ଆର, ଉଦୟଗିରି,୨୪.୮(ମନୋଜ କୁମାର ପାଢୀ): ପୁଲିସ ଉପସ୍ଥିତିରେ ଖୁଣ୍ଟରୁ ମୃତଦେହ ଉଦ୍ଧାର; ଘଟଣାକୁ ନେଇ ତଦନ୍ତ ଚାଲିଛି। ବିଦ୍ୟୁତ୍ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମ ପଞ୍ଚାୟତର ଚମ୍ପାନାଳ ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗାଁର ସୁବାସ ରଇତ।
ସୂଚନାନୁସାରେ, ଚମ୍ପାନାଳ ଗାଁ ନିକଟସ୍ଥ ପଦର ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ତାର କଟିଯାଇଥିବା ଜଣାପଡ଼ିଥିଲା। ଏହି ତାର ମରାମତି ଓ ଯୋଡ଼ିବା ପାଇଁ ସୁବାସ ଖୁଣ୍ଟ ଉପରକୁ ଚଢ଼ିଥିବା କୁହାଯାଉଛି। ମରାମତି କରୁଥିବା ସମୟରେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ବିଦ୍ୟୁତ୍ ଆଘାତ ପରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ବିଦ୍ୟୁତ୍ ଖୁଣ୍ଟରେ ଓହଳି ରହିଥିଲା। ଖବର ପାଇ ରାମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସର ଉପସ୍ଥିତିରେ ମୃତଦେହକୁ ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଓହ୍ଲାଇ ଅଣାଯାଇଥିବା ସୂଚନା ମିଳିଛି।
ଘଟଣାକୁ ନେଇ ଚମ୍ପାନାଳ ଗାଁରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟୁତ୍ ମରାମତି ସମୟରେ କିଭଳି ବିଦ୍ୟୁତ୍ ସଂଯୋଗ ରହିଲା ଏବଂ ଘଟଣାର ପ୍ରକୃତ କାରଣ କ’ଣ, ତାହା ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ପୁଲିସ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।