ସେସଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ସେସଲ୍ସ ଗସ୍ତରେ ଥିବା ବେଳେ ରାଜଧାନୀ ଭିକ୍ଟୋରିଆସ୍ଥିତ ଜାତୀୟ ବଟାନିକାଲ ଗାର୍ଡେନକୁ ଯାଇ ସେଠାରେ ଥିବା କଇଁଛଗୁଡ଼ିକୁ ଖାଇବାକୁ ଦେଇଛନ୍ତି। ଭାରତ ଓ ସେସଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେସଲ୍ସର ଜାତୀୟ ଦିବସ ସମାରୋହରେ ‘ମୁଖ୍ୟ ଅତିଥି’ ଭାବେ ନିମନ୍ତ୍ରଣ କରାଯାଇଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସହ ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ ଏକ ଚାରାରୋପଣ କରିଥିଲେ। ଏହି ସମୟରେ ସେସଲ୍ସ ରାଷ୍ଟ୍ରପତି ଉପସ୍ଥିତ ଥିଲେ।ଶନିବାର ସେସଲ୍ସ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏଥିସହ ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ପାଛୋଟି ନିଆଯାଇଥିଲା। ସେସଲ୍ସରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ତରଫରୁ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଚ୍ଚସ୍ତରୀୟ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ବ୍ଲୁ ଇକୋନୋମି ଏବଂ ଜଳବାୟୁ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କେତେକ ଚୁକ୍ତିନାମା ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ସୂଚନାଥାଉ କି ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ ମସିହା ମାର୍ଚ୍ଚରେ ପ୍ରଥମଥର ପାଇଁ ସେସଲ୍ସ ଯାଇଥିବା ବେଳେ ଚଳିତଥର ତାଙ୍କର ସେହି ଦେଶକୁ ଦ୍ବିତୀୟ ଯାତ୍ରା।

Comments are closed.