ଉଲୁଣ୍ଡା ବନାଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ୬ ଗିରଫ ା ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଘପାଲି ଜଙ୍ଗଲ ଭିତରେ ଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ ଙ୍କ ସମେତ କୋଟସମଲାଇ ଗ୍ରାମର ସୁରେନ୍ଦ୍ର ପଧାନ, ବିଜୁ ଗୁରୁ, ନାକଡେଇଁ ଗ୍ରାମର ରାମଚନ୍ଦ୍ର ପୁରୋହୀତ , ବାଘପାଳି ଗ୍ରାମର ପୁରନ୍ଦର ଥାଟି ଏବଂ ସୋନପୁର ସଦର ପଟାଭାଡି ର ସତ୍ୟ ନାରାୟଣ ମେହେର ରହିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଶିକାରୀଙ୍କ ପାଖରୁ ବାଘର ୪ଟି ପଞ୍ଝା ସମେତ କିଛି ନଖ ଏବଂ ଦାନ୍ତ ଜବତ କରାଯାଇଛି । ଏହି ଘଟଣା ରେ ଆହୁରି ଅଭିଯୁକ୍ତ ଏବେବି ଫେରାର ରହିଥିବା ବେଳେ ଆଉ କିଛି ଦାନ୍ତ ଓ ନଖ ଜବତ କରାଯାଇ ପାରିନି । ସୂଚନା ମୁତାବକ ଉକ୍ତ ଘଟଣାସ୍ଥଳରେ ବିଦ୍ୟୁତ ଫାଶ ପକାଇ ଜନ୍ତୁ ଶିକାର କରାଯାଉଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ୪ ବର୍ଷ ବୟଷ୍କା ମାଈ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ପରେ ବାଘର ୪ ଟି ପଞ୍ଝା, ନଖ, ଦାନ୍ତ ନେଇ ଘଟଣାସ୍ଥଳରୁ ଦୁର୍ବୃତ ମାନେ ଫେରାର ହୋଇ ଯାଇଥିଲେ । ଅନ୍ୟପଟେ ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାୟ ୫ ଦିନ ପର୍ଯ୍ୟନ୍ତ ବାଘ ମୃତ୍ୟୁ ଖବର ଜଣା ପଡିନଥିଲା । ଗତ ମଙ୍ଗଳବାର ଦିନ ସ୍ଥାନୀୟ କିଛି ଲୋକ ଜଙ୍ଗଲକୁ ଛେଳି ଚରାଇ ଯାଇଥିବା ବେଳେ ବାଘଟିର ଗଳିତ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ବନବିଭାଗ ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ୪ ଦିନ ପରେ ଆଜି ବାଘ ଶିକାରୀଙ୍କୁ ଧରିବାରେ ବନବିଭାଗ ସଫଳ ହୋଇଛି । ବନବିଭାଗର ତଦନ୍ତ ସମୟରେ ବାଘପାଲି ଜଙ୍ଗଲ ମଧ୍ୟରେ ଥିବା ଧାର୍ମୀକସ୍ଥଳୀ ମଠ ଭିତରେ ବାଘ ଶିକାରର ଯୋଜନା କରାଯାଇଥିବା ଜଣାପଡିଥିଲା । ପରେ ଅଧିକ ଖୋଲତାଡ କରିବାରୁ ଏହାର ମଠାଧିଶ ତଥା ସନ୍ଥ ଦୟାସାଗର ଥାଟୀ ବାଘ ଶିକାର ଘଟଣାରେ ମୂଖ୍ୟ ଅଭିଯୁକ୍ତ ରହିଥିବା ଜାଣିବାକୁ ପାଇଥିଲା । ଏଥିସହ ମଠ ଭିତରୁ ବାଘର ୪ଟି ପଞ୍ଝା ଜବତ କରାଯାଇଥିଲା । ସେହିପରି ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ଠାରୁ କିଛି ବାଘ ନଖ ଏବଂ ଦାନ୍ତ ସମେତ ବିଦ୍ୟୁତ ଫାଶ ପାଇଁ ବ୍ୟବହାର ହୋଇଥିବା ପ୍ରାୟ ୫୦୦ ଗ୍ରାମ ଜେଇ ତାର, ଗୋଟିଏ କଟରା ଏବଂ ଗୋଟିଏ ବଣ୍ଢଳ ପ୍ଲାଷ୍ଟିକ ରଶି ଜବତ କରାଯାଇଛି । ଏନେଇ ସୁବର୍ଣ୍ଣପୁର ବନଖଣ୍ଡ ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆଙ୍କୁ ପଚାରିବାରୁ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରାଯିବ ବୋଲି କହିଛନ୍ତି ।

Comments are closed.