ଯୁଧିଷ୍ଠିରଙ୍କୁ ମାଆ ଦୁର୍ଗାଙ୍କ ବରଦାନ

ଅର୍ଜୁନୀ ଚରଣ ବେହେରା

ପାଣ୍ଡଵମାନଙ୍କର ବନବାସ ଶେଷ ହୋଇ ଆସୁ ଥାଏ l ଆଉ ଗୋଟିଏ ବର୍ଷ ମାତ୍ର ଅଜ୍ଞାତ ବାସ କରିବାକୁ ପଡ଼ିବ l ଏହା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ l ଖୁବ ଗୋପନୀୟଭାବେ ଏହାକୁ ପାଳନ କରିବା ପାଇଁ ହେବ, ନ ହେଲେ ଚୁକ୍ତି ଅନୁସାରେ ପୁନଃ ବାର ବର୍ଷ ବନବାସ ଭୋଗ କରିବାକୁ ପଡ଼ିବ l ଏଥିପାଇଁ ବ୍ୟସ୍ତ ଥାନ୍ତି ଦ୍ରୌପଦୀ କର୍ତ୍ତୃକ ପାଣ୍ଡଵ ଭ୍ରାତାଗଣ l ସେମାନେ ଗୁପ୍ତ ନିବାସ ଅନୁସନ୍ଧାନ କରି ଯମୁନା ନଦୀ ଦକ୍ଷିଣତୀର ଘୋର ଅରଣ୍ୟ ମଧ୍ୟରେ ଗତି କରୁଥାନ୍ତି l ସେମାନେ ଦଶାର୍ଣ୍ଣ ଓ ପାଞ୍ଚାଳ ଦେଶର ନିକଟବର୍ତ୍ତୀ ଥିଲେ ମଧ୍ୟ ସୁଗମ ପଥ ପରିହାର କରି,କେହି ଚିହ୍ନି ନ ପାରିଲା ଭଳି ଦୁର୍ଗମ,ଘଞ୍ଚ ଅରଣ୍ୟ ପଥରେ ଯାତ୍ରା କରୁଥାନ୍ତି l ଧନୁ,ଖଡ୍ଗ ଧରି ଅରଣ୍ୟ ପଥରେ ଯାତ୍ରା ବେଳେ ସେମାନେ ପ୍ରତୀତ ହେଉଥାନ୍ତି ଏକ ଯାଯାବର ବ୍ୟାଧଦଳ ଭଳି l ବିରାଟ ରାଜଧାନୀ ଅଳ୍ପ ଦୂର ଅଛି,ଦ୍ରୌପଦୀ ଅତ୍ୟନ୍ତ କ୍ଲାନ୍ତ ହୋଇ ପଡ଼ିଲେ l ସେ ଆଉ ଚାଲିପାରିବେ ନାହିଁ କହିବାରୁ ଅର୍ଜୁନ, ଭ୍ରାତା ଯୁଧିଷ୍ଠିରଙ୍କ ଆଦେଶରେ ତାଙ୍କୁ ବହନ କରି ଆଗକୁ ଚାଲିଲେ l
ଏମିତି ଚାଲି ଚାଲି ସେମାନେ ଲକ୍ଷ୍ୟସ୍ଥଳୀ ବିରାଟ ରାଜ୍ୟର ଉପକଣ୍ଠରେ ପହଞ୍ଚି ଗଲେ l ଧର୍ମରାଜ ଅର୍ଜୁନଙ୍କୁ କହିଲେ,” ପାର୍ଥ ! ଆମେ ଏ ସବୁ ଅସ୍ତ୍ର ଶସ୍ତ୍ର ଧରି ବିରାଟ ନଗରୀରେ ପ୍ରବେଶ କଲେ, ଲୋକେ ଆମକୁ ସନ୍ଦେହ କରିବେ l ଚିହ୍ନା ପଡ଼ି ଗଲେ ଆମର ସବୁ ଶ୍ରମ ବ୍ୟର୍ଥ ହେବ “l ଅର୍ଜୁନ ନିକଟ ସ୍ମଶାନ ଭୂମିରେ ଦେଖା ଯାଉଥିବା ଏକ ବିଶାଳ ଶମୀ ବୃକ୍ଷକୁ ଦେଖାଇ କହିଲେ,”ଜ୍ୟେଷ୍ଠ! ସମ୍ମୁଖ ସ୍ମଶାନ ଭୂମିରେ ଏ ଯେଉଁ ଘଞ୍ଚ ଡାଳପତ୍ର ଶୋଭିତ ଶମୀ ବୃକ୍ଷ ଦେଖାଯାଉଛି ସେହି ବୃକ୍ଷ ମଧ୍ୟରେ ଆମେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିବା l ଏହା କେହି ଜାଣି ପାରିବେ ନାହିଁ”l
ଏହାପରେ ସମସ୍ତେ ସେମାନଙ୍କର ଧନୁ,ଗଦା,ଖଡ୍ଗ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସବୁକୁ ଏକାଠି ବାନ୍ଧିଲେ l ନକୁଳ ଶମୀବୃକ୍ଷର ଏକ ଉଚ୍ଚ ଶାଖାକୁ ଉଠିଯାଇ ଏ ଗଣ୍ଠିଲିଟିକୁ ଦୃଢ଼ ଭାବେ ଏପରି ବାନ୍ଧି ଦେଲେ ଯେମିତି ଏହା କାହାରିକୁ ଦେଖା ଯିବ ନାହିଁ l ତା’ ପରେ ସେମାନେ ସ୍ମଶାନରୁ ମୁର୍ଦ୍ଦାରଟିଏ ଉଠାଇ ଆଣି ଗଛରେ ଝୁଲାଇଦେଲେ l ସେହି ସମୟରେ ସେ ବାଟ ଦେଇ କିଛି ଗୋ ପାଳକ ଯାଉଥିଲେ l ସେମାନେ ଏ ମୁର୍ଦ୍ଦାରଟି ଝୁଲା ହେଉଥିବା ଦେଖି ପ୍ରଶ୍ନ କରିବାରୁ ପାଣ୍ଡବ ମାନେ କହିଲେ ,”ଆମର ଶହେଅଶୀ ବର୍ଷର ବୁଢ଼ୀମାଆ ମରିଗଲେ l ଆମ ପ୍ରଥା ଅନୁସାରେ ତାଙ୍କର ଶବଟିକୁ ଆମେ ଏହି ଗଛରେ ଝୁଲାଇ ଦେଉଛୁ “l
ତତପରେ ସେମାନେ ମନୋରମ ବିରାଟ ନଗରୀ ଆଡ଼କୁ ଅଗ୍ରସର ହେଲେ l ସେଠାରେ ନିର୍ବିଘ୍ନରେ କେମିତି ଅଜ୍ଞାତବାସ କଟିବ ସେ ନେଇ ଯୁଧିଷ୍ଠିର ବଡ଼ ଶଙ୍କିତ ହୋଇପଡ଼ିଲେ l ସେ ଅନନ୍ୟୋପାୟ ହୋଇ ତ୍ରିଭୁବନେଶ୍ୱରୀ ମା’ ଦୁର୍ଗାଙ୍କୁ ସ୍ତୁତି କଲେ l ସେ ଦୁର୍ଗା ଥିଲେ ଯଶୋଦା ଗର୍ଭ ସମ୍ଭୁତା ଶ୍ରୀକୃଷ୍ଣ ଅନୁଜା ମାଆ ଏକାନଂସା l ମାଆ ଥିଲେ କଂସର ଭୟ ସଞ୍ଚାର କାରିଣୀ, ଆଦିମାତା,ଯୋଗମାୟା l ସେ ମାୟା ବଳରେ ଦେବକୀଙ୍କ ସପ୍ତମ ଗର୍ଭରୁ ବଳରାମଙ୍କୁ ଆକର୍ଷଣ କରି ନେଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କରିଥିଲେ l ନବଜାତ ଶିଶୁ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ି ବସୁଦେବ ଏହି କନ୍ୟାଙ୍କୁ ଘେନି ଆସିଥିଲେ l କଂସ ଏହାଙ୍କୁ ଶିଳାରେ କଚାଡ଼ି ମାରିବାପାଇଁ ଉଦ୍ୟମ କରୁଥିଲା ବେଳେ ସେ ତାହା ହାତରୁ ଖସିଯାଇ ଆକାଶରୁ କହି ଥିଲେ,” ରେ ଦୁଷ୍ଟ ! ଅଚିରେ ତୋର ମୃତ୍ୟୁ ହେବ, ତୁ ଜାଣିନାହୁଁ କାହାକୁ ମାରିବାକୁ ଚେଷ୍ଟା କରୁଛୁ l’ଯେ ଦେବୀ ଜଗତ ସଂହାରେ l କାହାର ବଳ ତାକୁ ମାରେ ll’ ” କଂସର ସବୁ ଚକ୍ରାନ୍ତକୁ ପଣ୍ଡ କରି କୃଷ୍ଣ ଚାଲି ଯାଇଥିଲେ ଗୋକୁଳକୁ ଓ ମାଆ ଗୋକୁଳରୁ ଆସି କଂସକୁ ଧୋକା ଦେଇ ବନ୍ଦୀ ଶାଳାରେ କୁଆଁ ରାବ ଦେଇଥିଲେ ଯାହା ଭାଗବତରେ ଲେଖା ଯାଇଛି :-
ଲାଗିଲା ଚରଣେ ଶିକୁଳି l
ଦୁହିତା ଛାଡ଼ିଲା ବୋବାଳି ll
ସେହି ମା’ ଯୋଗମାୟା ଶ୍ରୀକ୍ଷେତ୍ର ଧାମରେ ବନ ହଳଦିଆ ମୁଖି ସୁଭଦ୍ରା ରୂପରେ ବିଜେ କରିଛନ୍ତି l
ଯୁଧିଷ୍ଠିର ମାଆଙ୍କୁ ସ୍ତୁତି କଲେ,”ହେ ଦିବ୍ୟମାଳା ବିଭୂଷିତା, ଖଡ୍ଗ ଖେଟକ ଧାରିଣୀ, ତୁମେ ଆମକୁ ରକ୍ଷା କର l ହେ କୁମାରୀ, ମହିଷାସୁର ମର୍ଦ୍ଦିନୀ, କୀର୍ତ୍ତି, ଶ୍ରୀ,ସିଦ୍ଧି, ନିଦ୍ରା,ବିଦ୍ୟା,ମତି,ସନ୍ଧ୍ୟା,ରାତ୍ରୀ, ପ୍ରଭା,କାନ୍ତି,କ୍ଷମା ଓ ଦୟା ସ୍ୱରୂପିଣେ ମା’ ତୁମେ ପ୍ରସନ୍ନ ହୁଅ l ଅରଣ୍ୟ ମଧ୍ୟରେ, ଅତଳ ଜଳରେ, ଘୋର ଶତ୍ରୁମାନଙ୍କ ସହ ସଂଗ୍ରାମରେ ତୁମକୁ ଯିଏ ସ୍ମରଣ କରେ ତୁମେ ତାକୁ ଅଭୟ ଦେଇ ଥାଅ l ହେ ଭକ୍ତବତ୍ସଳା!ତୁମେ ପ୍ରସନ୍ନ ହୁଅ l ରାଜ୍ୟଭ୍ରଷ୍ଟ ଯୁଧିଷ୍ଠିର ତୁମର ଶରଣ ଭିକ୍ଷା କରୁଛି l ରକ୍ଷାକର ମାଆ, ରକ୍ଷା କର !!!
ଯୁଧିଷ୍ଠିରଙ୍କ ନିର୍ମଳ ଭକ୍ତି ନିବେଦନରେ ସନ୍ତୁଷ୍ଠା ହୋଇ ମାଆ ଦୁର୍ଗା ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ l ମାଆ ଅଭୟ ଦେଇ କହିଲେ,”ବତ୍ସ !ମୁଁ ଆଶିଷ ପ୍ରଦାନ କରୁଛି ତୁମେ ନିଶ୍ଚୟ ଏହି ଘୋର ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବ l ଅଚିରେ ଶତୃମାନଙ୍କୁ ଜୟକରି ତୁମେ ନିଷ୍କଣ୍ଟକ ରାଜ୍ୟଭୋଗ କରିବ “l ଯୁଧିଷ୍ଠିର ଆଶ୍ୱସ୍ତ ହେଲେ l ଏହି ତକ ଆଶିର୍ବଚନ କହି ମାଆ ଶୂନ୍ୟ ମାର୍ଗରେ ପ୍ରସ୍ଥାନ କଲେ l
ବ୍ୟାସକୃତ ମହାଭାରତର ବିରାଟ ପର୍ବରେ ମା’ ଦୁର୍ଗାଙ୍କୁ ଯୁଧିଷ୍ଠିର କରିଥିବା ଏହି ଅଷ୍ଟବିଂଶ ଶ୍ଳୋକ ବିଶିଷ୍ଟ ଦୁର୍ଗାସ୍ତୁତି ଦେଖିବାକୁ ମିଳେ l କଥିତ ହୁଏ ଧର୍ମରାଜ ଏହି ସ୍ତୁତିର ରଚୟିତା l ସ୍ତୁତିର ପ୍ରଥମ ଶ୍ଳୋକରେ ଲେଖା ଅଛି :-
ଯଶୋଦା ଗର୍ଭ ସମ୍ଭୁତାମ୍
ନାରାୟଣ ବରା ପ୍ରୀୟମ୍ l
ନନ୍ଦ ଗୋପ କୁଳେ ଯାତମ୍
ମଙ୍ଗଲ୍ୟ କୁଳ ବର୍ଦ୍ଧିନୀମ୍ ll

!!! ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ !!!
🙏🙏🙏
ଅର୍ଜୁନୀ
————

ମୋ – 7693091971

Comments are closed.