ଆସୁଛି ଗ୍ରୀଷ୍ମ: କନ୍ଦାଇବ ତାତି, କୋରାପୁଟ ଦେଖିବ ପାଣି ଦୁର୍ଦ୍ଦଶା

କୋରାପୁଟ: ଗ୍ରୀଷ୍ମ ପାଖେଇ ଆସୁଛି। ଚଳିତବର୍ଷ ଅଧିକ ଖରା ହେବା ଆକଳନ କରାଯାଉଛି। ତାତି ଲୋକଙ୍କୁ କନ୍ଦାଇବ। ଏଭଳି ସ୍ଥଳେ କୋରାପୁଟରେ ଯୋଜନାବଦ୍ଧ ଭାବେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ଯୋଜନା ବହୁ ପଛରେ ପଡିଯାଇଛି। ଫଳରେ କୋରାପୁଟ ଆଗାମୀ ଦିନରେ ପାଣି ଦୁର୍ଦ୍ଦଶା ଦେଖିବ। ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲାରେ ଜାନୁଆରୀ ମାସ ପ୍ରଥମ ସପ୍ତାହ ହେଉ ହେଉ ହ୍ରାସ ପାଏ ଭୂତଳ ଜଳସ୍ତର। ଯେଉଁଠି ୨ରୁ ୧୦ ମିଟର ମଧ୍ୟରେ ଖନନ କଲେ ଭୂତଳ ଜଳ ଉପଲବ୍ଧ ହେଉଥିଲା ତାହା ଏବେ ୧୫ ମିଟରକୁ ବୃଦ୍ଧି ପାଇଲାଣି। ବର୍ଷକୁ ବର୍ଷ ଏହା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବାକୁ ସେପରି ପଦକ୍ଷେପ ଗ୍ରହଣ କରାଯାଉନି। ତେବେ ପାନୀୟ ଜଳ ପାଇଁ କୋରାପୁଟରେ ନଳକୂପ ଓ କୂପକୁ ବ୍ୟବହାର କରାଯାଉ ଥିବାବେଳେ ଭୂତଳ ଜଳ ହ୍ରାସ ପାଉଥିବାରୁ ପୂର୍ବରୁ ଖନନ ହୋଇଥିବା ଏହି ଜଳ ଉତ୍ସ ଏବେ ପରିତ୍ୟକ୍ତ ହେବାକୁ ଲାଗିଲାଣି।

ଏଥିପାଇଁ କୋରାପୁଟ ଜିଲ୍ଲାରେ ମେଗା ଜଳ ପ୍ରକଳ୍ପର ପରିଯୋଜନା ହୋଇଛି। ୨୦୧୭ରୁ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଆରମ୍ଭ ହୋଇଛି ୯ଟି ମେଗା ପ୍ରକଳ୍ପ। ଏହି ୯ଟି ମେଗା ପ୍ରକଳ୍ପ ମାଧ୍ୟମରେ କୋରାପୁଟ ଜିଲ୍ଲାର ୧୩ଟି ବ୍ଲକର ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ୧୪୭୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବାବେ‌ଳେ କୋରାପୁଟ ଓ ଲମତାପୁଟ ବ୍ଲକରେ ଟେଣ୍ଡର ପକ୍ରିୟା ଶେଷ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି। ତେବେ ବୋରିଗୁମ୍ମା, କୋଟପାଡର ସମସ୍ତ ପଞ୍ଚାୟତ ଓ ଜୟପୁର ବ୍ଲକର ୭ଟି ପଞ୍ଚାୟତକୁ ନେଇ ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏବେ ଏହି ପ୍ରକଳ୍ପର ମୂଲ୍ୟ ୩୧୬.୫୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଜୁଲାଇରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୧ରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସମୟ ଗଡି ଚାଲିଛି।

ସେହିପରି ଦଶମନ୍ତପୁରର ସମସ୍ତ ପଞ୍ଚାୟତ ଓ ଲକ୍ଷ୍ମୀପୁର ୨ଟି ପଞ୍ଚାୟତକୁ ନେଇ ଏମ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ୨୪୫.୨୯ କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ୨୦୨୪ ମାର୍ଚ୍ଚ ସୁଧା ଶେଷ ହେବ। ସେହିପିରି ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ସମମ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରିବାକୁ ୨୦୨୧ଯୋଜାନ ହୋଇଥିଲା। ୨୦୨୩ରେ ଏହା ଶେଷ ହେବାକୁ ଯୋଜନା ରହିଥିବାବେଳେ ଆସନ୍ତା ବର୍ଷ ସୁଧା ଏହା ଶେଷ ହେବ ବୋଲି ଆକଳନ କରାଯାଇଛି। ସେହିପରି ନନ୍ଦପୁର ବ୍ଲକର ସମସ୍ତ ପଞ୍ଚାୟତ ଓ ସେମିଳିଗୁଡା ବ୍ଲକର ୨ଟି ପଞ୍ଚାୟତକୁ ନେଇ ୨୦୨୧ରେ ୨୦୦.୧୬ କୋଟି ଟଙ୍କା ବିନିମୟରେ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି।

କୁନ୍ଦୁରା ବ୍ଲକ ସମସ୍ତ ପଞ୍ଚାୟତ ଓ ଜୟପୁରର୧୫ଟି ପଞ୍ଚାୟତ ପାନୀୟ ଜଳ ଯୋଗାଣ କରିବାକୁ ୨୦୨୨ରେ ଆରମ୍ଭ ହୋଇଥିବା ପ୍ରକଳ୍ପର ମୂଲ୍ୟ ୨୪୪.୩୩ କୋଟି ରହିଛି। ସେହିପରି ୨୦୨୦ରେ ବୈପାରିଗୁଡା ବ୍ଲକକୁ ପାନୀୟ ଜଳ ଯୋଗାଣ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ୧୫୫.୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୨୦୨୪ ଶେଷ ହେବାକୁ ଯୋଜନା ରହିଛି। ତେବେ ଲମତାପୁଟ ପାଇଁ ୧୨୧.୨୮ କୋଟି ଓ କୋରାପୁଟର ୮ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରିବାକୁ ୧୧୮.୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିପାଇଁ ଟେଣ୍ଡର ପକ୍ରିୟା ଶେଷ ହୋଇଥିବାବେଳେ ୭ ଦିନ ମଧ୍ୟରେ ୱାର୍କ ଅଡର ଜାରି କରାଯିବ ବୋଲି ଜଣାପଡିଛି। ତେବେ କୋରାପୁଟ ଜିଲ୍ଲାରେ ୨୦୧୧ ମସିହା ଜନଗଣନା ଅନୁସାରେ ୧୧ ଲକ୍ଷ ୯୧ ହଜାର ୧୪୬ ଜନସଂଖ୍ୟା ରହିଥିବାବେଳେ ଆଇଏମଆଇଏସ ରିପୋର୍ଟ ଅନୁସାରେ ୧୩ ଲକ୍ଷ ୩ ହଜାର ୫୨୫ ଜନସଂଖ୍ୟା ରହିଛନ୍ତି। କୋରାପୁଟ ଜିଲ୍ଲାରେ ୨୦୧୧ ଜନଗଣନା ଅନୁସାରେ ୨ ଲକ୍ଷ ୮୯ହଜାର ୧୭୧ ପରିବାର ରହିଥିବାବେଳେ ଆଇଏମଆଇଏସ ରିପୋର୍ଟ ଅନୁସାରେ ୩ ଲକ୍ଷ ୨୨ ହଜାର ୯୭୪ ପରିବାର ପାନୀୟ ଜଳ ପାଇଁ ଆଗ୍ରହି ରହିଛନ୍ତି।

Comments are closed.