ମାନିନୀ

ବିଷ୍ଣୁ ପ୍ରସାଦ ଦାସ

ମାନିନୀ ଅପରାହ୍ନରେ ଘରର ସବୁ କାମ ସାରି ସୋଫା ଉପରେ ବସି ଟିକେ ବିଶ୍ରାମ ନେଉଥିଲା, ସାରା ଘରର କାମ ଯେତେ କଲେବି ସରୁନାହିଁ I ନିଜକୁ ନିଜେ ଗୁଣୁ ଗୁଣୁ ହୋଇ କ’ଣ ସବୁ କହିଚାଲିଥିଲା, ହାତରେ ସ୍ମାର୍ଟ ଫୋନ, ଟିକେ ସମୟ ମିଳିଲେ ବାସ ଏହି ସ୍ମାର୍ଟଫୋନ ସବୁଠାରୁ ବେଶୀ ନିଜର ପରି ମନେହୁଏ I ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ବୋଧହୁଏ ଏହି ସ୍ମାର୍ଟଫୋନ, ମଣିଷର ସବୁ ଆବଶ୍ୟକତାକୁ ସ୍ମାର୍ଟଫୋନ ଅନଲାଇନ ଦ୍ୱାରା ପୂରଣ କରିପାରୁଛି, ତେଣୁ ଆଜିକାଲି ପିଲାଠାରୁ ବୟସ୍କ ବ୍ୟକ୍ତି ସମସ୍ତଙ୍କର ପ୍ରିୟ ଏହି ସ୍ମାର୍ଟଫୋନ I ଯୁଗ ବଦଳୁଛି ଆଉ ତାହା ସହିତ ମଣିଷର ଚାହିଦା ମଧ୍ୟ ବଦଳୁଛି I ସ୍ମାର୍ଟଫୋନର ଅପବ୍ୟବହାର ତଥା ଅତ୍ୟଧିକ ବ୍ୟବହାର ଆମପାଇଁ କ୍ଷତିକାରକ , ଅନେକ ଯୁବକ ଯୁବତୀ, କୋମଳମତି ବାଳକ ବାଳିକା ଏହି ସ୍ମାର୍ଟଫୋନ ଦ୍ୱାରା ଅନେକ ଅସୁବିଧାରେ ପଡୁଛନ୍ତି ବେଳେବେଳେ କୁପଥରେ ଯାଇ ନିଜ ଜୀବନ ମଧ୍ୟ ଦେଇ ଦେଉଛନ୍ତି I ସାଇବର ଠକ ମାନେ ଲୋକଙ୍କ ସରଳତାର ସୁଯୋଗ ନେଇ ତା’ଙ୍କୁ ତଳିତଳାନ୍ତ କରିଦେଉଛନ୍ତି I ତେଣୁ ଏହି ସ୍ମାର୍ଟଫୋନ ଆମପାଇଁ ଯେତିକି ଭଲ ସେତିକି ଖରାପ, ଆମେ ନିଜକୁ ନିଜେ ଯେତେ ନିୟନ୍ତ୍ରଣରେ ରଖିପାରିବା ସେତେ ଉପକୃତ ହେବା, ପରିବାରର ଶାନ୍ତି ଆଗରେ ସ୍ମାର୍ଟ ଫୋନ ତୁଛ I

ମାନିନୀ ସ୍ମାର୍ଟଫୋନ ଖୋଲି କିଛି ଦେଖି ଚାଲିଛି ଆଉ ତା’ର ଆଙ୍ଗୁଳି ଟିପ ଟାଇପ କରିଚାଲିଛି, ହଠାତ ନିର୍ମଳାଦେବୀ ମାନିନୀ ହାତରୁ ସ୍ମାର୍ଟ ଫୋନଟି ଟାଣିନେଲେ, ନିର୍ମଳା ଦେବୀ ମାନିନୀର ଶାଶୁମା’ I ମାନିନୀ ହଠାତ କିଛି ବୁଝିପାରିଲାନାହିଁ, ଆଶ୍ଚର୍ଯ୍ୟ ହୋଇ ନିର୍ମଳା ଦେବୀଙ୍କୁ ଚାହିଁ ପଚାରିଲା “ମା’ କ’ଣ ହେଲା ? ମୁଁ ତ’ ଘର କାମ ସବୁ ସାରିଦେଇ ଟିକେ ମୋବାଇଲ ଧରି ବସିଛି, ନିର୍ମଳା ଦେବୀ କୌଣସି ଉତ୍ତର ନ’ଦେଇ ମୋବାଇଲ ଟିକୁ ଧରି ଚାଲିଗଲେ I ମାନିନୀକୁ ଏହା ଖୁବ ଖରାପ ଲାଗିଲା, ସେ’ ନିଜକୁ ଅପମାନିତ ବୋଧ କଲା, କାହାକୁ କିଛି ନ’କହି ନିଜ ବେଡ଼ ରୁମକୁ ଯାଇ ଖଟ ଉପରେ ଶୋଇ କାନ୍ଦିବାକୁ ଲାଗିଲା I ସେ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲା ଯେ, ତା’ର ଶାଶୁମା କେମିତି ଏତେ ବଦଳିଗଲେ? ମାନିନୀ ଭାବୁଥିଲା ସେଇ ପୁରୁଣା କଥା, ସେ ଯେତେବେଳେ ଅଶୋକଙ୍କୁ ବାହାହୋଇ ଆସିଲା ସେତେବେଳେ ଶାଶୁମା’ କେତେ ଭଲ ଥିଲେ, ସେ ନିଜକୁ ନେଜେ ଭାବି ପାରୁନଥିଲା ଯେ, ସେ ଏ’ଘରର ବୋହୁ ନା’ଝିଅ? ପ୍ରତିଟି କଥାରେ ସ୍ନେହ ମମତା ଆଉ ଭଲପାଇବା ଭରି ରହିଥିଲା, ଡାଇନିଂ ଟେବୁଲରେ ସମସ୍ତେ ବସି ଏକାଠି ଖାଉଥିଲେ, ମଜା ମଜା ଗଳ୍ପ ବି କରୁଥିଲେ I ସମୟ ସମୟରେ ଶାଶୁମା’ କହୁଥିଲେ ମାନିନୀ ତୁ ତ’ ମୋ’ର ବୋହୁ ନୁହେଁ, ତୁ ମୋର ଝିଅ, ମୋ’ର କେହି ଝିଅ ନାହାନ୍ତି ଅଶୋକ ଗୋଟିଏ ମାତ୍ର ପୁଅ ତେଣୁ ତୁମେ ଦୁଇଜଣ ଆମ ମାନଙ୍କର ସାହା ଭରସା, ଯେତେଦିନ ଆମେ ଅଛୁ ହସଖୁସିରେ ସଂସାରଟା ଏମିତି ଚାଲିଥାଉ I ଏତେ ସ୍ନେହ ଏତେ ସହାନୁଭୂତି, ଏତେ ଭଲପାଇବା, ଏତେ ଆନ୍ତରିକତା ଏସବୁ କ’ଣ ଲୋକଦେଖାଣିଆ ଥିଲା? ମାନିନୀ ମସ୍ତିଷ୍କରେ କେତେ କ’ଣ ନକାରାତ୍ମକ ଚିନ୍ତାଧାରା ପ୍ରବେଶ କରୁଥିଲା ଆଉ ମନେ ମନେ ନିଜକୁ ଖୁବ ଦୁଃଖୀ ପରି ଅନୁଭବ କରୁଥିଲା I ଦୀର୍ଘ ଦୁଇ ବର୍ଷର ବିବାହିତ ଜୀବନ ଭିତରେ ଶାଶୁମା’ଙ୍କ ଠାରୁ ଏପରି ବ୍ୟବହାର କେବେବି ପାଇ ନ’ଥିଲା, ତେବେ ଆଜି ଶାଶୁମା’ଙ୍କର ହେଲା କଣ? ସେ ଏତେ କଠୋର କାହିଁକି ହେଲେ? ମନ ଭିତରେ ଅନେକ ପ୍ରଶ୍ନ ଆଉ ଅନେକ ଉତ୍ତର ଭିତର କିଛି ସମୟ ବିତି ଯାଇଛି, ଟିକେ ଛାଇ ନିଦ ଲାଗିଯାଇଥିଲା ମାନିନୀକୁ I

ହଠାତ ଅଶୋକଙ୍କ ପାଟିରେ ମାନିନୀର ଛାଇ ନିଦଟା ଭାଙ୍ଗିଗଲା I ଅଶୋକ ପ୍ରାୟ ସନ୍ଧ୍ୟା ସାତଟା ସୁଦ୍ଧା ଅଫିସରୁ ଘରକୁ ଫେରନ୍ତି I ସନ୍ଧ୍ୟା ବେଳେ ଚା’ ଜଳଖିଆ ଖାଇଦେଇ ସେ ତା’ଙ୍କ କାମରେ ବ୍ୟସ୍ତ, ଶାଶୁମା ଏକା, ସେ ପ୍ରାୟ ଟିଭି ଦେଖିବାକୁ ଭଲ ପାଆ’ନ୍ତି ନାହିଁ, ସେ ଟିକେ ଗପୁଡି ତେବେ କାହା ସହିତ ଆଉ ଗପିବେ? ଶ୍ୱଶୁର ଦୂର ଜାଗାରେ କାମ କରନ୍ତି ତେଣୁ ସେ ପ୍ରତି ଶନିବାର ଦିନ ଆସି ପୁଣି ସୋମବାର ସକାଳେ ନିଜ କାର୍ଯ୍ୟାଳୟକୁ ଫେରି ଯା’ନ୍ତି, ଘରେ ଆମେ ତିନିଜଣ I ଶାଶୁମା’ ଚା’ ଜଳଖିଆ ଅଶୋକଂକୁ ଦେଇଦେଲେ, ଅଶୋକ ଚା’ ଜଳଖିଆ ଖାଇ ମାନିନୀ ପାଖକୁ ଆସି ଉଚ୍ଚ ସ୍ୱରରେ ପଚାରିଲେ “ମାନିନୀ ତୁମେ ମୋତେ’ ଫେସବୁକ’ରେ ବ୍ଲକ କରିଦେଇଛ କାହିଁକି ? ତୁମେ ଖୁବ ଅଭାଦ୍ରାମୀ କରୁଛ, ମୋର ସାଙ୍ଗ ମାନଙ୍କ ସହିତ ତୁମର କ’ଣ ସମ୍ପର୍କ? ଆଉ ତୁମେ ତା’ଙ୍କୁ ‘ଲାଇକ’ ‘ସେଆର’ କରୁଛ କିନ୍ତୁ ଆଜି ଦେଖୁଛି ତୁମେ ମୋତେ ବ୍ଲକ କରିଛ, ମାନିନୀ ବି ଚୁପ ରହିବାକୁ ପସନ୍ଦ କରିନଥିଲା, ଏକରେ ମୋବାଇଲ ଫୋନ ଶାଶୁମା’ ନେଇ ଯିବାର ଦୁଃଖ ତା’ ଉପରେ ଅଶୋକଙ୍କ ନାଲି ଆଖି ମାନିନୀ ଉତ୍ତର ଦେଇଥିଲI “କ’ଣ କହିବାକୁ ଚାହୁଁଛ? ସବୁ ଦୋଷ ମୋର? ମୁଁ କ’ଣ ନିଜ ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଛି ନା କ’ଣ? ମୁଁ ଘରର କୂଳବଧୁ ମୋର ବି ମାନ ସମ୍ମାନ ଅଛି , ମୋ’ର ବି ଆଭିଜାତ୍ୟ ଅଛି , ତୁମେ ଯାହା କହୁଛ ନିଜ ନିୟନ୍ତ୍ରଣରେ ରହି କୁହ, ମୁଁ ଏପରି କିଛି କାର୍ଯ୍ୟ କରିନାହିଁ ଯେ, ଯେଉଁଥିପାଇଁ ନିଜକୁ ଲଜ୍ଜିତ ଅନୁଭବ କରିବି” କିଛି ସମୟର ନୀରବତା ପରେ ହଠାତ ଅଶୋକ ଉତ୍କ୍ଷିପ୍ତ ହୋଇ ମାନିନୀକୁ ଏକ ଶକ୍ତ ଚଟକଣା ଦେଲେ I ମାନିନୀର ଧର୍ଯ୍ୟର ସୀମା ଟପିଗଲା ମାନିନୀ ମଧ୍ୟ ନିଜକୁ ସମ୍ଭାଳିବା ଅବସ୍ଥାରେ ନ’ଥିଲI , ଅଶୋକଙ୍କୁ କହିଥିଲI “ମୁଁ କାହାରିକୁ ବ୍ଲକ କରିନାହିଁ, ଯଦି ବିଶ୍ୱାସ ନ’ହେଉଛି ଯାଅ ମା’ଙ୍କୁ ପଚାର ସେ ଆଜି ଅପରାହ୍ନରୁ ମୋ’ ଠାରୁ ମୋବାଇଲ ନେଇ ଯାଇଛନ୍ତି ତେଣୁ ସେ ହିଁ ଏହାର ଉତ୍ତର ଦେବେ” I ସମୟ ଅସମୟରେ ଟିକେ ମୋବାଇଲ ଧରି ସମୟ ବିତାଉଥିଲି ,କିନ୍ତୁ ମା’ ଆଜି କ’ଣ ଭାବିଲେ କେଜାଣି ମୋ’ଠାରୁ ମୋବାଇଲ ଫୋନ ନେଇଯାଇଛନ୍ତି I ଦୟାକରି ମୋତେ ଆଉ ବିରକ୍ତ ନ’କରି ଯାଇ ମା’ଙ୍କୁ ପଚାର ଆଉ ନିଜ ଉପରେ ନିଜର ନିୟନ୍ତ୍ରଣ ରଖ, ଭୁଲି ଯାଅନାହିଁ ଯେ, ମୁଁ ତୁମର ବିବାହିତା ସ୍ତ୍ରୀ, ଘରର ଚାକରାଣୀ ନୁହେଁ” I

ସେଦିନ ଶନିବାର ଥିଲା କିଛି ସମୟ ପରେ ଶ୍ୱଶୁର ମହାଶୟ ଘରକୁ ପ୍ରବେଶ କଲେ, ଘରେ ବାତାବରଣ ଉଷ୍ମ ଥିଲା, ସେ ସବୁ ବିଷୟ ଶାଶୁମା’ଙ୍କ ଠାରୁ ବୁଝିଲା ପରେ ମାନିନୀ କୁ ଡାକିଲେ, ମାନିନୀ ଆସି ତା’ଙ୍କ ପାଖରେ ଠିଆ ହେଲା , ଶାଶୁମା’ ଶ୍ଵଶୁରଙ୍କ ପାଖରେ ବସି ଥା’ନ୍ତି I ମାନିନୀ ପଚାରିଲା “ବାପା ଆପଣ ମୋତେ ଡାକୁଥିଲେ? ହଁ, ରେ ମା’, ମୋ’ ପାଇଁ ଟିକେ ଭଲ ଚା’ କରି ଆଣିଲୁ, ଆଜି ଟିକେ ମୋତେ ଥକ୍କା ଲାଗୁଛି, ଶାଶୁମା’ଙ୍କ ବଡ଼ ବଡ଼ ଆଖି ଦେଖି ମାନିନୀ ଚା’ କରିବାକୁ ଚାଲିଯାଇଥିଲା, ସତରେ ଶାଶୁମାଙ୍କ ଉପରେ ମାନିନୀର ମନ ଭିତରେ ରାଗ ଆସି ଯାଇଥିଲା I ଚା’ ଧରି ଆସିଲାବେଳେ ମାନିନୀ ଶୁଣିଲା ,ଶାଶୁମା’ ଶ୍ୱଶୁରଙ୍କୁ କହୁଛନ୍ତି “ତୁମେ କି ବୋହୁ ଆଣିଲ ଯେ, ସବୁବେଳେ ଖାଲି ମୋବାଇଲ ଧରି ବସିଛି” ଶ୍ଵଶୁରଙ୍କ ଉତ୍ତର ଥିଲା, ‘ନିର୍ମଳା ଶୁଣ, ଅଶୋକ ତ’ ମାନିନୀକୁ ପସନ୍ଦ କରିଥିଲା ତୁମେ ବି ଦେଖିଲ ଆଉ ଶେଷରେ ମୋତେ ଦୋଷ ଦେଉଛ କାହିଁକି? ଆଜିକାଲି ତ’ ମୋବାଇଲର ଯୁଗ ମୁଁ କ’ଣ କରିପାରିବି କୁହ?’ ମାନିନୀ ଚା’ ଦେଇ ନିଜ ରୁମକୁ ଚାଲି ଆସିଥିଲା , ଅଶୋକ ମୋବାଇଲ ନେଇ ବ୍ୟସ୍ତ I ଚା’ ପିଇସାରି ବାପା ରୁମ କୁ ପ୍ରବେଶ କରିବା ପୂର୍ବରୁ ଅଶୋକ, ଅଶୋକ ଡାକ ଦେଲେ ଆଉ ଆମେ ଦୁଇଜଣ ଟିକେ ସତର୍କ ହୋଇଗଲୁ, ବାପା ଅଶୋକକୁ କହିଲେ “ଅଶୋକ ତୋ’ର ମୋବାଇଲ ଟିକେ ଦେଲୁ ” ଅଶୋକ ମୋବାଇଲ ଦେବାପରେ ବାପା ତା’କୁ ନିଜ ପକେଟ ଭିତରେ ପୁରାଇ କହିଲେ “ଏଇଟା କାଲି ସକାଳେ ପାଇବୁ, ହଁ ଆଉ ମନେ ରଖ ଅଫିସରୁ ଆସିଲେ ଏଇ ଫୋନ ତୋ’ର ମା’ଙ୍କୁ ଦେଇ ଦେବୁ ପୁଣି ପରଦିନ ଅଫିସ ଗଲାବେଳେ ମା’ଙ୍କ ଠାରୁ ନେଇନେବୁ , ମୋ’ କଥାରୁ ଯଦି ବିଚ୍ୟୁତ ହେବୁ ତେବେ ମୋ’ର ରୂପ ଦେଖିବୁ” ଶାଶୁମା’ ପୁଅକୁ ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରୁଥିବା ବେଳେ ବାପା ନିଜ କଥାରେ ଅଟଳ ଥିଲେ I ଅଶୋକ ଟିକେ ବିରୋଧ କରି ବାପାଙ୍କୁ କହିଥିଲେ “ବାପା ମୁଁ କ’ଣ ଛୋଟ ପିଲା ଯେ ତୁମେ ମୋର ମୋବାଇଲ ଫୋନ ନେଇ ଯାଉଛ ? ବାପାଙ୍କ’ ଉତ୍ତର ଥିଲା “ଆରେ ତୁ ଯେତେ ବଡ଼ ହେଲେବି ମୋ’ ଠାରୁ ତ’ଆଉ ବଡ଼ ହୋଇ ପାରିବୁ ନାହିଁ” ଆଉ କିଛି ଉତ୍ତର ନଦେଇ ଅଶୋକ ଚୁପ ରହିଲେ, ବାପା ରୂମରୁ ଯିବା ପରେ ଆମେ ଦୁହେଁ ଦୁଇଜଣକୁ ଚାହିଁ ରହିଲୁ , ଦୁଇଜଣ ନୀରବ ଆଉ ଗମ୍ଭୀର I ରାତ୍ରି ଭୋଜନଟା ବି ଗମ୍ଭୀର ବାତାବରଣ ଭିତରେ କଟିଗଲା ଯିଏ ଯାହା ରୂମକୁ ଚାଲିଗଲେ , ନିଜର ଭୁଲ ନିଜେ ବୁଝିପାରି ଅଶୋକ ସେଦିନ ରାତିରେ ମୋତେ କ୍ଷମା ମାଗିଥିଲେ “ମାନିନୀ ସତରେ ମୁଁ ରାଗିଯାଇଥିଲି ଆଉ ତୁମକୁ ଆଘାତ ଦେଇଛି, ପ୍ଲିଜ, ପ୍ଲିଜ ଏ’ସବୁ ଭୁଲିଯାଅ, ଭବିଷ୍ୟତରେ ଏପରି ଭୁଲ ଆଉ ହେବନାହିଁ” ମୋର ସବୁ ରାଗ, ସବୁ ଅଭିମାନ ପାଣି ଫୋଟକା ପରି ଚାଲିଯାଇଥିଲା, ଯେତେ ହେଲେ ବି ଆମେ ପତିପତ୍ନୀ ଏବଂ ଆମେ ଅନ୍ତରରୁ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉ I କଥାରେ ଅଛି ‘ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି’ ତେଣୁ ଛୋଟ ଛୋଟ କଥାକୁ ଏତେ ଗୁରୁତ୍ୱ ଦେଲେ କ’ଣ ସୁଖୀ ଜୀବନଯାପନ ସମ୍ଭବ? ମୁଁ ନିଜକୁ ଅନେକଟା ହାଲ୍କା ଅନୁଭବ କରୁଥିଲି, ରୋମାଣ୍ଟିକ ରାତ୍ରିର ରୋମାଞ୍ଚକର ଅନୁଭୂତି ପୁଣି ସେଇ ନବବିବାହିତ ଜୀବନର ସ୍ମୃତିକୁ ପୁନର୍ଜୀବିତ କରୁଥିଲା, ଜୀବନଟା ସତରେ ଖୁବ ବିଚିତ୍ର ! କ୍ଷଣ କ୍ଷଣକେ ରଙ୍ଗ ବଦଳାଏ I ଆମେବି ସେଇ ରଙ୍ଗୀନ ଜୀବନର କିଛି ମୁହୂର୍ତ୍ତକୁ ମନଭରି ଉପଭୋଗ କରିଥିଲୁ I ଜୀବନର ସମ୍ପୂର୍ଣ୍ଣ ନିଜସ୍ୱ ବା ପ୍ରାଇଭେଟ ସମୟରେ ମୋବାଇଲର ଉପସ୍ଥିତି ଏବଂ ଅନୁପସ୍ଥିତିର ପାର୍ଥକ୍ୟ ଆମକୁ ବୁଝିବାକୁ ଆଉ ବାକି ରହି ନ’ଥିଲା I ଓଃ ! ଆମର ସେଇ ରାତିଟା କି ଶାନ୍ତିରେ କଟିଛି କେହି କଳ୍ପନା କରିପାରିବେ ନାହିଁ, ନିଦ୍ରାଦେବୀଙ୍କ ଶୀତଳ ଆଲିଙ୍ଗନ ସହିତ କେତେ ଯେ ରଙ୍ଗୀନ ସ୍ବପ୍ନ ଆମକୁ ଛୁଇଁ ଦେଇ ଯାଇଥିଲା ତାହା ଅବର୍ଣ୍ଣନୀୟ I

ପରଦିନ ସକାଳେ ଜଳଖିଆ ଦେବା ସମୟରେ ଖିରୀ ଦେଖି ଅଶୋକ ଖୁବ ଖୁସିରେ ଖାଇ କହିଥିଲେ ଏଇଟା ନିଶ୍ଚୟ ମା’ ତିଆରି କରିଛି, ଖୁବ ସୁସ୍ୱାଦୁ ହୋଇଛି, ମୁଁ କିଛି ନ’ କହି ଚୁପ ଥିଲି ଶାଶୁମା’ କହିଲେ “ନାହିଁରେ ବୋକା ଏଇଟା ମାନିନୀ କରିଛି, ଆହୁରି ଭଲ ଭଲ ଜିନିଷ ସେ ଆଜି ତୋ’ ପାଇଁ ଆଉ ତୋ’ ବାପାଙ୍କ ପାଇଁ ରାନ୍ଧିବ, ଅଶୋକ କହିଥିଲେ “ଆରେ ବାଃ ! ମାନିନୀ ତୁମେ ଏତେ ଭଲ ରାନ୍ଧିପର ଏହା ମୁଁ ତ’ ଜାଣି ନଥିଲି” ଦିନ ଗୋଟାଏ ସମୟରେ ଡାଇନିଂ ଟେବୁଲରେ ଶ୍ୱଶୁର , ଶାଶୁମା , ଅଶୋକ ବସିଥିଲେ ମୁଁ ଅରୁଆ ଭାତ, ଚିକେନ ତରକାରୀ, ବାଇଗଣ ଭଜା, ଦହି ବାଇଗଣ ଡାଲି, ସାଲାଡ଼, ପାମ୍ପଡ଼ ଆଣି ରଖିଦେଲି I ତିନିଜଣ ଯାକ ନ’ଖାଇ ବସିଛନ୍ତି , କାରଣ କ’ଣ ଜାଣିବାକୁ ଚାହିଁଲି I ଶାଶୁମା କହିଲେ “ମାନିନୀ ତୁ ନ’ବସିଲେ ଆମେ ଖାଇବୁ ନାହିଁ” କ’ଣ କରିବି ଇଚ୍ଛା ନ ‘ଥିଲେ ବି ଅଗତ୍ୟା ବସିଲି , ମନ ଭିତରେ ଟିକେ ରାଗ ତ’ ରହିଛି ଶାଶୁମା’ଙ୍କ ଉପରେ , ସମସ୍ତେ ଖାଇଲେ ଆଉ ମୋ’ର ରୋଷେଇ ଉପରେ ଭୁରି ଭୁରି ପ୍ରଶଂସା ଉପରେ ପ୍ରଶଂସା, କଥା କ’ଣ ? ମୁଁ କିଛି ବୁଝି ପାରୁନଥିଲି, ସତରେ କ’ଣ ମୋର ରୋଷେଇ ଭଲ ହୋଇଛି ନା’ ଅନ୍ୟ କିଛି କାରଣ? ଶ୍ୱଶୁର ମହାଶୟ କହିବାକୁ ଆରମ୍ଭ କଲେ “ମା’ରେ ଏହି ସବୁ ଯାହା ନାଟକ ହେଲା ସେ ସବୁର ନିର୍ଦେଶକ ମୁଁ ” ମୋର ଉତ୍ତର ଥିଲା “ବାପା ଏ ସବୁ କ’ଣ କହୁଛନ୍ତି ଯେ?” ହଁ ରେ ମା’, ତୋ’ ଶାଶୁ ମା’ ଏକୁଟିଆ ହୋଇ ଯାଉଛନ୍ତି, ତୁ ତ’ ଜାଣୁ ସେ ଟିଭି ଦେଖିବାକୁ ଭଲ ପାଆନ୍ତି ନାହିଁ , ତାଙ୍କର ମନରକଥା ହାଲ୍କା କରିବାକୁ ତୁ ଆଉ ଅଶୋକ ଛଡା ଘରେ ଆଉ କିଏ ଅଛି ମା’ କହିଲୁ? ପୁଅ ତ’ ଅଫିସ ଯିବ, ତୁ ତ’ ଘର ଦ୍ୱାର ସବୁ ଦାୟିତ୍ୱ ନେଇ କାମ କରିବୁ, ଆଉ ଯଦି ଟିକେ ସମୟ ମିଳିଲା ତେବେ ମୋବାଇଲ ନେଇ ବସିବୁ, ମା’ ତୁ ଟିକେ ଭାବ ତ’ ଆମ ସଂସାରରେ ଆମେ ଚାରି ଜଣ ବ୍ୟକ୍ତି ଅଶୋକ ତା’ର ମୋବାଇଲ ନେଇ ବ୍ୟସ୍ତ, ତୁ ତୋ’ର ମୋବାଇଲ ନେଇ ବ୍ୟସ୍ତ ବିଚାର ମା’ କ’ଣ କରିବ? ଆଜି ଯାଏ ଅଶୋକ ଜଣେ ନାହିଁ ଯେ, ତୁ ଏତେ ସୁନ୍ଦର ରୋଷେଇ କରୁଛୁ, ମୁଁ ଆଉ ଏସବୁ ସହି ନ’ପାରି ତୋ’ର ଶାଶୁମାଙ୍କୁ କହିଥିଲି ତୁମେ ଟିକେ କିଛି ଦିନ ପାଇଁ ମାନିନୀର ମା’ ରୁ ଶାଶୁମା’ ହୋଇ ଯାଅ ଦେଖିବ ସବୁ ଠିକ ହୋଇଯିବ I ତା’ ପରେ ମୁଁ ଅଶୋକର ମୋବାଇଲ ନେଇ ଆସିଲି ଆଉ ତୁମ ଭିତରେ ଥିବା ମୋବାଇଲଫୋନ ଜନିତ ଦୂରତ୍ୱ କମିଗଲା ତୁମେ ଆଜି ସୁଖୀ ଦମ୍ପତ୍ତି ପରି ମୋର ମନେ ହେଉଛି, ଦୁହେଁ ଦୁଇଜଣକୁ ମନଭରି ଦେଖିଲ ଆଉ ନିଜ ମନର ଗୋପନ ମାନ ଅଭିମାନ ନିଜ ଭିତରେ ବାଣ୍ଟିବାର ସୁଯୋଗ ପାଇଲ, ସ୍ୱାମୀ ସ୍ତ୍ରୀଙ୍କ ଭଲପାଇବା ପିତା ମାତା ସବୁବେଳେ ଚାହାନ୍ତି I ମଧ୍ୟାନ୍ନ ଭୋଜନ ସହିତ ବାପାଙ୍କର ଅନେକ ଉପଦେଶ, ହସ ଖୁଶି ତଥା ସୁଖୀ ଜୀବନର ରହସ୍ୟ ଉପରେ ଆଲୋଚନା ହେଉଥିଲା I

ବାପା ପୁଣି କହିଚାଲିଲେ, ‘’ନିଶ୍ଚିତତାକୁ ହାତ ପାଖରେ ଛାଡି ଅନିଶ୍ଚିତତା ପଛରେ ଆଜିର ଦୁନିଆ ଧାବମାନ ତୁମେ ବି ସେଥିରୁ ବାଦ ପଡ଼ିନାହଁ I ହଁ, ଆଉ ଗୋଟିଏ କଥା, ନିର୍ଲଜ ପରି ମୋତେ କହିବାକୁ ପଡୁଛି ଆଉ ସେଇ କଥାଟା ହେଲା ମୁଁ ବୁଢା ହେବା ଆଗରୁ ମୋର ଗୋଟିଏ ନାତି କି ନାତୁଣୀ ଦରକାର, ତେଣୁ ତୁମେ ଜାଣ ତୁମ ମୋବାଇଲ ଜାଣେ , ହା, ହା ,ହା” I ବାପାଙ୍କ କଥା ଶୁଣି ମୋ’ର ମୁହଁ ଲଜ୍ଜାରେ ନାଲି ପଡି ଯାଇଥିଲା, ଅଶୋକ ମୁଚୁକି ହସୁଥିଲେ ଆଉ ଶାଶୁମା’ ମୋତେ ଚାହିଁଥିଲେ ତା’ଙ୍କର ନୀରବତା ଆଉ ତା’ଙ୍କ ଲୋତକପୂର୍ଣ୍ଣ ଚକ୍ଷୁ ଦୁଇଟି ବୋଧ ହୁଏ କିଛି କହିବାକୁ ଚାହୁଁଥିଲା –ଆରେ ମା’ ମୁଁ ତୋ’ ମନରେ ଆଘାତ ଦେଇଛି ପାରିଲେ ଭୁଲିଯିବୁ I ଠିକ ଅଛି ମୋବାଇଲ ଖୁବ ଜରୁରୀ, ଆଜିକାଲି ଯୁଗରେ ମୋବାଇଲ ବିନା ଜୀବନଶୈଳୀ ପଛେଇ ଯିବା ସ୍ୱାଭାବିକ କଥା, ତେବେ ଆମେ ଯେତେ ପାରିବା କମ ବ୍ୟବହାର କରିବା ଆଉ ନିଜର ଅତି ନିଜସ୍ୱ /ପ୍ରାଇଭେଟ ସମୟରେ ମୋବାଇଲକୁ ବାଇ ବାଇ କରିଦେବା” ଶ୍ଵଶୁରଙ୍କ କଥା ଶୁଣି ମୋର ଆଖି ଦୁଇଟି ଛଳ ଛଳ ହୋଇଗଲା , ଶାଶୁମାଙ୍କ ଉପରେ ଥିବା ସବୁ ରାଗ ନିମିଷକେ ଉଭେଇ ଗଲା, ମନେ ମନେ ନିଜକୁ ଧିକ୍କାର କଲି ଆହାଃ, କିଛି ନ’ବୁଝି ନ’ସୁଝି ଶାଶୁମା’ଙ୍କ ଉପରେ ମୁଁ କେତେ ରାଗିଛି, ଭଗବାନ ମୋତେ କ୍ଷମା କର, ସେ ମୋର ଶାଶୁମା’ ନୁହନ୍ତି ମୋ’ର ଜନ୍ମ କଲା ମା’ ଠାରୁ ବି ଅଧିକ I ଉଠିପଡ଼ି ହାତ ଧୋଇ ଦୁଇ ଜଣକୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜର ଦୋଷ ସୁଧାରିବାକୁ ଶପଥ ନେଲି I ଅଶୋକ ଏବଂ ମୁଁ ଏବେ ସନ୍ଧ୍ୟା ସମୟରେ ଗପସପ କରୁ ମା’ ମଧ୍ୟ ଆମ ସହିତ ସାମିଲ ହୁଅନ୍ତି ଆମ ପରିବାର ଏବେ ଖୁବ ଖୁଶିରେ ସମୟ ଅତିବାହିତ କରୁଛୁ I ସୁଖୀ ଜୀବନ ପାଇଁ ଆଉ ଅଧିକ କ’ଣ ଲୋଡ଼ା? ସ୍ନେହ, ପ୍ରେମ, ବିଶ୍ୱାସ, ଧୀଶକ୍ତି, ପରସ୍ପରକୁ ଅନ୍ତରର ସହ ବୁଝିବା, ଛୋଟ ଛୋଟ କଥାକୁ ନିଜ ଭିତରେ ସମାଧାନ କରିଦେବା ହିଁ ସୁଖୀ ଦାମ୍ପତ୍ୟ ଜୀବନର ରହସ୍ୟ I

07/07/2022.

—————

ବିଷ୍ଣୁ ପ୍ରସାଦ ଦାସ

ବରିଷ୍ଠ ନାଗରିକ

ସ୍ନେହ କୁଟୀର

ଝାଞ୍ଜିରୀ ମଙ୍ଗଳା, କଟକ ୭୫୩୦୦୯

ମୋ: ୯୯୩୭୧୭୪୦୯୭

Comments are closed.