ସୁନ୍ଦ ଓ ଉପସୁନ୍ଦଙ୍କ କଥା

ଅର୍ଜ୍ଜୁନୀ ଚରଣ ବେହେରା

ସୁନ୍ଦ ଓ ଉପସୁନ୍ଦଙ୍କ କଥା
=============
ମହାଭାରତ ଆଦିପର୍ବର ଉପାଖ୍ୟାନ l ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟଙ୍କୁ ୠଷି ବୈଶମ୍ପାୟନ ମହାଭାରତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ଦ୍ରୌପଦୀଙ୍କ କଥା ସେ କହିବାରୁ ଜନ୍ମେଜୟ ଅତି ଉତ୍ସୁକ ହୋଇ ପ୍ରଶ୍ନକଲେ,ହେ ମହାତ୍ମନ୍ ! ମୋତେ ବୁଝାଇ କୁହନ୍ତୁ, ମହାରାଣୀ ଦ୍ରୌପଦୀ, କିପରି ପାଞ୍ଚ ସ୍ବାମୀଙ୍କୁ ନେଇ ସୁରୁଖୁରୁରେ ଚଳୁଥିଲେ l ତାଙ୍କୁନେଇ ପାଣ୍ତବମାନେ କଅଣ କିଛି ଅସୁବିଧାର ସମ୍ମୁଖୀନ ହେଉ ନଥିଲେ l ବୈଶମ୍ପାୟନ କହିଲେ,ହଁ ! ଏଥିପାଇଁ ଦିନେ ପାଣ୍ଡବ ମାନଙ୍କୁ ମହର୍ଷି ନାରଦ ସତର୍କ କରାଇ,ଏକ ସୁନ୍ଦର କାହାଣୀ କହି ଥିଲେ l ମୁଁ, ତୁମକୁ ସେହି କାହାଣୀଟି କହୁଛି ମନଦେଇ ଶୁଣ l ମହର୍ଷି ବୈଶମ୍ପାୟନ କଥା ଆରମ୍ଭ କଲେ l
ପାଣ୍ଡବଙ୍କ ବନବାସ ସମୟରେ ହିମାଳୟ କାମ୍ୟକ ବନରେ, ଦିନେ ଦେବର୍ଷି ନାରଦ ଆସି ପହଞ୍ଚିଲେ l ସେ ପାଣ୍ତବମାନଙ୍କୁ ସତର୍କ କରାଇ ଦେଇ କହିଲେ, ଦ୍ରୌପଦୀଙ୍କୁ ନେଇ ତୁମ ମାନଙ୍କ ମଧ୍ୟରେ କୌଣସି ଏକ ନିୟମ କର l ନୋହିଲେ, ତାଙ୍କୁ ନେଇ ହୁଏତ ତୁମ ମାନଙ୍କ ମଧ୍ୟରେ କେବେ ଦ୍ୱନ୍ଦ୍ୱ ଉପୁଜି ପାରେ l ଉଦାହରଣସ୍ୱରୂପ ପୂର୍ବକାଳରେ ଘଟିଥିବା ଗୋଟିଏ ଘଟଣା ମୁଁ ତୁମକୁ କହୁଛି, ଶୁଣ l
ସତ୍ୟ ଯୁଗର କଥା l ଅସୁର ରାଜ ହିରଣ୍ୟ କଶିପୁ ବଂଶରେ ଜନ୍ମ ହୋଇଥିଲେ, ଜଣେ ମହା ପ୍ରତାପୀ ଅସୁର ନିକୁମ୍ଭ l ତାଙ୍କର ଦୁଇଜଣ ପୁତ୍ର ଥିଲେ ସୁନ୍ଦ ଓ ଉପସୁନ୍ଦ l ଦୁଇ ଭାଇଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା l ସେମାନେ ଥିଲେ ପ୍ରବଳ ପରାକ୍ରମୀ l ଦିନେ ସେମାନଙ୍କ ମନରେ ତ୍ରିଭୁବନ ବିଜୟକରିବା ଆଶା ଜାଗ୍ରତହେଲା l ଆଶାପୂର୍ତ୍ତି ପାଇଁ ସେମାନେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶରେ ବ୍ରହ୍ମାଙ୍କ ବରଲାଭ ପାଇଁ ବିନ୍ଧ୍ୟପର୍ବତକୁ ଯାଇ ତପସ୍ୟା ଆରମ୍ଭ କଲେ l ତାଙ୍କ କଠୋର ତପସ୍ୟାରେ ତୃପ୍ତ ହୋଇ ପିତାମହ ବ୍ରହ୍ମା ଦିନେ ତାଙ୍କ ନିକଟରେ ଉପସ୍ଥିତ ହୋଇ ବର ଯାଚିଲେ l ସେମାନେ ବର ପ୍ରାର୍ଥନା କରି, କହିଲେ, ହେ ବେଦପତି ! ଆପଣ ଆମକୁ ତ୍ରିପୁର ବିଜୟୀ ଓ ଅମର ହେବା ବର ପ୍ରଦାନ କରନ୍ତୁ l ବ୍ରହ୍ମା କହିଲେ, ମୁଁ ତୁମକ ବର ପ୍ରଦାନ କରୁଛି ତୁମେ ତ୍ରିପୁରକୁ ଜୟ କର କିନ୍ତୁ ଅମରବର ମୋ ଶକ୍ତି ବାହାରେ l ତୁମକୁ ମୁଁ ତା ବଦଳରେ ଆଉ ଏକ ବର ଦେଉଛି l ତୁମର ମୃତ୍ୟୁ ହେବ, ଯେତେବେଳେ ତୁମ ମାନଙ୍କ ମଧ୍ୟରେ ବିବାଦ ଉପୁଜିିବ l ଏହି ବର ଦେଇ, ପିତାମହ ବ୍ରହ୍ମ ଲୋକକୁ ପ୍ରସ୍ଥାନ କଲେ l ପରୋକ୍ଷରେ ଅମର ବର ପାଇଛନ୍ତି ବୋଲି ଭାବି ଦୁଇଭାଇ ଖୁସି ହେଲେ l
ବ୍ରହ୍ମାଙ୍କ ବରଲାଭ କରି ଦୁଇ ଭାଇ ଉଲ୍ଲସିତ ହୋଇ ଫେରି ଆସି ସ୍ଵର୍ଗଲୋକ ଉପରେ ଆକ୍ରମଣ କଲାରୁ ଦେବତାମାନେ ଭୟଭୀତ ହୋଇ, ବ୍ରହ୍ମ ଲୋକରେ ଯାଇ ଆଶ୍ରୟନେଲେ l ସ୍ୱର୍ଗରେ ସେମାନଙ୍କ ବିଜୟ ବାନା ଉଡ଼ିଲା l ଏହା ପରେ ସେମାନେ ନାଗଲୋକ ଆକ୍ରମଣକରି ତାକୁ ନିଜ ଦଖଲକୁ ଆଣିଲେ l ମର୍ତ୍ତ୍ୟ ଲୋକ ତ ସେମାନଙ୍କ ପାଇଁ କିଛି ହିଁ ନ ଥିଲା l ଏଣୁ ସେମାନେ ମର୍ତ୍ତ୍ୟରେ ନାନା ପ୍ରକାର ତାଣ୍ଡବ ଆରମ୍ଭ କରିଦେଲେ l ତାଙ୍କ ଭୟରେ ମୁନିଋଷିମାନେ ଯାଇ ଅରଣ୍ୟ ଓ ଗିରିଗୁହା ମାନଙ୍କରେ ଲୁଚିଲେ l ସମସ୍ତ ବୈଦିକକର୍ମ ବନ୍ଦ ହୋଇଗଲା l ସମଗ୍ର ପୃଥିବୀରେ ହାହାକାର ପଡ଼ିଗଲା l ପ୍ରତିକାର ପାଇଁ ୠଷି ମାନେ ଯାଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ l ଆଗରୁ ଦେବ ଗଣ ସେଠାରେ ଥିଲେ l
ବ୍ରହ୍ମା ତ ସୁନ୍ଦ ଉପସନ୍ଦଙ୍କ ମୃତ୍ୟୁଭେଦ ଜାଣିଥିଲେ l ଏଣୁ ପ୍ରତିକାର ପାଇଁ ସେ ସମସ୍ତଙ୍କୁ ଆଶ୍ବସ୍ତ କଲେ l ବ୍ରହ୍ମାଙ୍କ ଆଦେଶରେ ବିଶ୍ଵକର୍ମା ଏକ ଦିବ୍ୟ ସୁନ୍ଦରୀ ତରୁଣୀ ସୃଷ୍ଟିକଲେ l ପିତାମହ ତାଙ୍କ ନାମ ରଖିଲେ ତିଳୋତ୍ତମା l ତିଳୋତ୍ତମାଙ୍କୁ ବ୍ରହ୍ମା କହିଲେ, ତୁମେ ମର୍ତ୍ତ୍ୟକୁ ଯାଅ l ତୁମ ସୋନ୍ଦର୍ଯ୍ୟରେ ସୁନ୍ଦ ଉପସୁନ୍ଦ ଦୁଇ ଅସୁର ଭାଇଙ୍କୁ ପ୍ରଭାବିତ କର l
ଦିନେ ସୁନ୍ଦ ଉପସୁନ୍ଦ ବିନ୍ଧ୍ୟ ପର୍ବତରେ ମଦିରାପାନ ସହ ବହୁ ଆନନ୍ଦ ଉତ୍ସବର ମତ୍ତଥାନ୍ତି, ସେହିଠାରେ ଆସି ତିଳୋତ୍ତମା ପହଞ୍ଚି ଗଲେ l ମଦୋନ୍ମତ୍ତ, ସୁନ୍ଦ ଉପସୁନ୍ଦ ତାଙ୍କ ସୋନ୍ଦର୍ଯ୍ୟରେ ମୋହିତ ହୋଇ ନିଜ ହିତାହିତ ଜ୍ଞାନ ଭୁଲିଗଲେ l ସୁନ୍ଦରୀ ତିଳୋତ୍ତମାଙ୍କୁ ପାଇବା ପାଇଁ ସେମାନେ ନିଜ ନିଜ ଭିତରେ କଳହ ଆରମ୍ଭ କରିଦେଲେ l କଳହ ଯାଇ ଶେଷରେ ଗଦା ଯୁଦ୍ଧରେ ପରିଣତ ହେଲା l ବ୍ରହ୍ମା ବର କାର୍ଯ୍ଯକାରୀ ହେଲା l ଦୁଇ ରାକ୍ଷସଭାଇ ସୁନ୍ଦ ଓ ଉପସୁନ୍ଦ ମୃତ୍ୟୁ ବରଣକଲେ l ତିଳୋତ୍ତମାଙ୍କ କାର୍ଯ୍ୟ ଶେଷହେଲା l ସେ ସ୍ୱର୍ଗ ଫେରିଯାଇ ଦେବରାଜ ଇନ୍ଦ୍ରଙ୍କ ସଭାରେ ଦେବ ନର୍ତ୍ତକୀ ଭାବେ ସ୍ଥାନ ପାଇଲେ l
ମହର୍ଷି ବୈଶମ୍ପାୟନ ଏ ଉପାଖ୍ୟାନଟି ଶେଷ କରି ଜନ୍ମେଜୟଙ୍କୁ କହିଲେ, ନାରଦ ସୁନ୍ଦ ଓ ଉପସୁନ୍ଦଙ୍କ ଏ କାହାଣୀ ମାଧ୍ୟମରେ ପାଣ୍ତବଭାଇମାନଙ୍କୁ ଯେଉଁ ଉପଦେଶ ଦେଇ ଥିଲେ, ତାକୁ ସେମାନେ ଅକ୍ଷରେ ଅକ୍ଷରେ ଜୀବନରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପାଳନ କରିଥିଲେ, ସୁତରାଂ କେଉଁଠି ହେଲେ ଦ୍ରୌପଦୀଙ୍କୁ ନେଇ କୌଣସି ସମସ୍ୟା ଆସି ନଥିଲା l
🙏🙏🙏
ଅର୍ଜୁନୀ
————-
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


 

Comments are closed.