ବାଲେଶ୍ଵର, ୯/୧୦(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକାର ଆଇସିଡିଏସ୍ ପ୍ରକଳ୍ପ ପକ୍ଷରୁ ପ୍ରକଳ୍ପସ୍ତରୀୟ ନବମ ପୋଷଣ ମାସ ପାଳିତ ହୋଇଯାଇଛି।
ଏହି ଅବସରରେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଆ ଓ ଶିଶୁଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁଷ୍ଟିକର ଖାଦ୍ୟ ସହିତ ପରିବେଶର ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।
ଅନ୍ୟତମ ଅତିଥି ଭାବେ ଏବିଇଓ ଶାନ୍ତିଲତା ପାତ୍ର ଏବଂ ‘ମେ ଆଇ ହେଲ୍ପ ୟୁ’ର ସମ୍ପାଦକ ଉବାଚକ ମହାନ୍ତି ଯୋଗଦେଇ ମା ଓ ଶିଶୁଙ୍କ ପୁଷ୍ଟିସାଧନ, ସନ୍ତୁଳିତ ଖାଦ୍ୟ ଗ୍ରହଣ ଏବଂ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷାରେ ପୋଷଣର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ପୁଷ୍ଟିସମୃଦ୍ଧ ଖାଦ୍ୟ ପ୍ରସ୍ତୁତିର ବିଭିନ୍ନ ପଦ୍ଧତି ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମକୁ ମଧୁସ୍ମିତା ପ୍ରଧାନ, ସଂଚୟିତା ସାମନ୍ତ, ସୁଶ୍ରୀ ଶାଶ୍ଵତୀ ଦେ ଓ ମୁକେଶ ବେହେରା ପ୍ରମୁଖ ସଂଯୋଜନା କରିଥିଲେ।