ତତ୍ରାନ୍ନ ପାଚିକା ଲକ୍ଷ୍ମୀ

ଅର୍ଜୁନୀ ଚରଣ ବେହେରା

ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଅନ୍ନ ଅବଢ଼ା ମିଳେ ନାହିଁ l ଏହା ପରମ୍ପରା ଭାବେ ବହୁ କାଳରୁ ଚଳି ଆସୁଛି l ଏକବାର କିନ୍ତୁ ଏଥି ପାଇଁ ଚେଷ୍ଟା କରାଯାଇ ଥିଲା ଯାହା ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ପୁଣି ବନ୍ଦ ରହିଥିଲା l
ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ଅମଳର କଥା l ଥରେ ସାକ୍ଷୀଗୋପାଳଜୀଉ ମନ୍ଦିର ପଣ୍ଡା ସେବାୟତ ମାନେ ଏବଂ ସାଧାରଣ ଜନତା ମିଶି ସେଠାରେ ଅବଢ଼ା ପ୍ରସ୍ତୁତି ନିମନ୍ତେ ଏକ ବିରାଟ ଆନ୍ଦୋଳନ କଲେ l ଏଥି ପାଇଁ ମୁକ୍ତି ମଣ୍ଡପ ଓ ଗଜପତିଙ୍କ ଅନୁମତି ମଧ୍ୟ ମିଳିଥିଲା l କିନ୍ତୁ ଏହି ସମୟରେ କୁଡୁଆ ଯୋଗାଣକୁ ନେଇ ଗୋଟିଏ ବିଷମ ସମସ୍ୟା ଉପୁଜିଲା l ଜଗନ୍ନାଥମନ୍ଦିରରେ କୁଡୁଆ ଯୋଗାଣ ପାଇଁ ସାତ ଶହ ଘର କୁମ୍ଭାର ନିଯୁକ୍ତ ଥିଲେ ମଧ୍ୟ ସମୟ ସମୟରେ ସେଠାରେ ବହୁ ସମସ୍ୟା ଉପୁଜି ଥାଏ l ତଦ୍ରୁପ ଅବସ୍ଥା ମଧ୍ୟ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ l ସାକ୍ଷୀଗୋପାଳଙ୍କ ମନ୍ଦିରରେ କୁଡୁଆ ଯୋଗାଇବା ନିମନ୍ତେ କୁମ୍ଭାର ମାନଙ୍କୁ ପ୍ରବର୍ତ୍ତାଇବା ଆବଶ୍ୟକ ପଡ଼ିଲା ଏବଂ ଗଜପତିଙ୍କ ତରଫରୁ କୁମ୍ଭାର ମାନଙ୍କ ଉପରେ ଚାପ ପ୍ରୟୋଗ କରାଗଲା l ସାକ୍ଷୀଗୋପାଳଙ୍କ ପୀଠରେ ରୋଷ ଘର ତିଆରି କରାଯାଇ ପ୍ରଥମ ଅବଢ଼ା ପ୍ରସ୍ତୁତି ବ୍ୟବସ୍ଥା ହୋଇ ଦିନ ସ୍ଥିରହେଲା l ଉକ୍ତ ଦିନ ମୁକ୍ତି ମଣ୍ଡପ ପଣ୍ଡିତ, ଷୋଳ ଶାସନର ବ୍ରାହ୍ମଣ ଓ ଅନ୍ୟାନ୍ୟ ମଠ ମହନ୍ତ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରା ହେଲା l ଗଜପତି ମଧ୍ୟ ସଭାକୁ ଆମନ୍ତ୍ରିତ ହୋଇ ଆସିଲେ l କୁଡୁଆ ପ୍ରସ୍ତୁତ କାରୀ କୁମ୍ଭାର ମାନଙ୍କୁ ଏହି ସଭାରେ ମଧ୍ୟ ସମସ୍ୟାର ଆଲୋଚନା ପାଇଁ ଡକା ଗଲା l ସେହି
ସଭାରେ ସର୍ବ ସମ୍ମତିକ୍ରମେ ପ୍ରଥମେ ଶ୍ରୀଗୋପାଳ ମହାପ୍ରଭୁଙ୍କୁ ଅନ୍ନପ୍ରସାଦ ଲାଗି କରିବା ପାଇଁ ସ୍ଥିର ହେଲା l ଶ୍ରୀଗୋପାଳ ବୃନ୍ଦାବନରୁ ସାକ୍ଷ୍ୟ ଦେବା ପାଇଁ ଏଠାକୁ ଆସିଥିଲେ ବୋଲି କିମ୍ବଦନ୍ତୀ ଅଛି l ଶ୍ରୀଗୋପାଳଙ୍କର ଭଗ୍ନମନ୍ଦିର ଏବେବି ବିଦ୍ୟମାନ ରହିଛି l ସେଠାରେ ଅନ୍ନ ପ୍ରସାଦ ସେ ସମୟରେ ଲାଗି ହେଉ ନ ଥିଲା l ସଭା କାର୍ଯ୍ୟ ଚାଲି ଥାଏ l ଏହି ସମୟରେ ଜଣେ ବୃଦ୍ଧ କୁମ୍ଭକାର ଉଠି ପଡ଼ି ହାତଯୋଡ଼ି କହିଲା,”ଆଜ୍ଞାମାନେ ଶୁଣିବାହେବେ, ଏ ଶହେ ବରଷର ବୁଢ଼ା କୁମ୍ଭାର କିଛି କହିବାର ଅଛି, ଆଜ୍ଞା ହେଲେ କହିବି “l ବୁଢ଼ା କୁମ୍ଭାର ମତ ଶୁଣିବା ପାଇଁ ସମସ୍ତେ ଅନୁମତି ଦେବାରୁ ବୁଢ଼ା କହିଲା :-
“ପାଗରେ ନାହିଁ କି ଯାଗରେ ନାହିଁ,
ମାଆ ବେଇଲା ଭାଗରେ ନାହିଁ,
ସେଠି ମହାପ୍ରସାଦ ଆସିବ କାହିଁ l”
ବୁଢାର ଏ ଅଖାଡୁଆ କଥାଶୁଣି ସମସ୍ତେ ଭାବିଲେ ଇଏ ଗୋଟିଏ ପାଗଳ l ଅଶିକ୍ଷିତ ମଳି ମୁଣ୍ଡିଆଟା କଅଣ ଗୁଡ଼ିଏ ଅବାଗିଆ କଥା କହୁଛି l ଉପସ୍ଥିତ ଗଜପତି କିନ୍ତୁ ବୁଢ଼ାକଥାକୁ ଗୁରୁତ୍ୱଦେଇ କହିଲେ, “ନାଁ,ବୁଢ଼ା କ’ଣ କହୁଛି,ଏହା ବୁଝିବା ଆବଶ୍ୟକ, କୁମ୍ଭକାର ମହାଶୟ ତା’ ହେଲେ ଏକଥା ବୁଝାଇ ଦିଅନ୍ତୁ “l ବୁଢ଼ା ମହାରାଜାଙ୍କ ଠାରୁ ଅଭୟ ପାଇ କହିଲା,”ମଣିମା !ରୋଷଶାଳାର ମାଲିକ ହେଲେ ମହାଲକ୍ଷ୍ମୀ l ଶ୍ରୀଜଗନ୍ନାଥଙ୍କ ଘରଣୀ,ସେ ହେଲେ ପାଗର ମାଲିକ l ତହୁଁ ସେଠାରେ ମହା ପ୍ରସାଦ ଲାଗିହେଉଛି lଯାଗ ବା ଯଜ୍ଞ ହୋଇଥିବା ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ହେଉଛନ୍ତି ହରି ହରଙ୍କ ଏକାଙ୍ଗ ମୂର୍ତ୍ତି l ସେଠି ମଧ୍ୟ ମା’ ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଏଣୁ ସେଠି ମହାପ୍ରସାଦ l ଆଉ ଜଗନ୍ନାଥ ମହାପ୍ରଭୁଙ୍କ ମାଆ ପେଟର ବଡ଼ ଭାଈ ବଳଦେବ ଯେଉଁ ଠାରେ ଅଛନ୍ତି ସେଇଠି ମଧ୍ୟ ମହାପ୍ରସାଦ l ଆଉ ଅନ୍ୟ କେଉଁ ସ୍ଥାନରେ ଏହି ଦେବଙ୍କୁ ଦୁର୍ଲଭ ମହାପ୍ରସାଦ ହୋଇପାରେ ନା l”ଏତକ କହିସାରି ସେ ବୃଦ୍ଧ ସଭାରୁ ଉଠିଲେ ଓ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ l ଯେତେ ଖୋଜାଖୋଜି କଲେ ମଧ୍ୟ ସେ ଆଉ ମିଳିଲେ ନାହିଁ l ଏହା ଯେ ଏକ ଦୈବ ବାଣୀ,ଏହା ମନେକରି ଗଜପତି ମହାରାଜା ଆଉ ସାକ୍ଷୀଗୋପାଳ ମନ୍ଦିରରେ ଅନ୍ନ ଭୋଗ ବ୍ୟବସ୍ଥା ପାଇଁ ଅନୁମତି ପ୍ରଦାନ କରି ନଥିଲେ l ଏ ଯାବତ ସାକ୍ଷୀଗୋପାଳ ମନ୍ଦିରରେ ଏହି ପରମ୍ପରା ଚଳି ଆସୁଛି l ଏଣୁ ଏଠାରେ ମହାପ୍ରଭୁଙ୍କ ଅନ୍ନଭୋଗ ବ୍ୟବସ୍ଥା ନାହିଁ l
ଏହି ଉପାଖ୍ୟାନରୁ ପ୍ରତିପାଦିତ ହୁଏ, ମହାଲକ୍ଷ୍ମୀ ହେଉଛନ୍ତି ପ୍ରକୃତରେ ମହାପ୍ରସାଦର ମାଲିକାଣି l ସ୍କନ୍ଧ ପୁରାଣରେ କୁହାଯାଇଛି :-
ପୁଂନାମ୍ନl ଭଗବାନବିଷ୍ଣୁ
ସ୍ତ୍ରୀନାମ୍ନl କମଳାଳୟା
ଦେବତିର୍ଯ୍ୟତଂ ମାନୁଷ୍ୟାଦୌ
ବିଦ୍ୟତେ ଦୈତୟୋ ପରମ୍ ll
ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ମତାନୁଯାୟୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ମହାରାଜା ଯଯାତିକେଶରୀଙ୍କ ସମୟରେ ଶ୍ରୀମନ୍ଦିରରେ ଅନ୍ନ ଭୋଗର ବ୍ୟବସ୍ଥାହୋଇଥିଲା l ପୁଣି କେତେକଙ୍କ ମତରେ ମହାରାଜା ଅନଙ୍ଗଭୀମ ଦେବ 1230 ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିରର ନିର୍ମାଣ ସମାପ୍ତି କରିବା ପରେ ରାଜଭୋଗର ପ୍ରଚଳନ କରିଥିଲେ l ତାହା ହିଁ ମହାପ୍ରସାଦ l ଏହି ବିଷ୍ଣୁଭୋଗ ଅତ୍ୟନ୍ତ ପବିତ୍ର ଏବଂ ପ୍ରାପ୍ତ ମାତ୍ରେ ଭକ୍ଷ୍ୟ l ଏଣୁ ବ୍ରହ୍ମ ବୈବର୍ତ୍ତ ପୁରାଣରେ କୁହାଯାଇଛି :-
ଜଗନ୍ନାଥସ୍ୟ ନୈବେଦ୍ୟମ୍
ମହାପାତକ ନାଶନମ୍ l
ଭକ୍ଷ୍ୟଣାତ ଫଳମାପ୍ନୋତି
କପିଳା କୋଟି ଦାନବମ୍ ll
ସର୍ବଶାସ୍ତ୍ର ଅନୁଯାୟୀ ମାଆ ମହାଲକ୍ଷ୍ମୀ ହେଉଛନ୍ତି ପବିତ୍ର ମହାପ୍ରସାଦର ପାଚିକା ବା ପ୍ରସ୍ତୁତକାରିଣୀ ଏବଂ ବୈକୁଣ୍ଠ ବିହାରୀ ସ୍ୱୟଂ ଶ୍ରୀବିଷ୍ଣୁ ହେଉଛନ୍ତି ଏହାର ଭୋକ୍ତା :-
ତତ୍ରାନ୍ନ ପାଚିକା ଲକ୍ଷ୍ମୀ
ସ୍ୱୟଂ ଭୋକ୍ତା ଜନାର୍ଦ୍ଦନଃ l
ତସ୍ମାଦ୍ଭଦନ୍ନଙ୍ ଦ୍ବିପ୍ରଷେଇ
ଦୈବ ତୈରପି ଦୁର୍ଲଭମ୍ ll
🙏🙏🙏
ଅର୍ଜୁନୀ
———–
ମୋ -7693091971

Comments are closed.