ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

କଟକ: କଟକ ଏସ୍‌ସିବି ମେଡିକାଲର ବହୁ ପ୍ରତୀକ୍ଷିତ ନୂଆ କ୍ଲିନିକାଲ ୟୁନିଟ୍‌ ବିଲ୍ଡିଂର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନାହିଁ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ପ୍ରକଳ୍ପକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେହି ଲକ୍ଷ୍ୟ ପୂରଣ ହୋଇନାହିଁ।

ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, କ୍ଲିନିକାଲ ୟୁନିଟ୍–୧ ଓ ୟୁନିଟ୍–୪ରେ ବିଦ୍ୟୁତ ସଂଯୋଗ ସମ୍ବନ୍ଧୀୟ କାମ ଏବେ ବି ବାକି ରହିଥିବାରୁ ସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ ହେବାକୁ ଆହୁରି ସମୟ ଲାଗିବ।

ତେବେ ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ଆବାସିକ ଗୃହଗୁଡ଼ିକର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ ଶୀଘ୍ର ସେଗୁଡ଼ିକୁ ହସ୍ତାନ୍ତର କରାଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଏସ୍‌ସିବିର ଏହି ମେଗା ରୂପାନ୍ତରଣ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ଏବଂ କେବେ ରୋଗୀଙ୍କ ସେବାରେ ଲାଗିବ, ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସମୟସୀମା ବାରମ୍ବାର ବଢ଼ୁଥିବାରୁ ପ୍ରକଳ୍ପର ଅଗ୍ରଗତିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ଗତକାଲି ଏସ୍‌ସିବିରେ ଅସୁସ୍ଥ ପୂର୍ବତନ ମନ୍ତ୍ରୀ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବାବେଳେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଥିଲେ।

Comments are closed.