ଭୋଗରାଇରେ ୩୦ ବର୍ଷ ପରେ ଫେରିଲା ସିନେମାର ମଜା, ଅସ୍ଥାୟୀ ହଲ୍‌ରେ ଉଦ୍‌ଘାଟିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ମନଷ୍ଟାର’

0
ବାଲେଶ୍ୱର, ୧୨/୧୧ (କୃଷ୍ଣ କୁମାର ମହାନ୍ତି): ଡିଜିଟାଲ ଯୁଗରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆର୍ଥିକ ସଙ୍କଟ ଓ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଥିବାବେଳେ ସିନେମାର ପ୍ରଚାର ଓ ପ୍ରସାର ପାଇଁ ଭୋଗରାଇରେ ଏକ ନିଆରା ପ୍ରୟାସ ଆରମ୍ଭ ହୋଇଛି। ଦୀର୍ଘ ୩୦ ବର୍ଷ ପରେ ଭୋଗରାଇ ଅଞ୍ଚଳରେ ସିନେମା ପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ଭୋଗରାଇ ବ୍ଲକ୍‌ର ଥାନାଛକସ୍ଥିତ ଆନନ୍ଦ ବଜାରରେ ଏକ ଅସ୍ଥାୟୀ ସିନେମା ହଲ୍‌ରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ମନଷ୍ଟାର’ର ଶୁଭ ଉଦ୍‌ଘାଟନ ହୋଇଛି।
ଏହି ଚଳଚ୍ଚିତ୍ରରେ ବାଲେଶ୍ୱର ଜିଲ୍ଲାର ଐତିହାସିକ ସ୍ଥଳୀ, ସୁବର୍ଣ୍ଣରେଖା ନଦୀ ଓ ତାଳସାରୀ ଉପକୂଳର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ବାବା ଭୂଷଣ୍ଡେଶ୍ୱର, ବାବା ଚନ୍ଦନେଶ୍ୱର, ମା’ ବାଶୁଳୀଙ୍କ ଶକ୍ତିପୀଠ, ରାୟ ମହାଶୟ ଗଡ଼, ରାଇବଣିଆ ଦୁର୍ଗ ଓ ବିଭିନ୍ନ ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜିକୁ ସ୍ଥାନିତ କରାଯାଇଛି। ଏଥିସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ଶୋଭାରାଜିକୁ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ସମ୍ପଦକୁ ଅଧିକ ଲୋକପ୍ରିୟ କରିବା ଏହି ଚଳଚ୍ଚିତ୍ରର ଅନ୍ୟତମ ଉଦ୍ଦେଶ୍ୟ।
ପ୍ରଯୋଜକ ଦେବରାଜ ବିଧାର ଓ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ମାଣରେ ଏହି ଚଳଚ୍ଚିତ୍ରରେ ନାୟିକା ଦିବ୍ୟଜ୍ୟୋତି ମହାପାତ୍ର ଓ ନାୟକ ଆଦିତ୍ୟ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ କଳାକାର ଅଭିନୟ କରିଛନ୍ତି। ଏହି ଅସ୍ଥାୟୀ ସିନେମା ହଲ୍‌ରେ ମାତ୍ର ୧୫ ଦିନ ପାଇଁ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ। ଦୀର୍ଘ ତିନି ଦଶନ୍ଧି ଧରି ସିନେମା ହଲ୍‌ରୁ ବଞ୍ଚିତ ଭୋଗରାଇବାସୀଙ୍କ ପାଇଁ ଏହା ଏକ ଆନନ୍ଦଦାୟକ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ଅନନ୍ତ ଦାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଇଂ. ଅଭିଜିତ ଦାସ ମିଳିତ ଭାବେ ଏହି ସିନେମାର ଶୁଭ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ବିଡିଓ ପ୍ରଶାନ୍ତ କୁମାର ମହାରଣା, ବିଶିଷ୍ଟ ସମାଜସେବୀ ଗଣପତି ଗିରିଙ୍କ ସମେତ ଚଳଚ୍ଚିତ୍ରର ପ୍ରମୁଖ ପରିଚାଳକ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସଙ୍କଟ ଦେଇ ଗତି କରୁଥିବା ସମୟରେ ଭୋଗରାଇର ଏହି ପ୍ରୟାସ ଆଞ୍ଚଳିକ ସ୍ତରରେ ସିନେମା ପ୍ରତି ଆଗ୍ରହ ଓ ଦର୍ଶକୀୟ ଆକର୍ଷଣକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
Leave A Reply

Your email address will not be published.