ନବୀନ ନିବାସରେ ପ୍ରଫୁଲ୍ଲ ଘଡ଼େଇ: ଏକ ଦଶନ୍ଧି ପରେ ଗଲେ,

ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ନବୀନ ନିବାସରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ । ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ପାଣ୍ଡିଆନ ବିଜେଡିରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ନବୀନ ନିବାସ ଯାଇ ଶୁଭେଚ୍ଛା ଜଣାଉଛନ୍ତି । ସେହି କ୍ରମରେ ଶ୍ରୀ ଘଡ଼େଇ ନବୀନ ନିବାସ ଯାଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାକ୍ଷାତ ଦେଇନଥିବା ଜଣାପଡ଼ିଛି । ତେବେ ଶ୍ରୀ ଘଡ଼େଇ ବିଜେଡିର ବରିଷ୍ଠ ନେତା କିମ୍ବା ନିଜ ମନ୍ତ୍ରୀପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ପରିଚୟରେ ନୁହେଁ ବରଂ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଜଣେ ସଦସ୍ୟ ଭାବେ ଆଜି ନବୀନ ନିବାସ ଯାଇଥିବା ସୂଚନା ମିଳିଛି । ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇ ୨୦୧୯ ମସିହାରେ ଦଳକୁ ଫେରିଥିବା ଶ୍ରୀ ଘଡ଼େଇ ଏବେ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୃପାଦୃଷ୍ଟିରେ ରହିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ଭାବେ ଶ୍ରୀ ଘଡ଼େଇ ଆଜି ନବୀନ ନିବାସ ଯାଇ ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି । ପାଣ୍ଡିଆନ ଏବେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବାବେଳେ ଶ୍ରୀ ଘଡ଼େଇଙ୍କ ଭଳି ବରିଷ୍ଠ ନେତା ତାଙ୍କୁ ନବୀନ ନିବାସକୁ ଯାଇ ଭେଟିବାକୁ ନେଇ ବିଭିନ୍ନ ମହଲରେ ଭ୍ରୁକୁଂଚନ ସୃଷ୍ଟି ହୋଇଛି । ୨୦୧୨ ମେ’ ୨୯ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରଠୁ ଶ୍ରୀ ଘଡ଼େଇ ବିବାଦରେ ରହିଥିଲେ । ଏପରିକି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ୨୦୧୪ ସେପ୍ଟେମ୍ବର ମାସରେ ଏକ ଦୈନିକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ‘ନବୀନ ପଟ୍ଟନାୟକଙ୍କ ମାନସିକ ସ୍ଥିତି’ ଦୁର୍ବଳ ଓ ସେ କିଛି ବୁଝିବା ସ୍ଥିତିରେ ନାହାନ୍ତି ବୋଲି କହି ବିବାଦୀୟ ହୋଇଥିଲେ । ଏହି ସାକ୍ଷାତକାର ପରେ ହିଁ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ମାତ୍ର ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚ ମାସରେ ଦଳ ତାଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲା । ତେବେ ତାଙ୍କୁ କୌଣସି ଦଳୀୟ ପଦପଦବୀରେ ଥଇଥାନ କରାଯାଇନଥିଲା । ଗତ ପ୍ରାୟ ଏକ ଦଶନ୍ଧିରୁ ଅଧିକ ଦିନ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ମାଡ଼ିନଥିବା ଶ୍ରୀ ଘଡ଼େଇ ଆଜି ସେଠାକୁ ଯିବାକୁ ରାଜନୀତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି ।

Comments are closed.