ବାଲେଶ୍ୱର, ଅକ୍ଟୋବର ୯ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।
ଏହି ଅବସରରେ ସହରସ୍ଥିତ ଗୋପବନ୍ଧୁ ପାର୍କରେ ତାଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଜୀବନାଦର୍ଶ, ତ୍ୟାଗ ଓ ସମାଜସେବା ଉପରେ ଆଲୋଚନା କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ, ସମାଜସେବୀ, ଶିକ୍ଷାବିତ୍, ସାହିତ୍ୟିକ ଓ ସାମ୍ବାଦିକ ଥିଲେ। ତାଙ୍କର ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ, ଦୁଃଖୀ ଓ ଦରିଦ୍ରଙ୍କ ସେବା ପ୍ରତି ନିଷ୍ଠା, ଅସୀମ ତ୍ୟାଗ ଏବଂ ମହାନ ଆଦର୍ଶ ଆଜି ମଧ୍ୟ ସମାଜ ପାଇଁ ଅନୁକରଣୀୟ।
ବିଶେଷକରି ଯୁବପିଢ଼ି ତାଙ୍କ ଜୀବନାଦର୍ଶରୁ ପ୍ରେରଣା ନେଇ ମାନବସେବା ଓ ଦେଶସେବାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।
ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ‘ସମାଜ’ ସାଧାରଣ ଜନତାଙ୍କ ସ୍ୱର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ସାମ୍ବାଦିକତାର ଗୁରୁତ୍ୱ ଅତୁଳନୀୟ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ଜଣେ ସଚେତନ ନାଗରିକ ତଥା ସାମ୍ବାଦିକ ଭାବେ ଗୋପବନ୍ଧୁଙ୍କ ନିର୍ଭୀକତା, ନିଷ୍ଠା ଓ ଜନକଲ୍ୟାଣମୂଳକ ଚିନ୍ତାଧାରାକୁ ଆଦର୍ଶ ଭାବେ ଗ୍ରହଣ କରିବା ଉଚିତ ବୋଲି ସେମାନେ ମତ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଓୟୁଜେର ବାଲେଶ୍ୱର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ, ବରିଷ୍ଠ ସଦସ୍ୟ ଅଜିତ କୁମାର ମହାନ୍ତି, ମଧୁସୂଦନ ଦାସ, ଲକ୍ଷ୍ମୀନାରାୟଣ ଦାସ, ସୋମନାଥ ସାହୁ, ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସ, ଯଶୋଦାନନ୍ଦନ ଆଶ ଏବଂ ସମାଜସେବୀ ଲାବଣ୍ୟନିଧି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।