ଯଜ୍ଞ ସମ୍ଭୂତା ଯାଜ୍ଞସେନୀ

 ପାଞ୍ଚାଳରାଜ ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ସହପାଠୀ ଓ ବାଲ୍ୟବନ୍ଧୁ l ସେମାନେ ପିଲାଦିନେ ଭରଦ୍ୱାଜଙ୍କ ଆଶ୍ରମରେ ଏକାଠି ରହି, ଖେଳକୁଦ, ବିଦ୍ୟାଶିକ୍ଷା କରୁଥିଲେ l ବିଦ୍ୟାଶିକ୍ଷା ଶେଷହେବା ପରେ ଦ୍ରୁପଦ ଯାଇ, ପାଞ୍ଚାଳ ରାଜ ସିଂହାସନରେ ବସିଲେ l ମାତ୍ର ଅବସ୍ଥା ଚକ୍ରରେ ଦ୍ରୋଣ ଦାରିଦ୍ର୍ୟ କବଳିତ ହୋଇ, ଅତି ଦୁଃଖରେ କାଳ କାଟିଲେ l ପରିସ୍ଥିତି ଏପରିହେଲା ସେ ତାଙ୍କ ଏକମାତ୍ର ପୁତ୍ର ଅଶ୍ୱତ୍ଥାମାକୁ କ୍ଷୀର ଟିକିଏ ମଧ୍ୟ ପିଆଇ ପାରିଲେ ନାହିଁ l ଏପରି ପରିସ୍ଥିତିରେ ଦ୍ରୋଣଙ୍କ ବାଲ୍ୟବନ୍ଧୁ ଦ୍ରୁପଦଙ୍କ କଥା ମନେ ପଡ଼ିଲା l ବନ୍ଧୁ ତ ବର୍ତ୍ତମାନ ରାଜା,’ ସେ ନିଶ୍ଚୟ ମୋତେ ସାହାଯ୍ୟ କରିବେ’ l ଏହି ଆଶା ନେଇ ସେ ଦିନେ ଯାଇ ପାଞ୍ଚାଳ ରାଜା ଦ୍ରୁପଦଙ୍କ ଦ୍ବାରସ୍ଥ ହେଲେ ଓ ବହୁ କଷ୍ଟରେ ତାଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଲେ l

ଦ୍ରୁପଦ ସାହାଯ୍ୟକରିବେ କ’ଣ l ସେ ନିଜ ବାଲ୍ୟ ବନ୍ଧୁଙ୍କୁ ସ୍ମରଣ ମଧ୍ୟ କରି ପାରିଲେ ନାହିଁ l ଓଲଟି ସେ ତାଙ୍କ ଦାରିଦ୍ର୍ୟତାର ଉପହାସକଲେ l ଦ୍ରୋଣ ଅପମାନିତହୋଇ ରିକ୍ତହସ୍ତରେ ଫେରି ଆସିଲେ l ସେ ସହପାଠୀଙ୍କ ଏତାଦୃଶ ବ୍ୟବହାରକୁ ଗ୍ରହଣ କରି ପାରିଲେନାହିଁ l ମନେ ମନେ ସଂକଳ୍ପ କଲେ ମୁଁ ଦିନେ ନା ଦିନେ ଏହାର ପ୍ରତିଶୋଧ ନେବି l

ଭାଗ୍ୟକୁ ଦ୍ରୋଣ ହସ୍ତୀନା ରାଜ କୁମାର ମାନଙ୍କର ଗୁରୁ ହେବାର ସୁଯୋଗ ଲାଭ କଲେ l କାଳକ୍ରମେ ସେ ଅର୍ଜ୍ଜୁନଙ୍କଭଳି ଶ୍ରେଷ୍ଠ ଧନୁର୍ଦ୍ଧର ସୃଷ୍ଟି କରିବାକୁ ସମର୍ଥ ହେଲେ l ରାଜପୁତ୍ର ମାନଙ୍କ ଶିକ୍ଷା ସମାପ୍ତ ହେଲା l ସମସ୍ତେ ଗୁରୁଦକ୍ଷିଣା ଦେବା ପାଇଁ ଇଚ୍ଛା କଲେ l ଦ୍ରୋଣ ତାଙ୍କ ପୂର୍ବ ପ୍ରତିଜ୍ଞାକୁ ସ୍ମରଣ କରି ସେମାନଙ୍କୁ କହିଲେ, ତୁମେ ମାନେ ଯାଇ ପାଞ୍ଚାଳ ନରେଶଙ୍କୁ ବାନ୍ଧିଆଣ l ଦ୍ରୁପଦଙ୍କୁ ଯୁଦ୍ଧରେ ପରାସ୍ତ କରିବା, ସେମାନଙ୍କ ପକ୍ଷରେ କୌଣସି ବଡ଼ କଥା ନଥିଲା l ପାର୍ଥଙ୍କ ନେତୃତ୍ୱରେ ସେମାନେ ପାଞ୍ଚାଳ ଆକ୍ରମଣ କରି ଦ୍ରୁପଦଙ୍କୁ ବନ୍ଦୀ କରି ଆଣି ଗୁରୁଙ୍କ ନିକଟରେ ଉପସ୍ଥିତ କରାଇଲେ l ଦ୍ରୋଣ ପାଞ୍ଚାଳ ରାଜଙ୍କୁ ତାଙ୍କ ପୂର୍ବଅପମାନ କଥା ସ୍ମରଣ କରାଇ ଦେଇ ଦଣ୍ଡ ସ୍ୱରୂପ, ତାଙ୍କୁ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କରିବା ପାଇଁ କହିଲେ l ଦ୍ରୁପଦଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା l ଅର୍ଦ୍ଧେକ ରାଜ୍ୟ ଦ୍ରୋଣଙ୍କୁ ପ୍ରଦାନ କରି ସେ ବନ୍ଦୀମୁକ୍ତ ହେଲେ l

ଦ୍ରୁପଦ ନିଜ ରାଜ୍ୟକୁ ଫେରି ଆସିଲେ l କିନ୍ତୁ ସେ ଅପମାନ ତାଙ୍କ କ୍ଷତ୍ରିୟରକ୍ତକୁ ଶାନ୍ତିରେ ରହିବାକୁ ଦେଲା ନାହିଁ l ଶକ୍ତିଶାଳୀ ଦ୍ରୋଣଙ୍କ ଉପରେ ସେ ପ୍ରତିଶୋଧ ନେବାପାଇଁ ବ୍ୟାକୁଳ ହୋଇଉଠିଲେ l ସେ ଅର୍ଜୁନଙ୍କୁ ଜାମାତା ରୁପେ ଲାଭ କରିବା ପାଇଁ ଏକ ସର୍ଵଗୁଣସମ୍ପନ୍ନା ରୂପବତୀ କନ୍ୟା, ଦ୍ରୋଣଙ୍କ ନିଧନ ପାଇଁ ଏକ ମହାବୀର ପୁତ୍ର ଲାଭ ନିମନ୍ତେ ମହାଦେବଙ୍କ ତୁଷ୍ଟି ପାଇଁ, ଏକ ଯଜ୍ଞ କରିବା ପାଇଁ ମନସ୍ଥ କଲେ l ଯଜ୍ଞପାଇଁ ସେ ଉପଯୁକ୍ତ ପୁରୋଧା ଅନ୍ୱେଷଣରେ ଲାଗି ପଡ଼ିଲେ l ବହୁ କଷ୍ଟରେ ସେ କଶ୍ୟପ ଗୋତ୍ରୀୟ ଯାଜ, ଉପଯାଜ ନାମକ ଦୁଇ ବ୍ରାହ୍ମଣ ଭ୍ରାତାଙ୍କୁ ପୁରୋଧା ରୂପେ ପାଇଲେ l ବଡ ଭାଇ ଯାଜ ଉପଯାଜଙ୍କୁ ଏହି ଯଜ୍ଞର ମୁଖ୍ୟ କର୍ତ୍ତା ହେବା ପାଇଁ ଦ୍ରୁପଦଙ୍କୁ ପରାମର୍ଶ ଦେଲେ l

ରାଜା ସେମାନଙ୍କୁ ସେହି ଯଜ୍ଞର ଉଦ୍ଦେଶ୍ୟ ବୁଝାଇ ଦେଲେ l ଯଜ୍ଞ ଆରମ୍ଭ ହେଲା l ଯଜ୍ଞ ପରିଚାଳନା ପାଇଁ ଅନ୍ୟ ଋଷିମାନଙ୍କ ସହିତ ବ୍ୟାସଦେବ ମଧ୍ୟ ସେଠାରେ ପହଁଚିଲେ l ଯଜ୍ଞୋତ୍ପନ୍ନ ଚରୁ ସେବନ କରି, ପ୍ରଥମେ ଦ୍ରୁପଦ ରାଣୀଙ୍କ ଗର୍ଭରୁ ଏକ ପୁତ୍ର ଜନ୍ମ ହେଲା l କିନ୍ତୁ ସେ ପୁତ୍ରଟି ନପୁଂସକ ଥିବାରୁ ଦ୍ରୁପଦ ଦୁଃଖୀ ହୋଇ,ତାକୁ ହତ୍ୟା କରି ଦେବାକୁ ଚାହିଁଲେ l କିନ୍ତୁ ବ୍ୟାସଦେଵ କହିଲେ ଏହି ପୁତ୍ରକୁ ମାରନାହିଁ l ଏହା ଦ୍ବାରା ଭବିଷ୍ୟତରେ ବହୁକାର୍ଯ୍ଯ ସାଧିତ ହେବାର ଅଛି l ସେ ପୁତ୍ରଟିର ନାମ ରଖା ଯାଇଥିଲା ଶିଖଣ୍ଡୀ l ଶିଖଣ୍ଡୀ ପରବର୍ତ୍ତୀ କାଳରେ ଭୀଷ୍ମଙ୍କ ପତନର କାରଣ ହୋଇଥିଲେ l

ଦ୍ରୁପଦଙ୍କ ଉଦ୍ଦେଶ୍ୟ ସାଧିତ ନହେବାରୁ ପୁନର୍ବାର ଯଜ୍ଞ ଆୟୋଜନ କରା ହେଲା l ଶୁଭ ମୁହୂର୍ତ୍ତରେ ଉପଯାଜ ଦ୍ରୁପଦ ରାଣୀଙ୍କୁ ଚରୁ ଭକ୍ଷଣ କରିବାକୁ ଦେଲେ l ରାଣୀ ସ୍ନାନ ଶୌଚ ହୋଇ, ସେହି ଚରୁ ଭକ୍ଷଣକରିବେ ବୋଲି କହିଲେ l କିନ୍ତୁ ଶୁଭମୁହୂର୍ତ୍ତ ଗଡ଼ି ଯାଉ ଥିବାରୁ, ଉପଯାଜ ଦ୍ରୁପଦଙ୍କ ଅନୁମତି ନେଇ, ସେହି ଚରୁକୁ ଯଜ୍ଞ କୁଣ୍ଡକୁ ନିକ୍ଷେପ କଲେ ଓ ତହିଁରୁ ସନ୍ତାନ ଉତ୍ପନ୍ନହେବାର ପ୍ରକ୍ରିୟା ଆରମ୍ଭ କରି ଦେଲେ l

ଯାଜ ଓ ଉପଯାଜଙ୍କ ମନ୍ତ୍ରଧ୍ଵନୀ ମଧ୍ୟରେ କିଛିକ୍ଷଣ ପରେ ଯଜ୍ଞ ଅନଳରୁ ଆବିର୍ଭୁତ ହେଲା,ଏକ ପୁତ୍ର ଓ ତାପରେ ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା l ରାଜା ଦ୍ରୁପଦଙ୍କ ଆନନ୍ଦ କହିଲେ ନ ସରେ l ସେହି ପୁତ୍ର ସନ୍ତାନର ନାମ ରଖାଗଲା ଧୃଷ୍ଟଦ୍ୟୁମ୍ନ ଓ କନ୍ୟାର ନାମ ରଖାଗଲା କୃଷ୍ଣା l

ଯଜ୍ଞାଗ୍ନି ସମ୍ଭୂତା ସେ କନ୍ୟା ହେଲେ ଯାଜ୍ଞସେନୀ l ତାଙ୍କ ଶରୀର କୃଷ୍ଣବର୍ଣ୍ଣ ଥିବାରୁ ତାଙ୍କ ନାମ କୃଷ୍ଣା ହେଲା l ସେ ଦ୍ରୁପଦଙ୍କ କନ୍ୟା ଓ ପାଞ୍ଚାଳ ଦେଶର ରାଜକନ୍ୟା ହୋଇଥିବାରୁ ତାଙ୍କ ନାମ ଯଥାକ୍ରମେ ହୋଇଥିଲା ଦ୍ରୌପଦୀ ଓ ପାଞ୍ଚାଳୀ l ଦ୍ରୌପଦୀଙ୍କ ଆବିର୍ଭାବ ସମୟରେ ଦୈବ ବାଣୀ ହୋଇଥିଲା ଏ କନ୍ୟା ସାମାନ୍ୟ କନ୍ୟା ନୁହେଁ l ଆସାମାନ୍ୟା ଏହି କନ୍ୟା ଦିନେ ସତ୍ୟ,ଧର୍ମ,ନ୍ୟାୟ ପ୍ରତିଷ୍ଠାର କାରଣ ହେବ l ତାହାହିଁ ହୋଇଥିଲା l କୁରୁ ସଭାରେ କୁରୁ କୂଳ ବଧୂ ଦ୍ରୌପଦୀଙ୍କ ଅପମାନ ଏବଂ ତାଙ୍କ ଅଶ୍ରୁ ନୀରରେ କୌରବକୂଳ ଧ୍ଵଂସ ହେଲା l

ରାଜା ଦ୍ରୁପଦଙ୍କର ଅଭିଳାଷ ପୂର୍ଣ୍ଣହେଲା, ଜାମାତା ରୂପେ ସେ ମହାବୀର ଅର୍ଜୁନଙ୍କୁ ପାଇଲେ l ବୀର ପୁତ୍ର ଧୃଷ୍ଟଦ୍ୟୁମ୍ନ କୁରୁକ୍ଷେତ୍ରରେ ଆଚାର୍ଯ୍ୟ ଦ୍ରୋଣଙ୍କୁ ବଧ କଲେ l ଦ୍ରୌପଦୀଙ୍କ ନାମ ରହିଗଲା ପ୍ରାତଃ ସ୍ମରଣୀୟ ପଞ୍ଚ କନ୍ୟାଙ୍କ ମଧ୍ୟରେ:-

ଅହଲ୍ୟା ଦ୍ରୌପଦୀ ତାରା

କୁନ୍ତୀ ମନ୍ଦୋଦରୀ ତଥା l

ପଞ୍ଚକନ୍ୟା ସ୍ମରେତ୍ ନିତ୍ୟଂ

ମହା ପାତକ ନାଶନମ୍ ll

🙏🙏🙏

ଅର୍ଜୁନୀ

————-

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.