ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା : ଇରାନ ଉପରେ ଆମେରିକାର ଆକ୍ରମଣ,ବାହାରିନ୍‌ ଉପରେ ରାଗ ଶୁଝାଇଲା ଇରାନ : ଇରାନ ଉପରେ ଆମେରିକାର ଆକ୍ରମଣ,ବାହାରିନ୍‌ ଉପରେ ରାଗ ଶୁଝାଇଲା ଇରାନ

ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ଭଳି ପ୍ରତୀୟମାନ ହେଉଛି। ଶାନ୍ତି ଚୁକ୍ତି ସ୍ବାରକ୍ଷିତ ହେବା ସତ୍ତ୍ବେ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ଶନିବାର ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ ରଖାଯାଇଥିବା ସ୍ଥାନ ଏବଂ ରାଡାର ପ୍ରଣାଳୀ ଉପରେ ଆମେରିକା ତରଫରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସୂଚନାଥାଉକି ଗତ ୨୫ ତାରିଖରେ ହର୍ମୁଜ୍‌ରେ ସିଙ୍ଗାପୁର ପତାକା ବହନକାରୀ ଏକ ପଣ୍ୟବାହୀ ଜାହାଜ ଉପରେ ଇରାନ ତରଫରୁ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଅସନ୍ତୋଷବ୍ୟକ୍ତ କରିବା ସହ ଏହା ଶାନ୍ତି ଚୁକ୍ତିର ଉଲ୍ଲଙ୍ଘନ ବୋଲି କହିଥିଲେ। ଇରାନ ଦ୍ବାରା ହର୍ମୁଜ ପ୍ରଣାଳୀରେ ନିର୍ଦ୍ଧାରିତ ରାସ୍ତା ବ୍ୟବହାର ନ କରି ଅନ୍ୟ ରାସ୍ତାରେ ଯାଉଥିବା ଜାହାଜଙ୍କ ଉପରେ ଆକ୍ରମଣ କରାଯିବ ବୋଲି ଇରାନ ତରଫରୁ ଚେତାବନୀ ଦିଆଯାଇଛି।
ଏହାକୁ ନେଇ ଶନିବାର ଆମେରିକା ତରଫରୁ ଇରାନର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଜଣାପଡ଼ିଛି। ଏ ନେଇ ଆମେରିକା କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ତରଫରୁ ଦର୍ଶାଯାଇଛି ଯେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ପଣ୍ୟବାହୀ ଜାହାଜ ଉପରେ ଇରାନ ଆକ୍ରମଣ କରି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ଏହା ଶାନ୍ତି ଚୁକ୍ତିର ଉଲ୍ଲଙ୍ଘନ। ତେଣୁ ଇରାନକୁ ଶିକ୍ଷା ଦେବାକୁ ଆମେରିକା ତରଫରୁ ଶନିବାର ଆକ୍ରମଣ କରାଯାଇଛି। ଇରାନର ବ୍ୟବହାର ମୁକ୍ତ ସାମୁଦ୍ରିକ ବ୍ୟବସାୟ ପ୍ରତି ବିପଦ ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀକୁ ପଣ୍ୟବାହୀ ଜାହାଜ ଯେପରି ସୁରକ୍ଷିତ ଭାବେ ଅତିକ୍ରମ କରିବେ ସେଥିପ୍ରତି ଆମେରିକା ସେନା ସଜାଗ ରହିଛି। ଶାନ୍ତି ଚୁକ୍ତିରେ ଥିବା ସମସ୍ତ ସର୍ତ୍ତର ଅନୁପାଳନ ଯେପରି ଇରାନ ଠିକ୍‌ ଭାବେ କରିବ ସେଥିପ୍ରତି ଆମେରିକା ତରଫରୁ ଦୃଷ୍ଟି ରଖାଯାଇଛି। ଇରାନ ସେନା ଯଦି କୌଣସି ଦୁଃସାହାସ କରେ ତେବେ ତାହାର କଡ଼ା ଜବାବ ଦେବାକୁ ଆମେରିକା ସେନା ସର୍ବଦା ପ୍ରସ୍ତୁତ।

ଅନ୍ୟପକ୍ଷରେ ଆମେରିକା ସେନା ତରଫରୁ ଇରାନର ବିଭିନ୍ନ ସ୍ଥାନରେ ଶନିବାର ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଇରାନ ତରଫରୁ ବାହାରିନ୍‌ର ବିଭିନ୍ନ ସ୍ଥାନରେ ଡ୍ରୋନ୍‌ ଯୋଗେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିସହ ହର୍ମୁଜ ଅତିକ୍ରମ କରୁଥିବା ଆଉ ଏକ ଜାହାଜ ଉପରେ ଇରାନ ତରଫରୁ ଆକ୍ରମଣ ହୋଇଥିବା ଖବର ମିଳିଛି। ଇରାନର ଆକ୍ରମଣ ସମ୍ପର୍କରେ ବାହାରିନ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶନିବାର ଇରାନର ବହୁସଂଖ୍ୟକ ଡ୍ରୋନ ବାହାରିନ୍‌ ମଧ୍ୟକୁ ପଶି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଏହାଦ୍ବାରା ବାହାରିନ୍‌ ନାଗରିକଙ୍କ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ବାହାରିନ୍‌ରେ ଆମେରିକା ନୌସେନାର ଏକ କାର୍ଯ୍ୟାଳୟ ଥିବାରୁ ଇରାନ ତରଫରୁ ବାହାରିନ୍‌ ଉପରେ ଆକ୍ରମଣ କରାଯାଇଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଆମେରିକା ଓ ଇରାନ ମଧ୍ୟରେ ପୁନର୍ବାର ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଇରାନର ସାଂସଦ ଇବ୍ରାହିମ ଅଜିଜି ଆମେରିକାକୁ ସମାଲୋଚନା କରିଛନ୍ତି। ଇବ୍ରାହିମ ଅଜିଜି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଆଲୋଚନା ଚାଲିଥିବା ସମୟରେ ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ବିଫଳ ଆମେରିକା ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ତାଙ୍କର ଆଲୋଚନା କିମ୍ବା ଯୁଦ୍ଧବିରତିର ନୀତି ପ୍ରତି କୌଣସି ପ୍ରତିବଦ୍ଧତା ନାହିଁ।’

Comments are closed.