ସୌଦାସ ମଦୟନ୍ତୀ କଥା

ଅର୍ଜୁନୀ ଚରଣ ବେହେରା

ସୌଦାସ ମଦୟନ୍ତୀ କଥା
==============
ମହାମୁନି ଶୁକ, ବ୍ରହ୍ମଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତରେ ଈକ୍ଷାକୁ ବଂଶାନୁଚରିତ ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ, ଶୁକ କହିଲେ, ଈକ୍ଷାକୁ ବଂଶରେ ସୌଦାସ ନାମରେ ଜଣେ ନୃପତି ଥିଲେ l ସେ ଗୁରୁ ବଶିଷ୍ଠଙ୍କ ଅଭିଶାପରେ ରାକ୍ଷସ ହୋଇଯାଇଥିଲେ l ଏହା ଶୁଣି ପରୀକ୍ଷିତ କହିଲେ, ମୁଁ ଯଦି ଜାଣିବାକୁ ଯୋଗ୍ୟ ତେବେ ଦୟାକରି ମୋତେ ସେହି ପ୍ରସଙ୍ଗ ବିସ୍ତାରରେ ଶୁଣାନ୍ତୁ l ଶୁକଦେବ ରାଜା ସୌଦାସଙ୍କ କଥା ଆରମ୍ଭ କଲେ l
ଭଗବତୀ ଗଙ୍ଗାଙ୍କୁ ଧରା ଅବତରଣ କରାଇ କୀର୍ତ୍ତି ରଖି ଯାଇଥିବା, ଭଗୀରଥଙ୍କ ପଞ୍ଚମ ପୁରୁଷ ଥିଲେ ରାଜା ସର୍ଵକାମ l ସର୍ବକାମଙ୍କ ପୁତ୍ର ଥିଲେ, ସୁଦାସ ଏବଂ ସୁଦାସଙ୍କ ପୁତ୍ରଥିଲେ ସୌଦାସ l ସୌଦାସଙ୍କ ପତ୍ନୀ ଥିଲେ ମଦୟନ୍ତୀ l ଥରେ ସୌଦାସ ଜଙ୍ଗଲକୁ ପାରିଧି କରିବାକୁ ଯାଇଥିଲେ l ରାଜା ବାଣ ହସ୍ତରେ ଜଙ୍ଗଲରେ ବୁଲୁ ବୁଲୁ ଏକ ରାକ୍ଷସକୁ ମାରିଦେଲେ l ତାର ଆଉ ଗୋଟିଏ ଭାଇ ଥିଲା l ପ୍ରତିଶୋଧ ନେବା ପାଇଁ ଏକ ଛଦ୍ମପାଚକ ରୂପେ ସେ ଯାଇ ସୌଦାସଙ୍କ ନଅରରେ ବାସ କଲା l ଦିନେ ଗୁରୁ ବଶିଷ୍ଠ ରାଜାଙ୍କ ନଅରରେ ଉପସ୍ଥିତ ହେଲେ l ପାଚକ ରୂପୀ ରାକ୍ଷସ ତାଙ୍କୁ ଭୋଜନରେ ନରମାଂସ ରାନ୍ଧି ପରଷି ଦେଲା l ଏହା ଜାଣିପାରି କ୍ରୁଦ୍ଧହୋଇ ରାଜା ସୌଦାସଙ୍କୁ ଗୁରୁ ବଶିଷ୍ଠ ଅଭିଶାପ ଦେଲେ, ମୋତେ ଜାଣିଶୁଣି ତୁମେ ଅଭକ୍ଷ ନରମାଂସ ଭୋଜନ କରିବା ପାଇଁ ଦେଇଛ l ଏଣୁ ତୁମେ ଏକ ରାକ୍ଷସ ହୋଇ ଆଜୀବନ ଏହିପରି ନରମାଂସ ଭୋଜନ କର l
ସୌଦାସ କାତର ହୋଇ ପ୍ରକୃତ ଘଟଣା କହି କ୍ଷମା ପ୍ରାର୍ଥନାକରିବାରୁ ବଶିଷ୍ଠ ତାଙ୍କର ଅଭିଶାପକୁ ବାର ବର୍ଷକୁ କମାଇଦେଲେ l ସୌଦାସ ମଧ୍ୟ ଜଳାଞ୍ଜଳୀ ଧରି ବଶିଷ୍ଠଙ୍କୁ ଅଭିଶାପ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ,କିନ୍ତୁ ପତ୍ନୀ ମଦୟନୀ ବାରଣ କରିବାରୁ ସୌଦାସ ଏଥିରୁ ବିରତ ହେଲେ l ସେହି ସମୟରେ ତାଙ୍କ ହାତରୁ ଅଭିମନ୍ତ୍ରୀତ ଜଳ ପାଦ ଉପରେ ଖସି ପଡ଼ି, ତାଙ୍କ ପାଦ କଳା ହୋଇ ଯିବାରୁ ସେ ହେଲେ କଳ୍ମାଷ ପାଦ l ଏହାପରେ ସୌଦାସ ରାକ୍ଷସ ହୋଇ ଅରଣ୍ୟରେ ଘୁରି ବୁଲିଲେ l
ଦିନେ ସେ ବୁଲୁ ବୁଲୁ ରତିକ୍ରୀଡ଼ା ରତ ଏକ ବ୍ରାହ୍ମଣ ଦମ୍ପତ୍ତିଙ୍କୁ ଦେଖି ବ୍ରାହ୍ମଣଟିକୁ ଧରିନେଲେ l ଏଥିରେ ବ୍ରାହ୍ମଣୀ ଜଣକ ଭୟଭୀତ ହୋଇ ତାଙ୍କୁ ନିବେଦନ କଲା, ଆପଣ ରାକ୍ଷସ ନୁହଁନ୍ତି l ଆପଣ ପ୍ରଜାରକ୍ଷକ ଈକ୍ଷାକୁ ବଂଶର ରାଜା l ଆପଣ ମୋ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତୁ l ଯଦି ଆପଣ ତାଙ୍କୁ ଖାଇ ଦେବାକୁ ଚାହାଁନ୍ତି ତେବେ ତାପୂର୍ବରୁ ମୋତେ ଖାଇଦିଅନ୍ତୁ l ବ୍ରାହ୍ମଣୀର କଥାକୁ ସେ ଆଉ କର୍ଣ୍ଣପାତ ନକରି ବ୍ରାହ୍ମଣକୁ ଖାଇ ଦେଲେ l ଏଥିରେ ବ୍ରାହ୍ମଣୀ କ୍ରୋଧାନ୍ୱିତ ହୋଇ ତାଙ୍କୁ ଅଭିଶାପ ଦେଲେ, ” ରେ ମୂର୍ଖ ! ମୋ କାମନା ପୁର୍ଣ୍ଣ ନ ହେଉଣୁ ତୁ ରତିକ୍ରୀଡ଼ା ସମୟରେ ମୋ ସ୍ୱାମୀକୁ ଖାଇଦେଲୁ, ଯେତେବେଳେ ତୋ ସ୍ତ୍ରୀସହ ସହବାସ କରିବାକୁ ଯିବୁ ତୋର ନିଶ୍ଚୟ ମୃତ୍ୟୁହେବ l ଏପରି କହି ସେ ପତିଙ୍କ ଚିତାକୁ ଡେଇଁ ସତୀ ହେଲେ l
ବାରବର୍ଷପରେ ଶାପମୁକ୍ତ ସୌଦାସ ଦିନେ ନିଜ ସ୍ତ୍ରୀ ମଦୟନ୍ତୀଙ୍କ ସହ ରତି କ୍ରୀଡ଼ା ପାଇଁ ଉଦ୍ୟତ ହେଲା ବେଳେ ପତ୍ନୀ ତାଙ୍କୁ ବ୍ରାହ୍ମଣୀ ଅଭିଶାପ କଥା ମନେ ପକାଇଦେଇ ଏଥିରୁ ବିରତରହିବାକୁ କହିବାରୁ ସେ ତାଙ୍କ କଥା ମାନି ସେ ଆଉ ରତି ନକରି ନିଃସନ୍ତାନ ରହିଲେ l ତାଙ୍କ ଅନୁରୋଧରେ ବଶିଷ୍ଠଙ୍କ ସଂସର୍ଗରୁ ରାଣୀ ମଦୟନ୍ତୀ ଗର୍ଭଧାରଣ କଲେ,କିନ୍ତୁ ସାତବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ଜନ୍ମହେଲାନାହିଁ l ଶେଷକୁ ବଶିଷ୍ଠ ପଥର ଦ୍ଵାରା ତାଙ୍କ ଗର୍ଭକୁ ଆଘାତ କରିବାରୁ ଗୋଟିଏ ବାଳକ ଜନ୍ମହେଲା l ପଥର ବା ଅଶ୍ମ ଆଘାତରେ ଜନ୍ମ ହୋଇଥିବାରୁ ସେହି ବାଳକ ନାମ ହେଲା ଅଶ୍ମକ l ତାଙ୍କ କୁଳରେ ପଞ୍ଚମ ପୁରୁଷ ଭାବେ ଜନ୍ମହେଲେ ରାଜଚକ୍ରବର୍ତ୍ତୀ ଖଟ୍ୱାଙ୍ଗ l ତାଙ୍କ ପୁତ୍ର ହେଲେ ଦୀର୍ଘବାହୁ l ଦୀର୍ଘବାହୁଙ୍କ ପୁତ୍ର ଥିଲେ ମହାରାଜ ରଘୁ l ପୁଣି, ଏହି କୁଳରେ ରାଜା ରଘୁଙ୍କ ଠାରୁ ଜନ୍ମ ହେଲେ ଅଜ l ତାଙ୍କ ପୁତ୍ର ହେଲେ ମହା ଯଶସ୍ଵୀ ରାଜା ଦଶରଥ l
ଦେବତାମାନେ ପ୍ରାର୍ଥନା କରିବାରୁ, ପୁର୍ଣ୍ଣବ୍ରହ୍ମ ସ୍ୱରୂପ ଭଗବାନ୍ ଶ୍ରୀହରି, ନିଜ ଅଂଶରେ ଦଶରଥଙ୍କ ଚାରି ପୁତ୍ର ହୋଇ ଜନ୍ମ ହେଲେ l ସେହି ଚାରି ପୁତ୍ର ଥିଲେ ରାମ ଲକ୍ଷ୍ମଣ ଭରତ ଓ ଶତୃଘ୍ନ l
ଶୁକ ମୁନିଙ୍କ ଶେଷକଥାକୁ ଶ୍ରୀମଦ୍ ଭାଗଗବତରେ ଅତିବଡ଼ି ଜଗନ୍ନାଥଦାସ ଅତି ସୁନ୍ଦର ଭାବେ ବର୍ଣ୍ଣନା କରି ଲେଖିଲେ:-
ସେ ଦଶରଥ ଘରେ ହରି l
ଜନ୍ମିଲେ ନରଦେହ ଧରି ll
ଚତୁର୍ଦ୍ଧା ରୂପେ ଦେବକାର୍ଯ୍ୟେ l
ଜନ୍ମିଲେ ଦଶରଥ ବୀର୍ଯ୍ୟେ ll
ରାମ ଲକ୍ଷ୍ମଣ ଶତ୍ରୁଘନ l
ଭରତ ତୁଲେ ଚାରିଜଣ ll
!! ଓଁ ନମଃ ଭଗବତେ ବାସୁଦେବାୟ !!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.