ସୀମାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟର ଦୁରବସ୍ଥା ଓ ଜଳସଙ୍କଟ ଉଦବେଗଜନକ

0

ଗଜପତି,୧୩.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ଲାବନ୍ୟଗଡ ଗ୍ରାମ ପଞ୍ଚାୟତର ଏସ୍. ମାରିଙ୍ଗି, ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥା ଉଦବେଗଜନକ ରହିଛି। ଏହି
ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ ଅବସ୍ଥାପିତ ଥିବା ବେଳେ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି। ମାତ୍ର ଦୁଇ ଜଣ ଶିକ୍ଷକଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି।ଏଠାରେ ପ୍ରାୟ ୧୦୦ ଜଣ ଛାତ୍ରୀଙ୍କ ରହଣି ପାଇଁ ହଷ୍ଟେଲ ରହିଥିବା ବେଳେ ପାଠପଢ଼ା, ଖାଦ୍ୟ ପ୍ରସ୍ତୁତି ଓ ଭୋଜନଶାଳା ନିମନ୍ତେ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହୋଇଛି। ବିଦ୍ୟାଳୟର ପାଚେରୀ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ମଧ୍ୟ ଅଭାବ ରହିଛି। ଏହି ବିଦ୍ୟାଳୟଟି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଏପରି ଅବହେଳାର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୀମାନ୍ତ ଅଞ୍ଚଳର ଲୋକଙ୍କ ମୌଳିକ ସୁବିଧା ଓ ଆବଶ୍ୟକତା ପ୍ରତି ସରକାର ତ୍ୱରିତ ଧ୍ୟାନ ନଦେଲେ, ଲୋକମାନେ ପଡ଼ୋଶୀ ରାଜ୍ୟର ସୁବିଧା ଉପରେ ନିର୍ଭରଶୀଳ ହେବାର ଆଶଙ୍କା ରହିଛି। ତେଣୁ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କର ଉପସ୍ଥିତି ଓ ବିକାଶମୂଳକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଗୁରୁତର ଜଳସଙ୍କଟ ମଧ୍ୟ ସୃଷ୍ଟି ହେଉଅଛି। ଗ୍ରାମ ନିକଟରେ ଏକ ଇଥାନଲ କାରଖାନା ନିର୍ମାଣ ହେବା ପରେ ଜଳର ବହୁଳ ବ୍ୟବହାର ହେଉଥିବାରୁ ଭୂତଳ ଜଳସ୍ତର ହ୍ରାସ ପାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ବର୍ଷା ଋତୁ ହୋଇଥିଲେ ମଧ୍ୟ ପ୍ରାୟ ୧୦୦ ଜଣ ଛାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଗାଧୋଇବା ପାଇଁ ପର୍ଯ୍ୟାପ୍ତ ଜଳ ସୁବିଧା ନଥିବା ଚିନ୍ତାଜନକ ଅଟେ।ଦୁର୍ଗା ପର୍ବତ ନିକଟସ୍ଥ ଏହି ଅଞ୍ଚଳରେ ବଡ଼ ଜଳାଶୟ, ପୋଖରୀ କିମ୍ବା ଜଳ ସଂରକ୍ଷଣ ବ୍ୟବସ୍ଥା ନିର୍ମାଣ କରି ବର୍ଷାଜଳ ସଂରକ୍ଷଣ କରାଯିବାର ଆବଶ୍ୟକତା ରହିଥିବା ସମାଜସେବୀ ଶ୍ରୀ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି। ଏହାଦ୍ୱାରା ଭୂତଳ ଜଳସ୍ତର ବଢ଼ିବା ସହ ଭବିଷ୍ୟତରେ ଜଳସଙ୍କଟକୁ ରୋକାଯାଇପାରିବ। ଏହି ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ନୂତନ ଭିତ୍ତିଭୂମି, ପାଚେରୀ, ହଷ୍ଟେଲର ମୌଳିକ ସୁବିଧା ଓ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବା ନିମନ୍ତେ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।

Leave A Reply

Your email address will not be published.