ପତ୍ରବନ୍ଧୁ

ବିଷ୍ଣୁ ପ୍ରସାଦ ଦାସ

୧୯୯୬ ମସିହା ଡିସେମ୍ବର ମାସର ଏକ ଶୀତୁଆ ସଖାଳ ବିଛଣାରୁ ଉଠିପଡ଼ି ନିଜର ନିତ୍ୟ କର୍ମ ସାରି ଇଛା ବିରୁଦ୍ଧରେ କାର୍ଯ୍ୟାଳୟ ଯିବାକୁ ନିଜକୁ ପ୍ରସ୍ତୁତ କରିନେଲି I ଏଇ ଡିସେମ୍ବର ଓ ଜାନୁଆରୀ ମାସ ଦୁଇଟି ଖୁବ ଭଲ ଜଳବାୟୁ ହୋଇଥିବାରୁ ଅନେକ ବ୍ୟକ୍ତି ନୂଆ ନୂଆ ଜାଗାକୁ ବୁଲିବାକୁ ଇଛା ପ୍ରକାଶ କରିଥାନ୍ତି , ମୁଁ ବି ସଥିରୁ ଜଣେ ତେବେ ମୋର ଛୁଟି ମିଳିନଥିବାରୁ ମନଟା ଟିକେ କେମିତି ଚିଡଚିଡା ଲାଗୁଛି I ବର୍ଷ ଯାକର ଜଂଜାଳ ଭିତରେ ଟିକେ ଛୁଟି ନେଇ ପରିବାର ବା ସାଙ୍ଗ ସାଥି ସହିତ ଦର୍ଶନୀୟ ସ୍ଥାନ ବୁଲିଆସିଲେ ଭଲ ଲାଗେ I ମୋ’ର ସଉକ କହିଲେ ଦର୍ଶନୀୟ ସ୍ଥାନ ବୁଲିବା ଆଉ ବନ୍ଧୁତା କରିବା , ସମୟ ପାଇଲେ କିଛି କିଛି ଲେଖା ଲେଖି କରିଥାଏ , ତେବେ ଲେଖକର ସମ୍ମାନ ଆଜିଯାଏ ପାଇବା ପାଇଁ ମୋର ଯୋଗ୍ୟତା ହୋଇନାହିଁ ବୋଲି ମୁଁ ନିଜେ ଅନୁଭବ କରେ I ପିଲାବେଳୁ ଦେଶ ବିଦେଶର ସଂସ୍କୃତି , ଚାଲିଚଳନ ଓ ଚାକଚକ୍ୟ ମୋତେ ଅନେକଟା ଆକର୍ଷିତ କରିଥିଲା I ସ୍କୁଲରେ ଭୂଗୋଳ ପିରିୟଡ଼ଟା ମୋତେ ବେଶୀ ଭଲ ଲାଗୁଥିଲା, ବଡ଼ ପୃଥିବୀ ମାନଚିତ୍ର ଓ ବଡ଼ ଗ୍ଲୋବଟି ଦେଖାଇ ସାର ତାଙ୍କର ସିଲାବସ ଅନୁଯାଇ ପାଠ ପଢ଼ାନ୍ତି ପିଲାଙ୍କୁ ପଏଣ୍ଟର ବାଡ଼ିରେ ବିଭିନ୍ନ ଦେଶ ଚିହ୍ନଟ କରିବାକୁ କୁହନ୍ତି, ଅନେକ ସହପାଠୀ ଭୁଲ କରି ମାଡ଼ ଖାଉଥିବା ବେଳେ ମୁଁ ସର୍ବଦା ସଠିକ ଉତ୍ତର ଦେଇ ପ୍ରିୟପାତ୍ର ହୋଇଥାଏ I ଗଣିତ ମୋତେ ଭୁତ ମାଡିବସିଲା ପରି ଲାଗେ ତେବେବି ପଢିବାକୁ ତ’ ହେବ ତେଣୁ ଦୁଇଟି ଯାକ ଗଣିତ ନେଇ ଠେଲି ପେଲି ପାସ କରେ I ହାଇସ୍କୁଲରୁ “ପତ୍ରବନ୍ଧୁ” କରିବା ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା ଅନେକ ଦେଶ ବିଦେଶର ସମବୟସ୍କ ବାଳକ , ବାଳିକାଙ୍କ ସହିତ ବନ୍ଧୁତା କରି ମୁଁ କିଛି ସହପାଠୀଙ୍କ ନଜରରେ ଟିକେ ସ୍ୱତନ୍ତ୍ର ହୋଇ ଯାଇଥିଲି I ଜଳଖିଆ ଖର୍ଚ୍ଚରୁ କାଟି ଡାକଘରେ ଚିଠି ପଠାଇବା ଆଉ ସପ୍ତାହକ ପରେ ଡାକବାଲାର ଆଗମନକୁ ଚାତକ ପରି ଚାହିଁବା ମୋର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା , ଓଃ ! ଚିଠିଟିର ଉତ୍ତର ଆଉ ସେଇ ଲଫାପାରୁ ବାହାରୁଥିବା ବାସ୍ନାକୁ ମୁଁ ମନଭରି ଉପଭୋଗ କରେ , ଦଦରା ଇଂରାଜୀରେ ମୁଁ ମୋ’ର ହୃଦୟର କଥାକୁ ଏରୋଗ୍ରାମ ବା ରଙ୍ଗୀନ କାଗଜ ଉପରେ ମନଦେଇ ଲେଖିଚାଲେ I ଆଶା ମୋ’ର ଅନେକ ଥିଲା ହୁଏତ ମୋ’ର ବନ୍ଧୁ ମୋତେ ତା’ଙ୍କ ଦେଶକୁ ଯିବାକୁ ନିମନ୍ତ୍ରଣ କରିବେ ଆଉ ମୁଁ ନୂତନ ଦେଶର ନୂତନତ୍ୱ ସହିତ ବନ୍ଧୁର ସାନିଧ୍ୟତା ପାଇ କୃତକୃତ ହେବି I ଅନେକେ ଏହାକୁ ମୋର ଦିବା ସ୍ବପ୍ନ ଛଡା ଆଉ କିଛି ନୁହେଁ ବୋଲି କହି ହସି ଉଡାଇ ଦେଉଥିଲେ , ତେବେବି ମୋ’ର ଆଶା ବୈତରଣୀ ନଦୀ ପରି ଥିଲା I

ହଠାତ ସହଧର୍ମିଣୀଙ୍କ ଡାକରେ ମୁଁ ପ୍ରକୃତିସ୍ଥ ହୋଇ ଉଠିଲି ତା’ଙ୍କ ହାତରୁ ଟିଫିନ ବକ୍ସ ଧରି ସିଧା କାର୍ଯ୍ୟାଳୟ ଅଭିମୁଖେ ଚାଲିଲି I ପ୍ରତିଦିନ ୯.୩୦ ସୁଦ୍ଧା କାର୍ଯ୍ୟାଳୟ ପହଂଚିବା ମୋ’ର ଅଭ୍ୟାସ, ତେଣିକି ଫେରିବା ସମୟର କିଛି ଠିକ ନ’ ଥାଏ କେତେବେଳେ ୬ଟା ତ’ କେତେବେଳେ ଫୁଣି ରାତି ୧୦ ଟା ସେଇଟା କାମ ଉପରେ ନିର୍ଭର କରେ I କାର୍ଯ୍ୟାଳୟ କାନ୍ଥରେ ଟଙ୍ଗା ହୋଇଥିବା ଜଗନ୍ନାଥ ମହାପ୍ରଭୁଙ୍କ ଛବିରେ ଫୁଲ ଧୂପକାଠି ଦେଇ ଅଫିସରେ ଦିନଟି କେମିତି ଭଲରେ କଟୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିଥାଏ I ଯଦି ପୂର୍ବଦିନର କିଛି ବଳକା କାମ ଥାଏ ତେବେ ତା’କୁ ଶେଷ କରି ଟିକେ ଖବର କାଗଜ ଉପରେ ନଜର ବୁଲାଇ ଆଣେ I ସେଦିନ ସୋମବାର ଥିଲା ତେଣୁ ରବିବାର ଆଉ ସୋମବାର ଦୁଇଦିନର ଖବର କାଗଜ ” ସମାଜ” ଆଉ “ଏସିଆନଏଜ”ର ରବିବାରର ସ୍ୱତନ୍ତ୍ର (କୋଡ଼ପତ୍ର) ସଂସ୍କରଣ ଆସିଥିଲା I ଇଂରାଜୀ ରବିବାରୀୟ ସଂସ୍କରଣରେ ହଠାତ ମୋର ଲେଖା ଛୋଟ କବିତାଟି ଦେଖିବାକୁ ପାଇଲି , ଅନେକ ଦିନ ତଳେ ଏକ କବିତା ଇଂରାଜୀରେ ଲେଖି ପ୍ରକାଶନ ପାଇଁ ପଠାଇ ଥିଲି “ମାଇଁ କ୍ୟାଟ” ଆଠ ଧାଡ଼ିର ଛୋଟ କବିତା କିନ୍ତୁ ଏତେବଡ଼ ଦୈନିକ ଇଂରାଜୀ କାଗଜରେ ଛପIହୋଇଛି ଦେଖି ଖୁବ ଖୁଶି ଲାଗିଲା I ଆଉଦିନେ ଆଉ ଏକ ଇଂରାଜୀ କବିତା ମୋ’ର ଧ୍ୟାନ ଆକର୍ଷଣ କରିଥିଲା , କବିତାର ଲେଖିକାଙ୍କ ନାମ ଆଉ ଠିକଣା ଦେଖି ଉତ୍ସୁକତା ବଶତଃ କବିତାର ତାରିଫ କରି ପୋଷ୍ଟ କାର୍ଡଟିଏ ଲେଖିକାଙ୍କ ପାଖକୁ ପଠାଇ ଦେଇଥିଲି I

କାର୍ଯ୍ୟବ୍ୟସ୍ତତା ଭିତରେ କେତେବେଳେ ସମୟ ବିତିଯାଇ ଥିଲା ତା’ଜାଣି ପାରିନଥିଲି ୧୦ /୧୫ ଦିନ ପରେ ମୋ’ ଚିଠିର ଉତ୍ତର ପାଇ ଖୁବ ଖୁଶି ଲାଗିଥିଲା I ତା’ଙ୍କ ନାଁ ଥିଲା ସ୍ମିତା , ଖୁବ ସୁନ୍ଦର ଇଂରାଜୀରେ ଚିଠିଟିର ଉତ୍ତର ଓ ମୋ’ କବିତାର ଗୁଣଗାନ ସହିତ ମୋତେ ସୁଭେତ୍ସା ଜଣାଇ ଥିଲେ I ୧୯୯୬ ମସିହା ଡିସେମ୍ବର ମାସରୁ ଆମର ପତ୍ର ବିନିମୟ ଆରମ୍ଭ ହୋଇଯାଇଥିଲା , ଧୀରେ ଧୀରେ ଏହା ଏକ ନିୟମିତ ବନ୍ଧୁତାର ରୂପ ନେଇଥିଲା ଚିଠି ଦେବା ଓ ପାଇବାର ବ୍ୟବଧାନ ପାଖ ପାଖି ୧୦ ରୁ ୧୫ ଦିନ ଥାଏ I ବମ୍ବେ ମହାନଗରୀର ଅଧିବାସୀ ମୋର ନୂତନ ଲେଖିକା ବନ୍ଧୁ / ତଥା ପତ୍ରବନ୍ଧୁ I ଅନେକ ଜିଜ୍ଞାସା ମନରେ ସେ କେମିତି ଦେଖିବାକୁ ? ତା’ଙ୍କ ବୟସ କେତେ? ସେ କ’ଣ କରନ୍ତି? ତା’ଙ୍କର ସବୁକିଛି ଜାଣିବାକୁ ମନରେ ପ୍ରବଳ ଆଗ୍ରହ ଥିଲା, କିନ୍ତୁ ସେ ତା’ଙ୍କ ବିଷୟରେ କୌଣସି କଥା ମୋତେ କହୁ ନ’ଥିଲେ I ଅନେକ ବାର ପଚାରିବା ପରେ କେବଳ ତା’ଙ୍କର ଉତ୍ତର ଥିଲା “ବନ୍ଧୁ ମୁଁ ତୁମ ବିଷୟରେ କିଛି ଜାଣିବାକୁ ଚାହେଁ ନାହିଁ କି ତୁମେ ବି ମୋ ବିଷୟରେ କିଛି ଜାଣିବାର ଆବଶ୍ୟକତା ନାହିଁ, ଆମେ ବନ୍ଧୁ ସେଇଟା ହିଁ ଯଥେଷ୍ଟ, କେହି କାହାର ଫଟୋ ଦେଖିବା , ବୟସ ଜାଣିବା ବା ପରିବାର ସମ୍ପର୍କରେ ଜାଣିବା ମୋ’ ମତରେ ଠିକ ନୁହେଁ” , ଓଃ! ବଡ଼ ବିଚିତ୍ର ସିଧା ସଳଖ ଉତ୍ତର ଥିଲା ତା’ଙ୍କର I ମୁଁ’ କିଛି ନ’ କହି ସାଧାରଣ ବିଷୟ ଉପରେ ଲେଖି ଚିଠି ପତ୍ର ନିୟମିତ ଦେଉଥିଲି ଉତ୍ତରବି ଠିକ ସମୟରେ ପାଉଥିଲି, ଦିନେ ମୁଁ’ ମୋର ଗୋଟିଏ ଫଟୋ ସ୍ମିତା ପାଖକୁ ଦେଇଥିଲି ସ୍ମିତା ସେଇ ଫଟୋଟିକୁ ଦେଖି ତାରିଫ କରି ଚିଠି ଦେଇଥିଲା I ଏପରି ଦ୍ୱନ୍ଦ୍ୱ ଭିତରେ ସ୍ମିତା ବିଷୟରେ କିଛି ଜାଣିବାକୁ ମୋର ଆଗ୍ରହ ବଢି ବଢି ଚାଲିଥିଲା I

ସମୟ କାହାକୁ ଅପେକ୍ଷା କରେନାହିଁ , ସେ ତା’ବାଟରେ ଆଗେଇ ଚାଲିଥଏ I ବାରମ୍ବାର ମୋର ଆଗ୍ରହକୁ ଦେଖି ଦିନେ ସ୍ମିତା ତା’ର ପରିଚୟ ଚିଠି ମାଧ୍ୟମରେ ଉନ୍ମୋଚନ କରିଥିଲା , ସେଦିନ ମୁଁ ଖୁବ ଖୁଶି ଥିଲି କାରଣ ଅନ୍ଧକାର ଭିତରେ ଥାଇ ବନ୍ଧୁତା କରିବା ଆଉ ବନ୍ଧୁ ବିଷୟରେ ସବୁ ଜାଣି ବନ୍ଧୁତା କରିବା ଭିତରେ ଅନେକ ପାର୍ଥକ୍ୟ , ସେ ଯାହାହେଉ ମୋର ବନ୍ଧୁଙ୍କ ବିଷୟରେ ମୁଁ ସବୁ ଜାଣିପାରିଲି ଏହା ମୋ ପାଇଁ ଯଥେଷ୍ଟ ଥିଲା I ସେ ସମୟ କଥା କହୁଛି ,ସ୍ମିତା ସେତେବେଳେ ଜଣେ କଲେଜ ଛାତ୍ରୀ ଥିଲା , ତା’ର ବୟସ ହୁଏତ ମୋ’ର ଝିଅଠାରୁ ୪/୫ ବର୍ଷ ବଡ଼ ହୋଇପାରେ , ମୁମ୍ବାଇରେ ସେ ତା’ର ଛୋଟ ଭଉଣୀ, ମା’ଙ୍କ ସହିତ ରହୁଥିଲା, ସେମାନେ କେରଳର ନିବାସୀ କିନ୍ତୁ ମୁମ୍ବାଇରେ ଫ୍ଲାଟ କିଣି ରହୁଛନ୍ତି , ତା’ଙ୍କ ବାପା ଲିବିୟା ଦେଶରେ ଚାକିରୀ କରନ୍ତି I ଖୁବ ଛୋଟ ମଧ୍ୟବିତ୍ତ ପରିବାର ଆଉ ପରିବାରର ସବୁ ସଦସ୍ୟ ଖୁବ ଅମାୟିକ I ନିର୍ମଳ ବନ୍ଧୁତା ବୟସ, ଜାତି ଧର୍ମ , ବର୍ଣ୍ଣ , ଲିଙ୍ଗ, ଭାଷା କିଛି ଦେଖେ ନାହିଁ ସେଠି କେବଳ ପରସ୍ପର ପରସ୍ପରର ହୃଦୟକୁ ଦେଖନ୍ତି ଆଉ ବନ୍ଧୁତ୍ୱକୁ ଆହୁରି ନିବିଡ଼ କରିବାର ପ୍ରୟାସରେ ଥା’ନ୍ତି, ଆଶା ଆଉ କାମନା ବିହୀନ ବନ୍ଧୁତା ଆଜିକାଲି ଯୁଗରେ ଦୁର୍ଲଭ I ତେବେ ସ୍ମିତା ପ୍ରତି ମୋ’ର ସମ୍ମାନ ଆହୁରି ବଢିଯାଇଥିଲା, ମୁଁ ତାକୁ ମୋ’ର ବନ୍ଧୁ ତଥା ନିଜ ଝିଅ ପରି ବ୍ୟବହାର ଦେଖାଉଥିଲି ଦୀପାବଳି , ବଡ଼ଦିନ , ନୂତନ ବର୍ଷ , ମୋ’ ଜନ୍ମଦିନ ଗୁଡିକରେ ସେ ନିଶ୍ଚିତ ରୂପେ ଭଲ ସୁଭେତ୍ସା ପତ୍ର ବା ଗ୍ରୀଟିଙ୍ଗ କାର୍ଡ ପଠାଉଥିଲା, ଠିକ ସେହିପରି ମୁଁ ମଧ୍ୟ ପଠାଉ ଥିଲି I ବର୍ଷକୁ ଦୁଇଥର ଏକ ନିର୍ଦିଷ୍ଟ ଦିନରେ ଆମେ ପରସ୍ପର ଭିତରେ ଦୁଇ ଚାରିପଦ ଟେଲିଫୋନ ଯୋଗେ କଥା ହେଉଥିଲୁ , ସେଇ ନିର୍ଦିଷ୍ଟ ଦିନ ଦୁଇଟି ହେଲା – ଅକ୍ଟୋବର ମାସ ଛଅ ତାରିଖ (ମୋର ଜନ୍ମଦିନ) ଏବଂ ଡିସେମ୍ବର ମାସ ତେ’ର ତାରିଖ (ସ୍ମିତାର ଜନ୍ମଦିନ) I ଆମ ଦୁଇଜଣଙ୍କ ଘରେ ଲ୍ୟାଣ୍ଡ ଲାଇନ ଫୋନ ଥିଲା କିନ୍ତୁ ଖୁବ କଷ୍ଟରେ ମୁମ୍ବାଇକୁ ସଂଯୋଗ ମିଳୁଥିଲା , ଦଶ କୋଡ଼ିଏ ଥର ଡାଏଲ କରିବା ପରେ ଲାଇନ ମିଳୁଥିଲା, ବାସ ! ସେଥିରେ ବି ଯେତେ ଶୀଘ୍ର ଜନ୍ମ ଦିନର ସୁଭେତ୍ସା ଜଣାଇ କଥା ସାରିଦେଉଥିଲୁ କାରଣ ଏସ :ଟି:ଡ଼ି ବିଲର ମୂଲ୍ୟ ସେ ସମୟରେ ବହୁତ ଥିଲା ତେଣୁ କଥାରେ ଅଛି ” ଅଳପ ଧନ ବିକଳ ମନ ” I ସ୍ମିତା ଖୁବ ପ୍ରାଞ୍ଜଳ ଭାବେ ଇଂରାଜୀ କହିବାରେ ଅଭ୍ୟସ୍ତ , ମୁଁ ଯଦିଓ ଲେଖିପାରେ କିନ୍ତୁ ଇଂରାଜୀ କହିବାରେ ଟିକେ ଦୁର୍ବଳ , ସେ ଯାହା ହେଉ ବନ୍ଧୁ, ବନ୍ଧୁର ମନକଥା ଠିକ ବୁଝିପାରେ I ବାସ ! ତା’ପରେ କର୍ମ୍ମମୟ ଜଂଜାଳ ଭିତରେ ସମସ୍ତେ ବ୍ୟସ୍ତ, କେବଳ କିଛି ବ୍ୟବଧାନରେ ଚିଠି ଆସେ ଆଉ ତା’ର ଉତ୍ତର ମଧ୍ୟ ନିର୍ଦିଷ୍ଟ ସମୟରେ ଯାଏ I

ସମୟ ଗଡିଚାଲେ , ସ୍ମିତାର ବିବାହ ବୟସ ଆସେ ଓ ନିଜ ସମ୍ପ୍ରଦାୟର ଖୁବ ଭଲ ପାତ୍ର ସହିତ ତା’ର ବିବାହ ଠିକ ହୋଇଯାଏ I ବିବାହର ନିମନ୍ତ୍ରଣ ପତ୍ର ମଧ୍ୟ ମିଳେ, ସ୍ମିତାଙ୍କ ବାପା ଫୋନେ ଯୋଗେ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରନ୍ତି , କିନ୍ତୁ ମୁମ୍ବାଇ ଯାଇ ବିବାହ ଉତ୍ସବରେ ଯୋଗ ଦେବା ମୋ’ ପକ୍ଷରେ ସମ୍ଭବ ନ’ଥିଲା I ମୋ’ ତରଫରୁ କିଛି ଉପହାର ସ୍ମିତା ପାଖକୁ ଡାକରେ ପଠାଇ ଦେଇଥିଲି ଏବଂ କିଛି ମିଠା ସ୍ମିତା ତରଫରୁ ବି ପାଇଥିଲି , ସତରେ ଛୋଟ ଛୋଟ କଥା ହେଲେବି ଖୁବ ମନକୁ ଛୁଇଁ ପାରିଛି I ସ୍ମିତାର ବୈବାହିକ ଜୀବନ ଖୁବ ହସଖୁସିରେ କଟିଯାଏ ତା’ପରେ ସ୍ମିତା ଗୋଟିଏ ପୁତ୍ର ସନ୍ତାନର ଜନନୀ ହୁଏ I ମୁଁ ମଜା କରି ସ୍ମିତାକୁ ପଚାରିଥିଲି ,ତୁମ ପୁଅ ମୋତେ କ’ଣ ଡାକିବି ଆଉ ସେ ମୋ’ର କ’ଣ ସମ୍ପର୍କ ହେବ? ସ୍ମିତା ହସି ହସି ଉତ୍ତର ଦେଇଥିଲା “ସେ ଆପଣଙ୍କୁ ‘ଅଜା’ ଡ଼ାକିବ ଆଉ ସମ୍ପର୍କରେ ‘ନାତି’ ହେବ”, ସତରେ ଖୁଶି ଲାଗିଥିଲା ତା’ର ଉତ୍ତର ଶୁଣି I

ସେତେଦିନ ଯାଏ ଆମେ ପରସ୍ପର କେହି କାହା ସହିତ ଦେଖା ସାକ୍ଷାତ ହୋଇ ନଥିଲୁ, ମୋ’ର ଝିଅ ବାଙ୍ଗାଲୋରରେ ଏମ :ବି : ଏ ପଢ଼ୁଥିବା ସମୟରେ ତା’ର କଲେଜରୁ କିଛି ସହପାଠୀଙ୍କ ସହିତ ସେ ମୁମ୍ବାଇ ଷ୍ଟକ ଏକ୍ସଚେଂଜ ଯିବାର ଥିଲା ମୁଁ ତା’ର ମୁମ୍ବାଇ ପହଂଚିବା ସମୟ/କାର୍ଯ୍ୟସୂଚୀ ସ୍ମିତାକୁ ଦେଇଥିଲି , ସ୍ମିତା ବଡ଼ ସହୃଦୟତାର ସହ ମୋ’ର ଅନୁରୋଧ ରକ୍ଷାକରି ନିଜ ଭଉଣୀକୁ ନେଇ ରାତ୍ରି ୧୦ ଘଣ୍ଟା ସମୟରେ ‘ଦାଦର’ ଷ୍ଟେସନରେ ଅପେକ୍ଷା କରିଥିଲା , ମୋର ଝିଅ ଆଉ ତା’ର ସହପାଠୀ ମାନଙ୍କୁ ନେଇ ନିଜ ଘରେ ରଖିଥିଲା I ଚିଂହା ନାହିଁ, ଜଣାନାହିଁ ପତ୍ରବନ୍ଧୁର ଝିଅ ତଥା ତା’ର କିଛି ସହପାଠୀଙ୍କୁ ନେଇ ଘରେ ରଖି ରାତ୍ରିଭୋଜନରେ ଆପ୍ୟାୟିତ କରିବା କ’ଣ ଛୋଟ କଥା ? ଖୁବ ଭଲ ଲାଗିଥିଲା ଅଜଣା ଅଶୁଣା ଜାଗାରେ ସ୍ମିତାର ଏହି ନିସ୍ଵାର୍ଥପର ସେବା I ମୋର ବନ୍ଧୁ, କିନ୍ତୁ ମୋ ଝିଅ ସହିତ ସ୍ମିତାର ପ୍ରଥମ ସାକ୍ଷାତ , ଖୁବ ମଜାର ଵିଷୟ I ସମୟ ଗଡିଚାଲେ ସ୍ମିତା ଆଉ ତା’ର ସ୍ୱାମୀ କୌଣସି କାରଣରୁ ଅଲଗା ହୋଇ ଯା’ନ୍ତି , ପାରିବାରିକ କଥା ସ୍ୱାମୀ ସ୍ତ୍ରୀ ପରସ୍ପର ଠାରୁ ଦୁରେଇ ରୁହନ୍ତି ପୁଅଟି କିନ୍ତୁ ସ୍ମିତା ପାଖରେ ଥାଏ I ସ୍ମିତାର ସାନ ଭଉଣୀର ବାହାଘର କଲିକତାର ଜଣେ ବଙ୍ଗୀୟ ଯୁବକ ସହିତ ଠିକ ହୋଇ ଯାଇଥାଏ , ଏଥର ମଧ୍ୟ ମୋତେ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଆସେ I ବିବାହ ଉତ୍ସବ କଲିକତାରେ ହେବାର ଠିକ ହୋଇଥିଲା ତେଣୁ ମୁଁ ଯିବାଟା ସୁନିଶ୍ଚିତ ଥିଲା, କାରଣ କଲିକତା ମୋ’ ସହରରୁ ମାତ୍ର ସାତ ଘଂଟାର ବାଟ I ସେହି ସମୟରେ ମୋ’ ଝିଅର ପୋଷ୍ଟିଙ୍ଗ ରାଞ୍ଚି ହୋଇଗଲା , ତେଣୁ ରାଞ୍ଚି ଯାଇ ମୋ’ ଝିଅର ରହିବାର ବନ୍ଦୋବସ୍ତ କରି କଲିକତା ଯିବାର ବ୍ୟବସ୍ଥା କରିଥିଲୁ I ନିର୍ଦିଷ୍ଟ ସମୟରେ କଲିକତା ସସ୍ତ୍ରୀକ ପହଂଚି ଥିଲୁ ଏବଂ ସେଇ ଥିଲା ସ୍ମିତା ସହିତ ମୋର ପ୍ରାୟ ୧୦/୧୨ ବର୍ଷ ପରେ ପ୍ରଥମ ଦେଖା, ସ୍ମିତା, ତା’ଙ୍କ ବାପା, ମା’ , ଭଉଣୀ ଆଉ ସ୍ମିତାର ପୁଅ ସହିତ, ଆମର ପ୍ରଥମ ସାକ୍ଷାତ ଖୁବ ଖୁଶି ଲାଗିଥିଲା ଯାହାକି ଅବର୍ଣ୍ଣନୀୟ, ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଆମେ ସେହି ଦିନ ରାତ୍ରିରେ ଫେରିଆସିଥିଲୁ କଟକ I

ସମୟ ଗଡିଚାଲିଛି, ଆଉ ଆମର ବନ୍ଧୁତା ପୂର୍ବବତ ଚାଲିଆସୁଛି , କେବଳ ଫରକ ଏତିକି ଯେ , ବ୍ୟସ୍ତତା ଭିତରେ କେହି କାହାପାଇଁ ଏତେଟା ସମୟ ଦେଇପାରୁନାହୁଁ I ଚିଠି ପତ୍ର ତ’ କେବେଠାରୁ ବନ୍ଦ ହୋଇଗଲାଣି ,ତା’ର କାରଣ ଇଣ୍ଟରନେଟ ଯୁଗରେ ଆଉ କେହି ଡାକସେବା ଉପରେ ନିର୍ଭର କରିବାକୁ ଏତେଟା ପସନ୍ଦ କରୁନାହାନ୍ତି I ମୋବାଇଲ ଫୋନ ଆସିବାପରେ ଯୋଗାଯୋଗ ଆହୁରି ସହଜ ହୋଇଯାଇଛି ତେଣୁ ମଝିରେ ମଝିରେ କେବେ କେମିତି ଫୋନ ଯୋଗେ କିଛି କଥା ବାର୍ତ୍ତା ହୋଇଯାଉ I ମୋ’ର ଝିଅ ବିବାହ କରି ମୁମ୍ବାଇରେ ରହୁଛି , ଛୋଟ ନାତୁଣୀକୁ ଦେଖିବାକୁ ମୁଁ ମୁମ୍ବାଇ ଯିବା ଅବସରରେ ସ୍ମିତା ମୋତେ ତା’ଙ୍କ ଘରକୁ ମାଧ୍ୟାନ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲା , ମୁଁ ରହୁଥିବା ସ୍ଥାନରୁ ତା’ଙ୍କ ଘର ଅନେକ ଦୂର ତେବେବି ମୋ’ ଜ୍ୱାଇଁ ମୋତେ ତା’ଙ୍କ ଗାଡ଼ିରେ ନେଇ ଛାଡ଼ିଦେଇ ଆସିଥିଲେ I ସେଇଟା ଥିଲା ମୋର ସ୍ମିତା ସହିତ ଦ୍ଵିତୀୟ ସାକ୍ଷାତ I ଖୁବ ସୁସ୍ୱାଦୁ ଖାଦ୍ୟରେ ଆପ୍ୟାୟିତ କରିବା ସହିତ ଅନେକ ଉପହାର ମଧ୍ୟ ଦେଇଥିଲା ମୋର ବନ୍ଧୁ , ସତରେ ମୁଁ ନିଜକୁ ନିଜେ ଗର୍ବ ଅନୁଭବ କରୁଥିଲି I ସ୍ମିତାର ବାପା, ମା’ ଙ୍କ ସହିତ ବି ଖୁବ ଆଳାପ କରିଥିଲି ସ୍ମିତାର ପୁତ୍ର ରାହୁଲ ଓ ସ୍ମିତାର ସାନ ଭଉଣୀର ଝିଅ ଶିବାଙ୍ଗି ସହିତ ହସ ଖୁଶିରେ ୨/୩ ଘଣ୍ଟା କେମିତି କଟିଗଲା ଜାଣି ପାରି ନ’ଥିଲି I ଅପରାହ୍ନରେ ବିଦାୟ ନେଇ ଆସିବା ବେଳେ ସ୍ମିତା ମୋତେ ବୋରିବଲି ଷ୍ଟେସନରେ ଆସି ଟ୍ରେନରେ ବସାଇ ଦେଇ ଯାଇଥିଲା I ମୋ’ର ଗନ୍ତବ୍ୟ ଷ୍ଟେସନ ଥିଲା ଅଂଧେରୀ I କାହାରି ପାଇଁ ସମୟ ଆଉ ପଛକୁ ଫେରି ଚାହେନାହିଁ , ସ୍ମିତା ଜୀବନରେ ଅନେକ ଝଡ଼ ଆସିଛି ଆଉ ଚାଲିଯାଇଛି , ସ୍ମିତା କିନ୍ତୁ ସବୁ ଝଡ଼କୁ ଦୃଢତାର ସହ ସାମ୍ନା କରିଛି, କେବେବି ଭାଙ୍ଗି ପଡ଼ିନାହିଁ I ନାରୀ ଦୁର୍ବଳ ନୁହେଁ , ନାରୀ ଅସହାୟ ନୁହେଁ , ନାରୀ ସ୍ବୟଂସିଦ୍ଧI , ନାରୀ ଦୁର୍ଗା, ସବୁ ପ୍ରକାର ବାଧା ବିଘ୍ନ ଏଡାଇ ଯାଇପାରେ I ଏକଦା ବନ୍ଧୁର ଦୁଖଦଃ ଖବର ପାଇଥିଲି, ବିବାହ ବିଛେଦ ପାଇଁ ଦୁଇଜଣ ସହମତି ଦେଇଥିଲେ କାରଣ ସେମାନେ ଆଉ ଏକାଠି ରହିବାକୁ ଚାହୁଁ ନ’ଥିଲେ , ତାଙ୍କ ପାରିବାରିକ କଥାରେ ମୋ’ର ମୁଣ୍ଡ ପୁରାଇବା ଉଚିତ ନୁହେଁ ବୋଲି ଭାବି ଚୁପ ରହିଥିଲି, ସ୍ମିତା କୌଣସି ପ୍ରଶ୍ନ ପଚାରି ନ’ଥିଲା କିମ୍ବା ମୁଁ ମୋ’ ତରଫରୁ କୌଣସି ଉପଦେଶ ଦେବାକୁ ଉଚିତ ମଣି ନ’ଥିଲି, ସ୍ୱାମୀ ସ୍ତ୍ରୀଙ୍କ କଥା ସେମାନେ ନିଜେ ଯାହା ଉଚିତ ଭାବିବେ କରିବେ, ଏଠାରେ ତୃତୀୟ ପକ୍ଷର ପ୍ରବେଶ ଅନୁଚିତ I ବିଧିର ବିଧାନ..କେବଳ ଭଗବାନ ଜାଣନ୍ତି କ’ଣ ହେବ ଆଗକୁ , ଛାଡ଼ପତ୍ର ହୋଇପାରିଲା ନାହିଁ ତା’ ଆଗରୁ ଅସୁସ୍ଥ ହୋଇ ସ୍ମିତାର ସ୍ୱାମୀ ହସ୍ପିଟାଲରେ ଭର୍ତ୍ତିହେଲେ ଆଉ ସେଇଠି ଚିରଦିନ ପାଇଁ ଆଖି ବୁଜିଦେଇଥିଲେ I ଖବର ଶୁଣି ମୋତେ ଖୁବ ଦୁଃଖ ଲାଗିଥିଲା I ସ୍ମିତା ଏହା ମଧ୍ୟରେ ଘର ପାଖ ସ୍କୁଲରେ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିଲା ତେଣୁ ପରିବାର ଠିକ ମତେ ଚଳିଯାଉଥିଲା I କିଛିଦିନ ପରେ ଆଉ ଏକ ଦୁଖଦଃ ଖବର ଶୁଣି ମର୍ମାହତ ହୋଇଗଲି , ସ୍ମିତାଙ୍କ ବାପା ମଧ୍ୟ ଆରପାରିକୁ ଚାଲିଗଲେ , ବର୍ତ୍ତମାନ ମୋର ବନ୍ଧୁ ନିଜ ସନ୍ତାନ ରାହୁଲ ଆଉ ମା’ ଙ୍କ ସହିତ ରହୁଛି , ନୂତନ ଭାବେ ନିଜ ଜୀବନ ଯାତ୍ରା ପଥରେ ଆଗେଇ ଚାଲିଛି ମୋର ବନ୍ଧୁ ସ୍ମିତା , ପିଲାଙ୍କୁ ନାଚ ଶିଖାଇବା ତଥା ସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ହିସାବରେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରିବାରେ ଆଜି ସେ ସମର୍ଥ , କିଛି ବର୍ଷ ହେଲା ଆଧ୍ୟାତ୍ମିକ ଶିକ୍ଷା ଦିଗକୁ ମଧ୍ୟ୍ୟ ଧ୍ୟାନ ଦେଉଛି I ବୌଦ୍ଧ ଧର୍ମ୍ମ ଉପରେ ଅନେକ ଜ୍ଞାନ ଅର୍ଜନ କରି ପାରିଛି I ପୁଅ ରାହୁଲ ବର୍ତ୍ତମାନ ହାଇଅର ସେକେଣ୍ଡାରୀ ପଢୁଛି I ମଝିରେ ମଝିରେ ସ୍ମିତା ସହିତ କଥା ହୋଇ ପରିବାର କଥା ବୁଝେ , ସେ ମଧ୍ୟ ତା’ର ବ୍ୟସ୍ତ ବହୁଳ ସମୟ ଭିତରେ ମଝିରେ ମଝିରେ ବାର୍ତ୍ତାଳାପ କରେ , ଏଇତ ଦୁନିଆ ! ଆଉ ଉତ୍ତମ ବନ୍ଧୁତାର ଏକ ଉଦାହରଣ I ପରସ୍ପର କେହି କାହାରି ଠାରୁ କିଛି ଚାହିଁ ନାହାନ୍ତି କି କୌଣସି ଆଶା ରଖି ବନ୍ଧୁତା କରିନାହାନ୍ତି , ଆମ ବନ୍ଧୁତ୍ୱରେ ବୟସ , ଭାଷା , ଲିଙ୍ଗ ଗତ ପାର୍ଥକ୍ୟ , ଜାତି , ଧର୍ମ୍ମ ,ବର୍ଣ୍ଣ କିମ୍ବା ବଡ଼ ଛୋଟର କୌଣସି ପ୍ରଶ୍ନ ନ’ଥିଲା କିମ୍ବା ଆଜି ବି ନାହିଁ , ହୁଏତ ସେଥିଲାଗି ଏହି ବନ୍ଧୁତା ଚିରସ୍ଥାୟୀ ହୋଇ ରହିଛି ଆଉ ରହିଥିବ ମଧ୍ୟ I ଭଗବାନଙ୍କୁ ପ୍ରାର୍ଥନା ମୋ’ ବନ୍ଧୁକୁ ଆହୁରି ସହାୟ ହୁଅନ୍ତୁ, ସେ ତା’ର କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ତା’ର ଲକ୍ଷ ସ୍ଥଳରେ ପହଂଚି ପାରୁ I (16/06/2022)

ସମ୍ମାନସହ ,

ବିଷ୍ଣୁ ପ୍ରସାଦ ଦାସ

ବରିଷ୍ଠ ନାଗରିକ

ସ୍ନେହ କୁଟୀର

ଝାଞ୍ଜିରୀ ମଙ୍ଗଳା, କଟକ ୭୫୩୦୦୯
Mo: 9937174097

Comments are closed.