ଇରାନକୁ ଟ୍ରମ୍ପଙ୍କ ଚରମବାଣୀ: ଚୁକ୍ତି, ନ ହେଲେ ସମୂଳେ ବିନାଶ!

0

ଆମେରିକା:ମଙ୍ଗଳବାର ଇରାନକୁ ଚରମବାଣୀ ଶୁଣାଇଚନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଆମ କଥା ମାନି ଇରାନ ଯଦି ଚୁକ୍ତିନାମାରେ ସ୍ୱାକ୍ଷର କରି ସେହିଅନୁସାରେ ଚାଲେ, ତାହେଲେ ଇରାନ ବିଶ୍ୱର ଏକ ସମୃଦ୍ଧ ଦେଶ ହୋଇପାରିବ । ଆଉ ଯଦି ଚୁକ୍ତି ନ କରେ ତେବେ ଇରାନକୁ ସମୂଳେ ଶେଷ କରିଦିଆଯିବ ବୋଲି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ନ୍ୟୁୟର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକରେ ନିଜ ବ୍ୟକ୍ତବ୍ୟ ରଖି ଟ୍ରମ୍ପ କହିଥିଲେ ବିଶ୍ୱରେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ବଦ୍ଧ ପରିକର । ରୁଷ-ୟୁକ୍ରେନ ଯୁଦ୍ଧ, ଭାରତ-ପାକିସ୍ତାନ ଯୁଦ୍ଧ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ସେ ନିଜେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଛନ୍ତି । ନିଜକୁ ନୂଆ କରି ସ୍ଥାପନ କରିବାକୁ ଇରାନ ପାଖରେ ଏବେ ସମୟ ଆସିଯାଇଛି । ଇରାନ ନିଜକୁ ସେହି ଢଙ୍ଗରେ ପ୍ରସ୍ତୁତ କରୁ ଯାହାଫଳରେ କେବଳ ମଧ୍ୟପ୍ରାଚ୍ୟ କାହିଁକି, ସାରା ବିଶ୍ୱରେ ଏହା ଏକ ସମୃଦ୍ଧ ରାଷ୍ଟ୍ରର ପରିଚୟ ପାଇବ । ଆଉ ଯଦି ଇରାନ ସେହି ଅନୁସାରେ ନ ଚାଲେ, ତେବେ ଏହାକୁ ସମୂଳେ ଶେଷ କରିଦଆଯିବ । ପୁଣି ଥରେ ଧ୍ୱଂସର ଲୀଳା ରଚିବାକୁ ଏହାକୁ ଆଉ ସୁଯୋଗ ଦିଆଯିବନି ବୋଲି ଚେତାବନୀ ଦେଇଥିଲେ ଟ୍ରମ୍ପ । ନିଜ ବ୍ୟକ୍ତବ୍ୟରେ ସେ ଅହୁରି ମଧ୍ୟ କହିଥିଲେ, ଅକ୍‌ଟେବାର ୭ ଇସ୍ରାଏଲ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ୧୨୦୦ ନିରୀହ ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ସେତେବେଳେ ଏହି ଘଟଣାକୁ ମାନବ ଜାତିର ସେବା ବୋଲି କହି ଇରାନର ତତ୍କାଳୀନ ସର୍ବୋଚ୍ଚ ଶାସକ ଖୁସି ମନାଇଥିଲେ । ଏଭଳି ସାମ୍ରାଜ୍ୟ ବିଶ୍ୱ ପାଇଁ କ୍ଷତିକାରକ । ସେମାନଙ୍କୁ ଏହି ଧ୍ୱଂସର ଲୀଳା ଚଳାଇବାକୁ ଆଉ ଥରେ ବି ସୁଯୋଗ ଦିଆଯିବନି । ଯଦି ଇରାନ ଚୁକ୍ତି ପାଇଁ ରାଜି ନ ହୁଏ, ତେବେ ଇରାନକୁ ସମୂଳେ ଶେଷ କରିଦିଆଯିବ ବୋଲି ଟ୍ରମ୍ପ ମଙ୍ଗଳବାର ବିଶ୍ୱନେତାମାନଙ୍କ ଆଗରେ ଏହି କଡ଼ା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.