ବାଲେଶ୍ୱରରେ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସୁମନ ଘୋଷଙ୍କ ସତର୍କ ତତ୍ପରତା ଯୋଗୁଁ ଟଳିଲା ସମ୍ଭାବ୍ୟ ରେଳ ଦୁର୍ଘଟଣା

0
ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଜନୈକ ରେଳ ଟ୍ରାକ୍ ମେଣ୍ଟେନର ସୁମନ ଘୋଷଙ୍କ ସତର୍କତା ଓ ତତ୍ପରତା ଯୋଗୁଁ ବାଲେଶ୍ୱରର ନୀଳଗିରି ରୋଡ୍–ବାଲେଶ୍ୱର ରେଳପଥରେ ଏକ ସମ୍ଭାବ୍ୟ ଦୁର୍ଘଟଣା ଟଳିଯାଇଛି। ଡ୍ୟୁଟି ସମୟରେ ସେ ସ୍ୱିଚ୍ ଏକ୍ସପାନ୍ସନ୍ ଜଏଣ୍ଟ୍ (SEJ)ର ଟଙ୍ଗ୍ ରେଲ୍‌ରେ ଫାଟ ଚିହ୍ନଟ କରି ତୁରନ୍ତ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେଇଥିଲେ।
SSE/P.Way/BLSଙ୍କ ଅଧୀନରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ ଟ୍ରାକ୍ ମେଣ୍ଟେନର ଶ୍ରୀ ସୁମନ ଘୋଷ ଅଗଷ୍ଟ ୧୭ ତାରିଖ ସକାଳ ପ୍ରାୟ ୬ଟା ୦୯ ମିନିଟ୍‌ରେ କିମି ୨୪୦/୩୪–୨୪୧/୨ ନିକଟରେ ଏସଇଜେ ଟଙ୍ଗ୍ ରେଲ୍‌ରେ ଫାଟ ଦେଖିଥିଲେ।
ସେ ତୁରନ୍ତ ସମ୍ପୃକ୍ତ ରେଳ ଅଧିକାରୀଙ୍କୁ ଖବର ଦେବା ସହ ନିର୍ଦ୍ଧାରିତ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ପ୍ରଭାବିତ ଟ୍ରାକ୍‌କୁ ସୁରକ୍ଷିତ କରିଥିଲେ। ତତ୍କାଳ ଟ୍ରେନ୍‌ର ଗତି ଉପରେ କଟକଣା ଲାଗୁ କରାଯାଇଥିଲା ଏବଂ ଆବଶ୍ୟକ ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଟ୍ରାକ୍‌ର ସୁରକ୍ଷା ସୁନିଶ୍ଚିତ କରାଯାଇଥିଲା।
ଶ୍ରୀ ଘୋଷଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଟ୍ରେନ୍‌ଗୁଡ଼ିକର ନିରାପଦ ଚଳାଚଳ ସମ୍ଭବ ହୋଇଥିଲା। ତାଙ୍କର ସତର୍କତା, ଉପସ୍ଥିତ ବୁଦ୍ଧି, କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧକୁ ରେଳ କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି।
ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେଇ ଖଡ଼ଗପୁର ଡିଆରଏମ୍ ଶ୍ରୀ ଲଲିତ ମୋହନ ପାଣ୍ଡେ ଶ୍ରୀ ସୁମନ ଘୋଷଙ୍କୁ ନଗଦ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି।
Leave A Reply

Your email address will not be published.