‌ ଖେଳି ୧୧ଟି ଚୌକା ଓ ୭ଟି ଛକା ବଳରେ ଶତକ ହାସଲ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଈଶାନ କିଶାନ ୩୧ଟି ବଲ୍‌ ଖେଳି ୩୬ ରନ୍‌ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩-୧୩ ରନ୍‌ ‌ସଂଗ୍ରହ କରିଥିଲେ।

ଭାରତ ୩୬ ରନ୍‌ରେ ପ୍ରଥମ, ୬୯ ରନ୍‌ରେ ଦ୍ବିତୀୟ ଓ ୧୦୮ ରନ୍‌ରେ ୩ୟ ୱିକେଟ୍‌ ହରାଇଥିଲା। କିନ୍ତୁ ୪ର୍ଥ ୱିକେଟରେ ୮୨ ରନ୍‌ ଯୋଡ଼ିଥିଲା। ଆୟୋଜକ ନ୍ୟୁଜିଲାଣ୍ଡ ତରଫରୁ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ। ସେ ୨୦ତମ ଓଭରର ୩ୟ, ୪ର୍ଥ ଓ ୫ମ ବଲ୍‌ରେ ୱିକେଟ୍‌ ନେଇଥିଲେ। ଲୋକି ଫର୍ଗୁସନ୍‌ ୨ଟି ଓ ଈଷ ‌ସୋଢ଼ି ଗୋଟିଏ ୱିକେଟ୍‌ ନେଇଥିଲେ।

Comments are closed.