ଭୁବନେଶ୍ୱର, ତା ୧୮.୦୮ ରିଖ ; ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ଓଡ଼ିଶାର କେତେକ ବିଦ୍ୟାଳୟରେ ବାଳିକା ମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ କରିଛନ୍ତି। ଏହି ଉଦ୍ୟମ ଭାରତର ୮୦ ବର୍ଷର ସ୍ୱାଧୀନତା ଉତ୍ସବ ଅବସରରେ ଦେଶର ୮ କୋଟି କିଶୋରୀଙ୍କର ଆର୍ଥିକ ସ୍ୱାଧୀନତା ଓ ମାଲିକାନା ଅଧିକାରକୁ ସୁନିଶ୍ଚିତ କରିବା ନେଇ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ ତରଫରୁ ଆରମ୍ଭ କରାଯାଇଥିବା ମହାଅଭିଯାନର ଏକ ଅଂଶ ବିଶେଷ ଥିଲା। ବିଦ୍ୟାଳୟଗୁଡ଼ିକରେ ଟଙ୍କାର ଅସଲ କରାମତି ଉପରେ ପରଦାଫାସ କରିବା,କିଶୋରୀମାନଙ୍କର ଅର୍ଥନୈତିକ ଦୃଷ୍ଟିକୋଣକୁ ସହଜ ସାଧ୍ୟ କରିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା। “କିପ୍ ଇଟ୍। ଗ୍ରୋ ଇଟ୍” ଶୀର୍ଷକ ଏହି ଏକ ଘଣ୍ଟା ବ୍ୟାପୀ ମତାମତ ଆଦାନ ପ୍ରଦାନ ଅଧିବେଶନ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କର୍ମଶାଳା ରେ ଉପହାର,ପକେଟ ଖର୍ଚ୍ଚ, ଛାତ୍ରବୃତ୍ତି ଓ ପୁରସ୍କାର ଭାବେ ମିଳୁଥିବା ଛୋଟ ଛୋଟ ରାଶି କୁ ସଞ୍ଚୟ ଓ ନିବେଶ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଡବ୍ଲୁଡବ୍ଲୁଏଫ’ର ଯୁବ ଶାଖାର ବିଶ୍ୱ ମୁଖ୍ୟ ଏବଂ “କିପ୍ ଇଟ୍ ଗ୍ରୋ ଇଟ୍” ଉଦ୍ୟମର ସଂସ୍ଥାପିକା ଓ ସୃଜନଶୀଳ ନିର୍ଦ୍ଦେଶିକା ଆୟାତୀ ଦାଶ କର କର୍ମଶାଳାର ସହ-ପରିଚାଳକ ଥିଲେ।



ଚକ୍ରବୃଦ୍ଧି ଶକ୍ତିର ବ୍ୟବହାର କରି ସାମାନ୍ୟ ସଞ୍ଚୟକୁ ମଧ୍ୟ ନିୟମିତ ଭାବେ ନିବେଶ କରାଗଲେ ଏହା କିଭଳି ସମୟକ୍ରମେ ବୃହତ ଆର୍ଥିକ ସମ୍ପତ୍ତିରେ ପରିଣତ ହୋଇପାରେ ତାହା କର୍ମଶାଳାରେ ଦର୍ଶାଯାଇଥିଲା। ଆର୍ଥିକ ଆତ୍ମବିଶ୍ୱାସ କିପରି ଉତ୍ତମ ଶିକ୍ଷାର ସୁଯୋଗ, ସଠିକ କ୍ୟାରିଅର ପସନ୍ଦ ଉପଲବ୍ଧ , ଉତ୍ପାଦକ ଉଦ୍ୟୋଗିତା ର ଅବସର ଓ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରେ, ସେସମ୍ପର୍କରେ ଛାତ୍ରୀମାନେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ ।
କର୍ମଶାଳା କୁ ସମ୍ବୋଧନ କରି ଆୟାତୀ ଦାଶ କର ବାସ୍ତବ ଜୀବନର ବହୁ ପ୍ରକୃଷ୍ଟ ଦୃଷ୍ଟାନ୍ତ ଓ ଆକର୍ଷଣୀୟ ଉଦାହରଣ ମାନ ଦର୍ଶାଇ ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଜୀବନ ଧାରଣକୁ ସଶକ୍ତ ଓ ସହଜ କରିବା ପାଇଁ ସଞ୍ଚୟ, ନିବେଶ ଓ ଆର୍ଥିକ ଯୋଜନାକୁ ପ୍ରାଥମିକତା ପ୍ରଦାନ କରାଯିବାକୁ ସୁଶ୍ରୀ କର ମତ ପ୍ରକାଶ କରିଥିଲେ। ନିଜେ ଜଣେ ଯୁବ ଉଦ୍ୟୋଗୀ ଓ ସୃଜନଶୀଳ ପ୍ରତିଭା ଭାବରେ ପ୍ରତିଷ୍ଠିତ ହୋଇଥିବାର ପୃଷ୍ଠଭୂମି କୁ ସୂଚାଇ ସେ ବାଳିକା ମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ ଓ ଭବିଷ୍ୟତରେ ନେତୃତ୍ୱ ନେବା ପାଇଁ ଆବଶ୍ୟକୀୟ ଆତ୍ମବିଶ୍ୱାସ ଓ ଶୃଙ୍ଖଳା ବିକାଶ କରିବାକୁ ଉତ୍ସାହିତ କରିଥିଲେ। ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ୱ ଦେଇ ସୁଶ୍ରୀ କର ଭାରତର ପାରିବାରିକ ସଞ୍ଚୟ ଦେଶର ସର୍ବଶ୍ରେଷ୍ଠ ଆର୍ଥିକ ସମ୍ବଳ ମଧ୍ୟରୁ ଅନ୍ୟତମ ଏବଂ ଏହା ଜାତୀୟ ଜିଡିପିର ପ୍ରାୟ ୩୦ ଶତାଂଶ ଭୁକ୍ତ କରିଥାଏ ବୋଲି ଉଲ୍ଲେଖ କରିଥିଲେ । ଭାରତରେ ୨୫ କୋଟିରୁ ଅଧିକ କିଶୋରୀ ଥିବାରୁ ଛୋଟ ବୟସରୁ ସଞ୍ଚୟ ଓ ନିବେଶ ନେଇ ଅଭ୍ୟାସ ସୃଷ୍ଟି କରିବା ଦ୍ୱାରା ଭବିଷ୍ୟତରେ କୋଟିପତି ଵନିବାର ସ୍ବପ୍ନ ସାକାର ହେବା, ଘରୋଇ ନିବେଶ ମଜବୁତ ଵନିବା ଏବଂ ଆର୍ଥିକ ଦୁର୍ବଳତା ହ୍ରାସ ପାଇବା ସାଙ୍ଗକୁ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଅର୍ଥନୀତିରେ ପରିଣତ କରିବାର ଯାତ୍ରାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦମ୍ଭ ପ୍ରକାଶ କରିଥିଲେ । ସପ୍ତାହକୁ ମାତ୍ର ୨୦ରୁ୫୦ ଟଙ୍କା ସଞ୍ଚୟ କଲେ ମଧ୍ୟ ଜୀବନଭରୀ ଆର୍ଥିକ ସ୍ୱଚ୍ଛଳତା ସୃଷ୍ଟି ହେବା ଏବଂ ଏକ ସ୍ୱାବଲମ୍ବୀ ମହିଳା ପିଢୀର ଅଭ୍ୟୁଦୟ ଘଟିବା ସମ୍ଭବପର ହୋଇ ପାରିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।


କର୍ମଶାଳାଗୁଡ଼ିକୁ ଛାତ୍ରୀ, ଶିକ୍ଷକ , ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ମାନଙ୍କର ପରିଚାଳନା କର୍ତ୍ତୃପକ୍ଷ ବେଶ ପସନ୍ଦ କରିଥିଲେ। ଓଡ଼ିଶାର ଦୁଇଟି ବିଦ୍ୟାଳୟ ଯଥା :- ଢେଙ୍କାନାଳର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଓ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କଟେଶ୍ୱର ଇଂଲିଶ୍ ମିଡିୟମ୍ ସ୍କୁଲ୍ରେ ପ୍ରାୟ ୬୦୦ ବାଳିକା ଏହି କର୍ମଶାଳାରେ ଭାଗ ନେଇଥିଲେ।
ଢେଙ୍କାନାଳର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ରେ ପ୍ରିନ୍ସିପାଲ୍ ସୁବ୍ରହ୍ମଣ୍ୟ କୁମାର ଶ୍ରୀପଦ, ପ୍ରଶାସକ ମାନସ ସାହୁ ଓ ଶୈକ୍ଷିକ ସଂଯୋଜକ ଓମୀନା ରାଜହଂସ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କଟେଶ୍ୱର ଇଂଲିଶ୍ ମିଡିୟମ୍ ସ୍କୁଲ୍ରେ ରୂପା ଦାଶ ଓ ଆୟାତୀ ଦାଶ କରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଠାରେ କର୍ମଶାଳା ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ପ୍ରକାଶ ପତି, ସହ-ଅଧ୍ୟକ୍ଷ ଯଶସ୍ୱିନୀ ମହାପାତ୍ର, ପ୍ରିନ୍ସିପାଲ୍ ଜି. ରାମା କିଶୋର, ଭାଇସ୍ ପ୍ରିନ୍ସିପାଲ୍ ମହେଶ କୁମାର ମିଶ୍ର ଏବଂ ଶିକ୍ଷକ ମିନତୀ ରଥ, କଳ୍ପନା ସାହୁ, ବିନୀତା ଦାଶ, ଏସ୍.ଏସ୍. ମହାପାତ୍ର, ଗିରିଜା ମେହେର, ଅନୁପମା ହୋତା, ସ୍ୱାତୀ ମିଶ୍ର ଓ ଶ୍ରୀମନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।