ଥାଇ ମସାଜ ସ୍ପା’ରେ ରାଜକୀୟ ମଉଜ: ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଭୁବନେଶ୍ୱର: ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍‌ ସ୍ପା’ ବା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ଯେଉଁସବୁ ତଥ୍ୟ ହାତେଇଛି, ଶୁଣିବା ଲୋକଙ୍କ ଆଖି ଟେରା ହେଇ ଯାଉଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲ୍ୟାଣ୍ଡରୁ ଯୁବତୀମାନଙ୍କୁ ଆଣି ଏଠାରେ ମସାଜ୍‌ ବାହାନାରେ ଦେହ ବ୍ୟବସାୟରେ ଲଗା ଯାଇଥିଲା। ଅନେକ ବର୍ଷ ହେଲା ଏସବୁ ଚାଲିଥିଲା। ଯାଞ୍ଚ, ଜେରା ଓ ତଦନ୍ତରୁ ପୁଲିସ ଏ ବିଳାସ ଭବନର ରୀତିନୀତି ବିଷୟରେ ବେଶ୍ କିଛି ଜାଣିବାକୁ ପାଇଛି। ସେଥିରୁ ଜଣା ପଡ଼ିଛି ଯେ ବିଧିବଦ୍ଧ ଭାବେ କୌଣସି ବଡ଼ ବ୍ୟାବସାୟ ସଂସ୍ଥା ଭଳି ଏଠାରେ କାମ ଚାଲିଥିଲା।

ତାରକା ହୋଟେଲ ଭଳି ସାଜସଜ୍ଜା: ଗ୍ରାହକମାନଙ୍କୁ ଖୁସି କରିବା ଓ ଓଡ଼ିଶାରେ ଥାଇଲାଣ୍ଡ ଭଳି ସେବା ଯୋଗାଇବା ପାଇଁ ସ୍ପା ଭିତରର ସାଜସଜ୍ଜା ତାରକା ହୋଟେଲ ଭଳି କରା ଯାଇଥିଲା। ସ୍ପା ଭିତରେ ଥିବା ରୁମ୍‌ଗୁଡ଼ିକୁ ଜଣେ ଜଣେ ଗ୍ରାହକ ବ୍ୟବହାର କରୁଥିଲେ। ଏସି ଲାଗିଥିବା ଏହି ରୁମ୍‌ରେ ଉନ୍ନତମାନର ବେଡ୍‌ ସାଙ୍ଗକୁ ନୀଳ ଆଲୋକ ସଜା ଯାଇଥିଲା। ରୁମ୍‌ରେ ଥିବା ବାଥ୍‌ରୁମ୍‌ରେ ଅତ୍ୟାଧୁନିକ ସଂରଞ୍ଜାମ ଲଗା ଯାଇଥିଲା। ସେ ପରିବେଶକୁ ଏଭଳି କରାଯାଇଥିଲା ଯେ, ଗ୍ରାହକ ଥରେ ଆସିଲେ ବାରମ୍ବାର ଆସିବାକୁ ମନ ବଳାଇବ।

ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ: ଏଠାକୁ ଆସୁଥିବା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ଥିଲେ ଥାଇଲାଣ୍ଡ ଯୁବତୀ। ଏହାଛଡ଼ା କେତେକ ଗ୍ରାହକ ମହାରାଷ୍ଟ୍ର, କଲିକତା, ଝାଡ଼ଖଣ୍ଡ ଓ ଓଡ଼ିଶାର ଯୁବତୀଙ୍କ ପାଇଁ ମଧ୍ୟ ଅଗ୍ରିମ ବୁକିଂ କରୁଥିଲେ। ଥାଇଲାଣ୍ଡ ଯୁବତୀଙ୍କ ପାଇଁ ଗ୍ରାହକମାନେ ମୋଟା ରକମର ଟଙ୍କା ଦେଉଥିଲେ। ସେମାନଙ୍କ ମସାଜ ପାଇଁ ୫ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେବାକୁ ଲୋକେ ପଛାଉ ନଥିଲେ। ସେହିପରି ମହାରାଷ୍ଟ୍ର, କଲିକତା ଓ ଓଡ଼ିଶାର ଯୁବତୀଙ୍କ ଠାରୁ ମସାଜ ପାଇଁ ୨ହଜାରରୁ ଆରମ୍ଭ କରି ୮ରୁ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡୁଥିଲା। ସ୍ପା’ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିଲା। ଏହି ଥାଇଲାଣ୍ଡର ଯୁବତୀମାନଙ୍କୁ କଲିକତାର ଏକ ସଂସ୍ଥା ମାଧ୍ୟମରେ ଅଣାଯାଉଥିଲା ବୋଲି ସୂଚନା ମିଳିଛି। ସେମାନଙ୍କୁ ମାସିକିଆ ଠିକାରେ ଅଣାଯାଉଥିଲା। ମାସ ସରିବା ପରେ ଗୋଟିଏ ବ୍ୟାଚ୍‌ ଥାଇଲାଣ୍ଡ ଯୁବତୀ ଫେରି ଯାଉଥିଲେ ଓ ଆଉ ଏକ ବ୍ୟାଚ୍‌ ଆସୁଥିଲେ। ନିୟମିତ ଗ୍ରାହକଙ୍କୁ ନୀଆ ଅନୁଭବ ଦେବା ଲକ୍ଷ୍ୟରେ ଏପରି କରା ଯାଉଥିଲା।

ଆକର୍ଷଣୀୟ ସ୍କିମ୍‌: ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସ୍ପା ପକ୍ଷରୁ ଆକର୍ଷଣୀୟ ବିଜ୍ଞାପନ ଦିଆଯାଉଥିଲା। ଏପରିକି ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ବିଭିନ୍ନ ସ୍କିମ୍‌ ରହିଥିଲା। ମେମ୍ବରସିପ୍‌ ପାଇଁ ୨ହଜାର ଟଙ୍କା, ପ୍ୟାକେଜ୍‌ ନେଲେ କିଛି ସେବା ମାଗଣାରେ ଦିଆ ଯାଉଥିଲା। ୧୨ ହଜାର ଟଙ୍କାର ପ୍ୟାକେଜ୍‌ ନେଲେ ୧୧ଟି ମସାଜ୍‌। ସେହିପରି ୮ହଜାର ଟଙ୍କାରେ ୬ଟି ମସାଜ। ଯେତେ ଅଧିକ ପ୍ୟାକେଜ୍‌ ନେବେ ସେହି ହିସବରେ ଫ୍ରି ମସାଜ ମିଳୁଥିଲା। ଏହାଛଡ଼ା ଅନ୍ୟସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଥିଲା।
ବୁକିଂ କଲ୍‌ ଉଠାଇଲା ପୁଲିସ: ‘‘ଆଜି କ’ଣ କିଛି ନୂଆ ଆସିଛି ନା ପରେ ଆସିବ? ଯଦି ଆସିନି ଆସିଲେ କଲ୍‌ କରି ଜଣାଇବ…। କେତେ କ’ଣ ପ୍ରାଇସ୍‌ ଅଛି, ହ୍ୱାଟସାପ୍‌ରେ ରେଟ୍‌ ଚାଟ୍‌ ପଠାଇବ…। ଆମ ପାଇଁ ଡିସ୍କାଉଣ୍ଟ ଟିକେ କରିଦେବ…।’’ ଆଜି ସ୍ପା’ରେ ବୁକିଂ ପାଇଁ ଏମିତି ଜଣେ ଗ୍ରାହକଙ୍କ ଫୋନ୍‌ କଲ୍‌କୁ ଖୋଦ୍‌ ପୁଲିସ ହିଁ ରିସିଭ୍‌ କରିଥିଲା। ତେବେ କେବଳ ସେହି ଜଣେ ଗ୍ରାହକ ନୁହେଁ, ଜବତ ହୋଇଥିବା ସ୍ପା’ର ମୋବାଇଲ୍‌ଗୁଡ଼ିକୁ ଗ୍ରାହକମାନଙ୍କର ଏପରି ଘନଘନ କଲ୍‌ ଆସିଥିଲା। ପୁଲିସ ସେମାନଙ୍କ ସହ କଥା ହେଉଛି ବୋଲି ଉକ୍ତ ଗ୍ରାହକମାନେ ଜାଣିପାରି ନ ଥିଲେ।

ଖାତାରେ ନାମୀ ବ୍ୟକ୍ତିଙ୍କ ନାଁ: ସ୍ପା’ରେ ଚଢ଼ଉ ବେଳେ ପୁଲିସ ଏକ ରେଜିଷ୍ଟର୍‌ ଜବତ କରିଛି। ରେଜିଷ୍ଟର୍‌ରେ ଶତାଧିକ ଗ୍ରାହକଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଲେଖାଯାଇଛି। ସେମାନେ କେଉଁ ତାରିଖରେ କେତେବେଳେ ଆସିଛନ୍ତି, ସେ ଗ୍ରାହକ ନୂଆ କି ପୁରୁଣା କିମ୍ବା ପଞ୍ଜୀକୃତ ତାହା ଲେଖାଯାଇଛି। ସେମାନଙ୍କଠାରୁ ଦାବି କରା ଯାଉଥିବା ଟଙ୍କାର ପରିମାଣ ମଧ୍ୟ ରେଜିଷ୍ଟର୍‌ରୁ ଜଣାପଡ଼ିଛି। ସେହି ତାଲିକାରେ ଥିବା ଗ୍ରାହକଙ୍କ ମଧ୍ୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଥିବା ପୁଲିସ ସନ୍ଦେହ କରୁଛି। ସେ ନମ୍ବର ଓ ନାଁଗୁଡ଼ିକୁ ଯାଞ୍ଚ କରା ଯାଉଛି।

Comments are closed.