ବି.ବି.ନିୟୁଜ : ଭାରତର ଉଚ୍ଚଶିକ୍ଷା ପରିସରରେ ଜାତିଗତ ଭେଦଭାବ ଆଜି ବି ଏକ କୁତ୍ସିତ ଓ ଦୁଃଖଦାୟକ ବାସ୍ତବତା। ଏହା ବିରୋଧରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ‘ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ, ଏହାର କେତେକ ଦିଗ କ୍ୟାମ୍ପସରେ ସମନ୍ୱୟ ପରିବର୍ତ୍ତେ ନୂତନ ବିଭାଜନ ଓ ଅବିଶ୍ୱାସର ବାତାବରଣ ସୃଷ୍ଟିକରିବାର ଆଶଙ୍କା ଉପୁଜାଇଛି। ମହତ ଉଦ୍ଦେଶ୍ୟ ରଖି ପ୍ରଣୟନ କରାଯାଇଥିବା ଏହି ନିୟମାବଳୀ ଯଦି ଭାରସାମ୍ୟ ରକ୍ଷା ନ କରେ, ତେବେ ଏହା ନିଜର ମୂଳଲକ୍ଷ୍ୟରୁ ବିଚ୍ୟୁତ ହେବାର ଭୟ ରହିଛି। ଏହି ବିବାଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ‘ଜାତିଗତ ଭେଦଭାବ’ର ସଂଜ୍ଞା। ନୂଆ ନିୟମରେ କେବଳ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ଏହାର ପରିସରଭୁକ୍ତ କରାଯାଇଛି; କିନ୍ତୁ ଆମ ସମ୍ବିଧାନର ଧାରା ୧୪ ଓ ୧୫ ସମସ୍ତ ନାଗରିକଙ୍କୁ ସମାନ ସୁରକ୍ଷା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯେତେବେଳେ କୌଣସି ଆଇନ କେବଳ ଏକ ନିର୍ଦିଷ୍ଟ ଗୋଷ୍ଠୀକୁ ସୁରକ୍ଷାଦିଏ ଏବଂ ଅନ୍ୟମାନଙ୍କୁ ସେଥିରୁ ବାଦ୍ ଦିଏ, ସେତେବେଳେ ସେଠାରେ ପକ୍ଷପାତର ଅଭିଯୋଗ ଆସିବା ସ୍ୱାଭାବିକ।
ଅନ୍ୟପଟେ, କ୍ୟାମ୍ପସରେ ନଜର ରଖିବା ପାଇଁ ତିଆରି ହୋଇଥିବା ପଦକ୍ଷେପଗୁଡ଼ିକ ମଧ୍ୟ ଅନେକଙ୍କୁ ଚିନ୍ତାରେ ପକାଇଛି। ସମାନତା କମିଟିରେ କେବଳ ସଂରକ୍ଷିତ ବର୍ଗର ପ୍ରତିନିଧି ରହିବା ଏବଂ କ୍ୟାମ୍ପସରେ ପହରା ଦେବା ପାଇଁ ‘ଇକ୍ୱିଟି ସ୍କ୍ୱାଡ୍’ ଭଳି ବ୍ୟବସ୍ଥା ଏକପ୍ରକାର ଭୟର ପରିବେଶ ତିଆରି କରିପାରେ। ଯଦି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ନିଜକୁ ସବୁବେଳେ ଏକ ଗୋଇନ୍ଦା ନଜରରେ ଥିବା ଅନୁଭବ କରିବେ, ତେବେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣର ସହଜ ବାତାବରଣ ନଷ୍ଟ ହେବ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ମିଥ୍ୟା କିମ୍ବା ଉଦ୍ଦେଶ୍ୟମୂଳକ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଥିବା ଦଣ୍ଡବିଧାନ ବ୍ୟବସ୍ଥାକୁ ଏହି ନୂଆ ନିୟମରୁ ହଟାଇ ଦିଆଯାଇଛି। ମିଥ୍ୟା ଅଭିଯୋଗକୁ ରୋକିବା ପାଇଁ ଯଦି କୌଣସି ବ୍ୟବସ୍ଥା ନ ରହିବ, ତେବେ ଏହାର ଅପବ୍ୟବହାର ହେବାର ସମ୍ଭାବନା ବଢ଼ିଯିବ। ଏହା କେବଳ ସାଧାରଣ ବର୍ଗର ପିଲାଙ୍କ ମନରେ ଆଶଙ୍କା ସୃଷ୍ଟି କରୁନାହିଁ, ବରଂ ପ୍ରକୃତରେ ଯେଉଁମାନେ ଶୋଷିତ ବା ପୀଡ଼ିତ, ସେମାନଙ୍କ ନ୍ୟାୟ ପ୍ରକ୍ରିୟା ଉପରେ ମଧ୍ୟ ସନ୍ଦେହର ବାଦଲ ସୃଷ୍ଟି କରିବ। ସାଧାରଣ ବର୍ଗର ପିଲାଙ୍କ ପାଇଁ ନିଜ ସପକ୍ଷରେ ଯୁକ୍ତି କରିବାର ସୁଯୋଗ ନ ଥିବାରୁ ସେମାନେ ଉଦ୍ବିଗ୍ନ।
ଆଜିକାଲି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଜାତିଗତ ଅସହିଷ୍ଣୁତା ବଢ଼ୁଥିବା କଥା ସତ। ୟୁଜିସି ପାଖରେ ପହଞ୍ଚୁଥିବା ଅଭିଯୋଗର ସଂଖ୍ୟା ଏହାର ପ୍ରମାଣ; କିନ୍ତୁ କୌଣସି ସମସ୍ୟାର ସମାଧାନ ପାଇଁ ନିଆଯାଉଥିବା ପଦକ୍ଷେପ ଯଦି ଭାରସାମ୍ୟ ରକ୍ଷା ନ କରେ, ତେବେ ତାହା ଆଉ ଏକ ନୂଆ ସମସ୍ୟା ସୃଷ୍ଟି କରିବ। ଏହାର ଉଚିତ୍ ସମାଧାନ ହେଉଛି ନିୟମଗୁଡ଼ିକୁ ଜାତି-ନିରପେକ୍ଷ ଭାଷାରେ ଲେଖିବା। ଭେଦଭାବ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ ଏବଂ ତାହାକୁ ଏକ ଅପରାଧ ଭାବେ ଗ୍ରହଣ କରାଯିବା ଉଚିତ। ଅବଶ୍ୟ, ଏଥିରେ ପଛୁଆବର୍ଗଙ୍କ ପ୍ରତି ବିଶେଷ ଧ୍ୟାନ ରହିବା ଆବଶ୍ୟକ; କିନ୍ତୁ ଆଇନର ଭାଷା ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଏଥିସହ ସ୍ୱଚ୍ଛ ତଦନ୍ତ ପ୍ରକ୍ରିୟା, ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଶୁଣାଣି ଏବଂ ମିଥ୍ୟା ଅଭିଯୋଗ ପାଇଁ ଉଚିତ ଦଣ୍ଡର ବ୍ୟବସ୍ଥା ରହିଲେ ସମସ୍ତଙ୍କ ମନରେ ବିଶ୍ୱାସ ଆସିବ।
ୟୁଜିସିର ଏହି ପ୍ରୟାସ ଏକ ଭଲ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ଆହୁରି ଭାରସାମ୍ୟ ରକ୍ଷା କରିବାର ଆବଶ୍ୟକତା ରହିଛି। ପ୍ରକୃତ ସମାନତା ସେତେବେଳେ ଆସିବ, ଯେତେବେଳେ କୌଣସି ଜଣେ ଛାତ୍ର ନିଜ ସୁରକ୍ଷା ପାଇଁ ଅନ୍ୟଜଣଙ୍କ ମନରେ ଅସୁରକ୍ଷାଭାବ ସୃଷ୍ଟିକରିବ ନାହିଁ, ବରଂ ସମସ୍ତେ ସମାନଭାବେ ସମ୍ମାନିତ ଓ ସୁରକ୍ଷିତ ଅନୁଭବ କରିେବ।
Sign in
Sign in
Recover your password.
A password will be e-mailed to you.
Comments are closed.