ଡାକ୍ତରଙ୍କ ଆନ୍ଦୋଳନ ପହଞ୍ଚିଲା ତୃତୀୟ ଦିନରେ : ବିଜେଡିର ଆଲୋଚନା ଜାରି

• ପ୍ରତିଶ୍ରୁତି ଦେଇ ଭଣ୍ଡାଇଛନ୍ତି ସରକାର: ସଂଘ • "କାର୍ଯ୍ୟ ବନ୍ଦ ତ ଦରମା ବନ୍ଦ ନିଷ୍ପତ୍ତି"କୁ ବିରୋଧ

ବାଲେଶ୍ଵର, ୪|୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ବଡ଼ ମେଡ଼ିକାଲର ସିଡ଼ିଏମଓ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି। ଦଶ ଦଫା ଦାବି ପୂରଣ ନେଇ ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନ ପକ୍ଷରୁ ଏହି ଆନ୍ଦାଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ଟିମ୍ ଶୁକ୍ରବାର ସକାଳେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଛନ୍ତି। ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିବା ସହ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।
ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବାଲେଶ୍ଵର ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଜେଡି ସାଂସଦ ପ୍ରାର୍ଥିନୀ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପହଞ୍ଚି ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦାବି ଓ ସମସ୍ୟାକୁ ବୁଝିବା ସହ ଟିମ୍ ନବୀନ ନିବାସକୁ ସମସ୍ତ ସୂଚନା ପ୍ରଦାନ କରିଥିଲା। ଦାବି ପୂରଣ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ଜାଣି ଟିମ୍ ଏହାକୁ ନିନ୍ଦା କରିଥିଲା। ବିଜେଡି ସରକାର ସ୍ୱାସ୍ଥ୍ୟସେବା ପାଇଁ ସମସ୍ତ ସୁବିଧା ଯୋଗାଇଥିବା ସତ୍ୱେ ଏ ସରକାର ଡାକ୍ତରଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଥିବା କହିଥିଲେ। ଫଳସ୍ୱରୂପ ଦୁଇ ଦିନ ଧରି ରୋଗୀଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ପରିବର୍ତ୍ତେ କେବଳ ବାଲେଶ୍ଵର ମେଡ଼ିକାଲ କଲେଜ ଓ କଟକ ରେଫର କରାଯାଉଥିବା ଭଳି ଶୋଚନୀୟ ଘଟଣାକୁ ନିନ୍ଦା କରିଥିଲେ। “କାର୍ଯ୍ୟ ବନ୍ଦ ତ ଦରମା ବନ୍ଦ” ନେଇ ଡାକ୍ତରଙ୍କୁ ସରକାରଙ୍କ ଧମକକୁ ସଂଘ ପକ୍ଷରୁ ନିନ୍ଦା ଓ ବିରୋଧ କରାଯାଇଛି। ପରେ ସାଂସଦ ପ୍ରାର୍ଥୀନୀ ଡ. ସାମନ୍ତସିଂହାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିବା ସହ ସଂଘର ଏକ ଟିମକୁ ଡାକି ଆଲୋଚନା କରିବାକୁ ଆହ୍ୱାନ କରିଥିବା ବେଳେ ମନ୍ତ୍ରୀ ଏହା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ବିଜେଡିର ଆନ୍ୟନ୍ୟ ନେତୃତ୍ୱଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ବିଜେଡି ଟାଉନ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ, କାଉନସିଲରଙ୍କ ମଧ୍ୟରେ ମୀନା ମହାନ୍ତି, ସେକ ଆୟୁବ, ସବିତାରାଣୀ ଦାସ, ସନ୍ଧ୍ୟାରାଣୀ ଜେନା, ରେମୁଣା ବ୍ଲକ ସଭାପତି ଅଭିମନ୍ୟୁ ଦିନ୍ଦା, ରମେଶ ମାଝୀ, ସେକ ଅନସର ଅଲ୍ଲୀ, ରୀତିକ ଜୀ, ଅଶୋକ ଦାସ, ଅତୁଳ ଶତପଥି, ଭରତ ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ପ୍ରକାଶ ଥାଉକି, ଦଶ ଦଫା ଦାବି ନେଇ ଓଏମଏସଏ ସଂଘ ପକ୍ଷରୁ ତିନି ଦିନ ଧରି ସାରା ରାଜ୍ୟରେ ଆନ୍ଦୋଳନ ଚାଲିଥିବା ବେଳେ ସମୁଦାୟ ୬ହଜାର ୫ଶହ ଡାକ୍ତର ଆନ୍ଦୋଳନରେ ବସିଛନ୍ତି | ଅନୁରୂପ ବାଲେଶ୍ଵରର ୨୯୫ରୁ ଅଧିକ ଡାକ୍ତର ତିନି ଦିନ ଧରି ସିଡିଏମଓ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଦାବି ସମ୍ପର୍କରେ ପୂର୍ବରୁ ବାରମ୍ବାର ସରକାର ସହ ଆଲୋଚନା ଓ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମସ୍ୟାର ସମଧାନ ନ ହେବାରୁ ସଂଘ ଏଭଳି ଦୃଢ଼ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି।

Comments are closed.