ପଣସ ଚୋର ଜଗନ୍ନାଥ
ପଣସ ଚୋର ଜଗନ୍ନାଥ
==============
ଦୁଷ୍ଟଦଳନ,ସତ୍ୟ,ଶାନ୍ତି, ଧର୍ମର ପ୍ରତିଷ୍ଠା ନିମନ୍ତେ ସତ୍ୟ ଯୁଗରେ ବାମନ, ତ୍ରେତୟାରେ ଶ୍ରୀରାମ ଓ ଦ୍ୱାପରରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ ବୈକୁଣ୍ଠ ବିହାରୀ l ସେହି ମହାବିଷ୍ଣୁ କଳିଯୁଗରେ ଶ୍ରୀଜଗନ୍ନାଥ ରୂପରେ ନୀଳାଚଳ ଧାମରେ ବିଜେ କରିଛନ୍ତି lମହାପ୍ରଭୁ ନିଜ ଲୀଳାଖେଳା ମାଧ୍ୟମରେ ସଦା ସର୍ବଦା ଭକ୍ତମାନଙ୍କ ଚିତ୍ତକୁ ଆହ୍ଲାଦିତ କରି ଆସିଛନ୍ତି l ଦ୍ୱାପର ଯୁଗରେ ଗୋପିକାଙ୍କ ଲବଣୀ ଚୋରି କରି ଲବଣୀଚୋର,ବସ୍ତ୍ରଚୋରି କରି ବସ୍ତ୍ର ଚୋର ରୂପେ ତାଙ୍କର ଖ୍ୟାତି l ପୁଣି କଳିଯୁଗରେ ସେ ଖିରୀ ଚୋରିକରି କ୍ଷୀରଚୋରା ଗୋପୀନାଥ l ସେ ଜୀବର ସମସ୍ତ ପାପକୁ ଚୋରି କରନ୍ତି ବୋଲି ଭକ୍ତ ତାଙ୍କୁ କହେ ମହାଚୋର l ଯେମିତି ଚୋରି ତାଙ୍କର ବୃତ୍ତି l ସେ ବୃତ୍ତି ସେ ଛାଡ଼ନ୍ତେ କେମିତି l ତେଣୁ ସେ ନୀଳାଚଳରେ ବସି ଳୀଳାଟିଏ କଲେ ପଣସ ଚୋରି l ପଣସ ତ ଚୋରି କଲେ ହେଲେ “କାଉ ଖାଇ ପଣସ, ବଗ ମୁଣ୍ଡରେ ଅଠା” ଭଳି ଆପଣେ ପୁଣି ଅଠା ବୋଳିଦେଲେ ଆଉ କାହାରି ମୁଣ୍ଡରେ l
ସେଦିନ ପାଚିଲା ପଣସର ସୁବାସରେ ମହ ମହ ମହକି ଉଠୁଥିଲା ସତ୍ୟବାଦୀ ବକୁଳବନ l ବୋଧ ହେଉଥିଲା ବଗିଚାରେ ଗଛରୁ କେଉଁଠି ପାଚିଲା ପଣସ ଛିଡ଼ିକି ପଡ଼ିଛି l ସିଦ୍ଧ ବଳରାମ ଗୋସେଇଁ ଏ ବାସ୍ନା ବାରିପାରିଲେ l ଧ୍ୟାନ ଲଗାଇ ଜାଣିବାକୁ ପାଇଲେ ସେ,ଏ ପଣସ ଛିଡି ପଡ଼ିନି,ତାକୁ କେହି ଛିଡ଼ାଇ ପକାଇଦେଇଛି l ବଗିଚାକୁ ଚାହିଁ ଦେଖନ୍ତି ତ ସେ କଳା ଗୋରା ଦୁଇ ଟୋକା ପେଟେ ପଣସ ଖାଇ ଏବେ ଗଛମୂଳେ ଏପାଖ ସେପାଖ ହୋଇ ବୁଲୁଛନ୍ତି l ଗୋସେଇଁ ରାଗିଗଲେ,ଚୁପ କରି ଯାଇ ଦୁଇ ଟୋକାଙ୍କୁ ଧରି ଭିଡ଼ି ଆଣିଲେ l
ଗୋସେଇଁ ତାଙ୍କୁ ଯୋରରେ ଧମକେଇ କହିଲେ, “ହଇରେ ବଗୁଲିଆ ବଦମାସ୍ ଟୋକାଏ,ରଜାଙ୍କ ପଣସ ବଗିଚାରେ ପଶି ପଣସ ତୋଳି ଖାଇବାକୁ ତୁମର ଏଡ଼େ ବହପ ହେଲା କେମିତି ? ଆସିକି ସିଧା ପଣସ ଖାଇଗଲ ?”
ଗୋସେଇଁଙ୍କ କଥାରେ କାଳିଆ ପିଲାଟି ମନ୍ଦମନ୍ଦ ହସୁଥାଏ l କିନ୍ତୁ ଗୋରା ଟୋକାର ମୁହଁ ରାଗରେ ପାଚି ଲାଲ ହୋଇଗଲା l ତାର ରାଗ ତମ ତମ ମୁହଁ ଦେଖି ସାନ କାଳିଆ ଟୋକାଟା ତାଙ୍କୁ ଥଣ୍ଡା ପଡ଼ିଯିବା ପାଇଁ ଇସାରା କଲା l ଗୋରା ପିଲାଟି ଟିକିଏ ଶାନ୍ତ ହେବାରୁ ଦୁହେଁ ମିଶି କହିଲେ,‘ଅଜା ଆମେ ପଣସ ଖାଇନୁ’l ଗୋସେଇଁ ଆହୁରି ରାଗି ଯାଇ କହିଲେ, ” ଅଜା ନା ଖଜା, ତୁମେ ଦୁଇଟା ଚୋର,ଚୋରିକରି ଆହୁରି ଚାତୁରୀ ଦେଖୋଉଛ, କହିଲେ କ’ଣ ନା ଅଜା !!! ତୁମେ ମୋର କୋଉ ନାତିରେ ଲେଖା ହୋ l” ବାଳକ ଦୁହେଁ ପଣସ ତ ଖାଇଛନ୍ତି l ହାତରେ ଲାଗିଛି ପଣସ ଅଠା l
ଗୋସେଇଁ ଏମିତି ବକୁଛନ୍ତି,ଚତୁର ବାଳକ ଦୁଇ ଜଣ ବୃଦ୍ଧ ବଳରାମ ଗୋସାଇଁଙ୍କ ମଥାରେ ହାତ ରଖି ସେ ଦୁହେଁ ଚୋର ନୁହଁନ୍ତି ବୋଲି କହୁଥାନ୍ତି l ହେଲେ ସତ କହି ଦେଲା ପଣସ ଅଠା l ଲାଗିଲା ଗୋସେଇଁଙ୍କ ମୁଣ୍ଡରେ ଅଠା l ଆଉ ଗୋସେଇଁଙ୍କି ସମ୍ଭାଳେ କିଏ?ରାଗ ତମତମହୋଇ ଦି ଟୋକାଙ୍କୁ ଗୋଟିଏ ବଉଳଗଛରେ ବାନ୍ଧିଦେଲେ l ରାତିପାହି ସକାଳ ହେଲା l ଗୋସେଇଁ ଯାଇ ବକୁଳବନରେ ଦେଖିଲା ବେଳକୁ ଦି ଟୋକା କୁଆଡ଼େ ଛୁ l ରାଜା ପଣସ କିଏ ଛିଣ୍ଡାଇଛି ଅନୁସନ୍ଧାନକରି ଦେଖିଲେ ଗୋସେଇଁଙ୍କ ମଥାର ପଣସ ଅଠା l ଗୋସେଇଁ ଚୋର,ଏହା ସ୍ଥିର କରି ଧରି ନେଲେ ତାଙ୍କୁ ଦଣ୍ଡ ଦେବା ପାଇଁ l
ହେଲେ ଭକ୍ତବତ୍ସଳ କାଳିଆଠାକୁର କ’ଣ ଅଜାଙ୍କ ଦଣ୍ଡ ସହି ପାରିବେ l ସ୍ଵପ୍ନାଦେଶ କଲେ ରାଜାଙ୍କୁ,
“ପଣସ ଆମ୍ଭେ ଖାଇଛୁ,ଅଜା ନିର୍ଦ୍ଦୋଷ l” ଏକଥା
ଚାରିଆଡେ ରାଷ୍ଟ୍ର ହୋଇଗଲା ଦୁଇଭାଈ କାଳିଆ ବଳିଆ ବକୁଳବନରୁ ପଣସ ଚୋରିକଲେ l ସାରା ରାଇଜର ଲୋକ ମଥା ନୋଇଁଲେ ବଡ଼ଦାଣ୍ଡରେ l ବକୁଳବନର ମାଟି ପବିତ୍ର ହେଲା l ନାଟୁଆ କଳା ସାଆନ୍ତେ ଅଜାଙ୍କ ଦ୍ୱାରା ବଉଳ ଗଛରେ ବନ୍ଧନ କଥା ଚିରଦିନ ମନେ ରଖିବାକୁ ନିର୍ଦ୍ଦେଶ ଦେଲେ ରାଜାଙ୍କୁ,” ଆମ୍ଭେ ପ୍ରତ୍ୟକ ବର୍ଷ ବଉଳ କାଠରେ ବନ୍ଧା ହେବୁ” l
ସେହି ଦିନ ଠାରୁ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଲୋଡ଼ାପଡ଼େ ବଉଳ କାଠ l ବଉଳ କାଠରେ ସେନାପଟା ଲାଗି ହୁଅନ୍ତି ମହାପ୍ରଭୁ l ସେନାପଟା ପ୍ରସ୍ତୁତି ନିମନ୍ତେ ବକୁଳବନ ସିଦ୍ଧ ବଳରାମ ଗୋସେଇଁଙ୍କ ପୀଠରୁ ଶ୍ରୀକ୍ଷେତ୍ର ଆସେ ବଉଳ କାଠ l ପୁରୀ ଠାରୁ ୨୦ କି.ମି ଦୂର ସତ୍ୟବାଦି ବା ସାକ୍ଷୀଗୋପାଳ ଠାରେ ଅଛି ଏହି ବକୁଳ ବନ l ସେଠାରେ ପୂଜା ହୁଅନ୍ତି ମଣିମାଙ୍କ ଅଜା ସିଦ୍ଧବଳଦେବ ଗୋସେଇଁ l ପ୍ରତି ବର୍ଷ ମହାପ୍ରଭୁ ଗୁଣ୍ଡିଚା,ବାହୁଡ଼ା ଏବଂ ସ୍ନାନଯାତ୍ରା ସମୟରେ ପହୁଣ୍ଡି ବିଜେ ବେଳେ ବଉଳ କାଠର ସେନାପଟାରେ ବନ୍ଧା ହୋଇ ଛେଚା କଚଡ଼ା ଖାଇ ଭକ୍ତଙ୍କ ଗହଣରେ ଲୀଳା କରନ୍ତି l ଧନ୍ୟ ଆପଣେ ଭକ୍ତବତ୍ସଳ ମହାପ୍ରଭୁ l ଧନ୍ୟ ତୁମ୍ଭର ଭକ୍ତ ବତ୍ସଳ ଲୀଳା l ଧନ୍ୟ ତୁମର ଭକ୍ତଗଣ l
ଜୟ ଜଗନ୍ନାଥ
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Comments are closed.